ଚର୍ଚ୍ଚାରେ ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ

ଭାରତ ସ୍ବାଧୀନ ହେବା ମାତ୍ରେ କାଶ୍ମୀର ଯୁଦ୍ଧ ହେଲା ଓ ନିଜର ସାମରିକ ଓ ଅର୍ଥନୈତିକ ରାଜନୀତି ଦୃଷ୍ଟିରୁ ଆମେରିକା ପାକିସ୍ତାନକୁ ସମର୍ଥନ କଲା, କିନ୍ତୁ ଭାରତକୁ କିଛି ଆର୍ଥିକ ସାହାଯ୍ୟ ଦେଲା ଏହି ଭୟ​‌େର​‌ ଯେ କାଳେ ଭାରତକୁ କମ୍ୟୁନିଷ୍ଟମାନେ ଦଖଲ କରିନେବେ। ରୁଷିଆ ସାଙ୍ଗେ ଖୁବ୍‌ ଭଲ ସମ୍ପର୍କ ରଖି ଭାରତ ଏକ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର ସଂଘ କରିବାରୁ ଆମେରିକା ଭାରତ ଉପରେ କ୍ଷୁବ୍ଧ ହେଲା, କିନ୍ତୁ ପଣ୍ଡିତ ନେହେରୁ ଚାହୁଁଥିଲେ ଆମେରିକା ସାଙ୍ଗେ ସମ୍ପର୍କ ବୃଦ୍ଧି ହେଉ ଓ ବାଣିଜ୍ୟ ସମ୍ପର୍କର ପ୍ରସାର ହେଉ। ସ୍ବାଧୀନତାର ଦୀର୍ଘ ବାର ବର୍ଷ ପରେ ଆମେରିକାର ରାଷ୍ଟ୍ରପତି ଆଇଜେନ୍‌ ହାହ୍ବାର ଭାରତ ଗସ୍ତରେ ଆସିଲେ। ସେତେବେଳେ ରାମଲୀଳା ମଇଦାନରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ଦେଖି ସେ ଅଭିଭୂତ ହୋଇଗଲେ। ପାକିସ୍ତାନ ସହିତ ଘନିଷ୍ଠତା ସତ୍ତ୍ବେ ଆମେରିକାର ଭାରତ ସହିତ ସମ୍ପର୍କର ଉନ୍ନତି ହେଲା। ସେଥିପାଇଁ ନେହେରୁଙ୍କ ବ୍ୟକ୍ତିତ୍ବ କିଛି ପରିମାଣରେ କାମ ଦେଇଛି। ଏହାପରେ ଅନେକ ରାଷ୍ଟ୍ରପତି ଆସିଛନ୍ତି। ରାଷ୍ଟ୍ରପତି ଓବାମା ଦୁଇଥର ଆସିଛନ୍ତି (୨୦୧୦,୨୦୧୫)। ବର୍ତ୍ତମାନ ରାଷ୍ଟ୍ରପତି ଟ୍ରମ୍ପ ଆସିଲେ। ନେହେରୁ ୧୯୪୯ ମସିହାରେ ଆମେରିକା ଯାଇଥିଲେ ଓ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଭାଷଣ ଦେଇ ବୁଦ୍ଧିଜୀବୀମାନଙ୍କୁ ମୁଗ୍ଧ କରିଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କର କୌଶଳ ଅଲଗା। ବୁଦ୍ଧିଜୀବୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ନକରି ସେ ସାଧାରଣ ଜନତା ଓ ସର୍ବୋଚ୍ଚ ଅଧିକାରୀଙ୍କ ସହିତ ସମ୍ପର୍କ ରଖିବାର ଯୋଜନା କରିଛନ୍ତି ଓ ସଫଳ ହୋଇଛନ୍ତି। ବର୍ତ୍ତମାନ ଚୀନ୍‌ ଲାଗି ରହିଛି ଏସିଆ​‌େ​‌ର ନିଜର ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଓ ଭାରତକୁ ପ୍ରତିବନ୍ଧକ ଭାବରେ ଦେଖୁଛି ଓ ପାକିସ୍ତାନକୁ ଭାରତ ବିରୁଦ୍ଧରେ ଲଗେଇ ଦେଇଛି। ଏଇ ପରିପ୍ରେକ୍ଷୀରେ ଟ୍ରମ୍ପଙ୍କୁ ଭାରତ ନିମନ୍ତ୍ରଣ କରିବା ଓ ଆଇଜେନ୍‌ ହାୱାରଙ୍କ ଠାରୁ ବେଶୀ ଭଲ ସମ୍ବର୍ଦ୍ଧନା ଦେବାର ତାତ୍ପର୍ଯ୍ୟ ଅଛି। ଦିଲ୍ଲୀକୁ ନ ଆସି ଟ୍ରମ୍ପ ସିଧା ଆସିଲେ ଅହମ୍ମଦାବାଦ। ସେଇଠୁ ଗଲେ ସାବରମତି ଆଶ୍ରମ ଓ ସାବରମତି ଆଶ୍ରମରୁ ଗଲେ ମୋଟେରା ଷ୍ଟାଡିୟମ୍‌। ୨୩ କି.ମି ଯାତ୍ରା ସମୟରେ ରାସ୍ତାର ଉଭୟ କଡ଼ରେ ଲକ୍ଷଲକ୍ଷ ଲୋକ ତାଙ୍କୁ ସମ୍ବର୍ଦ୍ଧନା ଦେଲେ ଓ ଷ୍ଟାଡିୟମ୍‌ର ଲକ୍ଷାଧିକ ଲୋକ ତାଙ୍କୁ ସମ୍ମାନ ଦେଖେଇଲେ। ଏତେ ସମ୍ମାନ ସେ କେବେ ପାଇନାହାନ୍ତି ବୋଲି ଟ୍ରମ୍ପ କହିଲେ। ତା’ପରେ ସେ ଦିଲ୍ଲୀ ଆସିଲେ ସେଠାରେ ମଧ୍ୟ ଭବ୍ୟ ସମ୍ବର୍ଦ୍ଧନା ପାଇଲେ। ମୋଦୀଙ୍କ ସଙ୍ଗେ ଆଲୋଚନା କଲେ, ତିନୋଟି ଅତ୍ୟାବଶ୍ୟକ ବିଷୟରେ ରାଜିନାମା ଦସ୍ତଖତ ହେଲା। ଭାରତ ସରକାର, ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତୀୟଙ୍କୁ ଅଶେଷ ଧନ୍ୟବାଦ ଦେଇ ଟ୍ରମ୍ପ ଫେରିଲେ।
ନିଃସନ୍ଦେହରେ କୁହାଯିବ ଯେ ଭାରତ ଆମେରିକା ମଧ୍ୟରେ ସମ୍ପର୍କ ଆଗେଇଲା। ଆମେ ଖୁସିହେବା କଥା, କିନ୍ତୁ ସେ ଆସିବା ପୂର୍ବରୁ ରାଜନୀତିକରଣ ଚାଲିଲା। କୁଣିଆଙ୍କୁ ଚର୍ଚ୍ଚା କରିବାକୁ ହେଲେ ଖର୍ଚ୍ଚ କରିବାକୁ ପଡ଼େ। ଭଲ ଚର୍ଚ୍ଚା ହେଲେ ଭଲ ଖର୍ଚ୍ଚ ହୁଏ। ଏଇଟା ସମସ୍ତେ ଜାଣନ୍ତି।’ କିନ୍ତୁ ବାଲାକୋଟ୍‌ ଘଟଣା ପରେ ଆମ ଦେଶରେ କେତେ ଜଣ ହିସାବ-ଆଦାୟକାରୀ ବାହାରିଛନ୍ତି ଟ୍ରମ୍ପଙ୍କ ପାଇଁ କେତେ ଖର୍ଚ୍ଚ ହୋଇଛି ସେ ବିଷୟରେ ପଚରାଯାଉଛି। ଟ୍ରମ୍ପ କହିଥିଲେ ୫୦ ରୁ ୬୦ ଲକ୍ଷ ଲୋକ ହେବେ; କିନ୍ତୁ ପ୍ରକୃତରେ କେତେ ଲୋକ ହେଲେ, ସେ ମଧ୍ୟ ଗୋଟିଏ ପ୍ରଶ୍ନ। ଭାରତର କେତେ ଲାଭ ହେଲା ଏ ଆଉ ଏକ ପ୍ରଶ୍ନ। ତା’ ସାଙ୍ଗକୁ ବିଭିନ୍ନ କଳ୍ପନାଜଳ୍ପନା, ଯଥା ଟ୍ରମ୍ପ କାଶ୍ମୀର ସମସ୍ୟା ଓ ନାଗରିକ ଆଇନ୍‌ ଇତ୍ୟାଦି ବିଷୟରେ ଆଲୋଚନା କରିବେ କି? ସେତିକିରେ ସନ୍ତୁଷ୍ଟ ନ ହୋଇ ଦିଲ୍ଲୀରେ କେତୋଟି ଜାଗାରେ ଲୋକମାନଙ୍କୁ ଉତ୍ତେଜିତ କରି ହିଂସାକାଣ୍ଡ ଘଟାଯାଇଛି ଏବଂ ଏହା ସାଂପ୍ରଦାୟିକ ରୂପ​‌ ନେଇଛି। ଟ୍ରମ୍ପଙ୍କୁ ଏକ ଅପ୍ରସ୍ତୁତ ପରିସ୍ଥିତିରେ ପକାଇବାର ଏହା ଏକ ସୁପରିକଳ୍ପିତ ଯୋଜନା। ଦେଖିବା କଥା ଯେ ନାଗରିକ ଆଇନ୍‌ ବିରୁଦ୍ଧରେ ଦିଲ୍ଲୀର ବସ୍ତିଅଞ୍ଚଳ ଛଡ଼ା ଅନ୍ୟ କେଉଁଠି କାହିଁକି ହୋଇନାହିଁ। ବୁଦ୍ଧିଜୀବୀ ମହଲରେ ଏ ବିଷୟରେ ଭିନ୍ନମତ ପ୍ରକାଶ ପାଇଛି। କେହିକେହି କହୁଛନ୍ତି ଯେ ଏ ଗସ୍ତରେ ଆଡ଼ମ୍ବର ବହୁତ, କିନ୍ତୁ ଦେଶର ଉପକାର କିଛି ହେଲାନି। ମୋଦୀ ନିଜର ଭାବମୂର୍ତ୍ତି ବଢ଼ାଇବାରେ ଲାଗିଛନ୍ତି ଓ ସାନି ପଦଚ୍ୟୁତ ହେବାର ଯୋଜନାରୁ ବର୍ତ୍ତି ଯାଇଥିବା ଟ୍ରମ୍ପ ନିଜର ଆତ୍ମବିଶ୍ବାସ ଫେରିପାଇବା ପାଇଁ ଚେଷ୍ଟା କରି ସଫଳ ହୋଇଛନ୍ତି। ଏଭଳି ସମ୍ବର୍ଦ୍ଧନା ନିକଟ ଅତୀତରେ କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ଦିଆଯାଇ ନାହିଁ ବୋଲି ସେ କହିବେ। ସ୍ମରଣ କରାଯାଇପାରେ ଯେ, ୧୯୫୫ ମସିହାରେ ରୁଷିଆର କମ୍ୟୁନିଷ୍ଟ ଦଳର ସେକ୍ରେଟେରୀ ଓ ପ୍ରଧାନମନ୍ତ୍ରୀ (କୁଶ୍ଚେଭ ଓ ବୁଲ୍‌ଗାନିନ୍‌) ଭାରତ ଗସ୍ତରେ ଆସିଥିଲେ। ବୁଲ୍‌ଗାନିନ୍‌ ଓ କୁଶ୍ଚେଭ କେବଳ ଦିଲ୍ଲୀ ଆସିନଥିଲେ, ସେମାନେ ଦେଶର ବିଭିନ୍ନ ସ୍ଥାନକୁ ଗଲେ। କଲିକତା ମୈଦାନ ପଡ଼ିଆରେ ଯେମିତି ସମାବେଶ ହେଲା ଅତୀତରେ କିମ୍ବା ପରେ ହୋଇନାହିଁ। କାଶ୍ମୀରରେ ହ୍ରଦର ଚାରିପାଖେ ସର୍ବସାଧାରଣ ଠିଆହୋଇ ତାଳିମାରିଥିଲେ ଓ କୁଶ୍ଚେଭ୍‌ ଘୋଷଣା କରିଥିଲେ ଯେ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଭାରତ ସହିତ ବନ୍ଧୁତା ଓ ପାକିସ୍ତାନ ସହିତ ଶତ୍ରୁତା (କାରଣ ପାକିସ୍ତାନରେ ଆମେରିକାର ଏକ ସାମରିକ ଘାଟି ଥିଲା।) ହେତୁ କୁ​‌ଶ୍ଚେଭ୍‌ ଭାରତ ସହିତ ସମ୍ପର୍କକୁ ବହୁତ ଆଗେଇ ନେଲେ। ରୁଷିଆ ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଓ ଶେଷ ପର୍ଯ୍ୟନ୍ତ ବିଭିନ୍ନ ଘଟଣାରେ ସମର୍ଥନ କରିଆସୁଛି। ହଙ୍ଗେରୀ ଦଖଲ କରିବା ସମୟରେ ଭାରତ ମଧ୍ୟ ରୁଷିଆକୁ ନିରବ ସମର୍ଥନ କରିଥିଲା।
ବର୍ତ୍ତମାନ ଅନୁରୂପ ପରିସ୍ଥିତିରେ ପଡ଼ିଛନ୍ତି ଟ୍ରମ୍ପ। ଚୀନ୍‌ ନିଜର ପ୍ରଭାବ ବିସ୍ତାର କରିବାରେ ଚାଲିଛି। ବିଶ୍ବର ଦ୍ବିତୀୟ ବୃହତ ଅର୍ଥନୀତି ହୋଇସାରି ନିଜର ସାମରିକ ବାହିନୀକୁ ଶକ୍ତିଶାଳୀ କରୁଛି, ପଡ଼ୋଶୀ ରାଜ୍ୟକୁ ଭୟଭୀତ କରୁଛି ଓ ଭାରତ-ପ୍ରଶାନ୍ତ ସାଗରରେ ନିଜର ମାଲିକାନା ଜାହିର କରୁଛି। ତାଇୱାନ୍‌, ଫିଲ୍‌ପାଇନ୍ସ, ଜାପାନ୍‌, ଭିଏତ୍‌ନାମ, ଥାଇଲାଣ୍ଡ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଇତ୍ୟାଦି ଦେଶଗୁଡ଼ିକ ଏ ବିଷୟରେ ସତର୍କ ରହିଲେଣି। ଆମେରିକାର ପ୍ରରୋଚନାରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏ ସଂକ୍ରାନ୍ତରେ ନିଜ ମଧ୍ୟରେ ବେଶ୍‌ ବୁଝାମଣା ରକ୍ଷା କରିଛନ୍ତି ଓ ଦରକାର ପଡ଼ିଲେ ପରସ୍ପରକୁ ସାହାଯ୍ୟ କରିପାରନ୍ତି। ସମୟ ଥିଲା ଯେ ଆମେରିକାର ୟେଲ୍‌ ବିଶ୍ବବିଦ୍ୟାଳୟରେ ଅନେକ ଚୀନ୍‌ ଛାତ୍ର ପାଠ ପଢ଼ିଛନ୍ତି ଓ ଚୀନ୍‌ରେ ୟେଲ୍‌ ଗ୍ରୁପ୍‌ ମଧ୍ୟ ପ୍ରତିଷ୍ଠା ହୋଇଥିଲା। ଚୀନ୍‌ର ନେତା ମାଓ ସେ ତୁଙ୍ଗ୍‌ ୟେଲ୍‌ ବିଶ୍ବବିଦ୍ୟାଳୟର ଛାତ୍ର। ତେଣୁ ଆମେରିକାରେ ଚୀନ୍‌ର ପ୍ରଭାବ ବେଶ୍‌ ଭଲ ଥିଲା, କିନ୍ତୁ କମ୍ୟୁନିଷ୍ଟ ହୋଇଯିବା ପରେ ଚୀନ୍‌ ଆମେରିକା ମଧ୍ୟରେ ଶତ୍ରୁତା ହେଲା। ଆମେରିକା ବରଂ ଏକଚ୍ଛତ୍ରବାଦୀ (ଇରାନ୍‌ର ସାହା ଇତ୍ୟାଦି) ମୌଳବାଦୀ ମୁସଲମାନ ଦେଶ (ସାଉଦିଆରବ ପ୍ରଭୃତି) ସାଙ୍ଗେ ବନ୍ଧୁତା କଲା, କିନ୍ତୁ କମ୍ୟୁନିଷ୍ଟ ଦେଶମାନଙ୍କ ସହିତ ସମ୍ପର୍କ ଯୋଡ଼ିପାରିଲା ନାହିଁ। ୧୯୭୦ ମସିହାରେ ପାକିସ୍ତାନର ମଧ୍ୟସ୍ଥି ଯୋଗୁଁ ଚୀନ୍‌ ସହିତ ଆମେରିକାର ବନ୍ଧୁତା ହେଲା ଓ ଏହା କିଛି ପରିମାଣରେ ଭାରତ ବିରୁଦ୍ଧରେ ଉଦ୍ଦିଷ୍ଟ ଥିଲା। ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଆମେରିକା ଓ ଇଂଲଣ୍ଡ ସେମାନଙ୍କର ଯୁଦ୍ଧ ଜାହାଜ (ଆମେରିକାର ସପ୍ତମ ଜାହାଜ ବାହିନୀ) ପଠେଇଥିଲେ, କିନ୍ତୁ ରୁଷିଆ ବାଧା ଦେବାରୁ ସେମାନେ ଫେରିଗଲେ। ରୁଷିଆ ଚୀନ୍‌କୁ ପ୍ରଛନ୍ନ ଧମକ ଦେବାରୁ ଚୀନ୍‌ ଭାରତ ବିରୁଦ୍ଧରେ ରଣ ହୁଙ୍କାର ଦେଲା, କିନ୍ତୁ ପାକିସ୍ତାନ ସାହାଯ୍ୟ ଦେଇ ପାରିଲା ନାହିଁ। ବର୍ତ୍ତମାନ ସମ୍ପର୍କର ପଟ୍ଟ ପରିବର୍ତ୍ତନ ହେଲାଣି। ରୁଷିଆକୁ ପ୍ରଧାନ ଶତ୍ରୁ ମନେ କରି ଚୀନ୍‌କୁ କରାଯାଉଛି ଓ ଚୀନ୍‌ର ପ୍ରଭାବ ବିସ୍ତାର ବିରୁଦ୍ଧରେ ଭାରତକୁ ଏବେ ବାଡ଼ ଭାବେ ବ୍ୟବହାର କରିବା ଆବଶ୍ୟକ ପଡ଼ୁଛି। ଭାରତ ମଧ୍ୟ ଏଭଳି ବନ୍ଧୁତା ଚାହୁଁଛି। କାରଣ ଚୀନ୍‌ର ଇତିହାସ ହେଉଛି ଗୋଟିଏ ହାତରେ ବ୍ୟବସାୟ କରିବା ଓ ଅନ୍ୟ ହାତରେ ଲଢ଼େଇ କରିବା। ନିଜକୁ କଳା, ବିଜ୍ଞାନ ଓ ସଂସ୍କୃତିରେ ଶ୍ରେଷ୍ଠ ମନେ କରି ଅନ୍ୟମାନଙ୍କୁ ନ୍ୟୂନ ଦୃଷ୍ଟିରେ ଦେଖିବା ହେଉଛି ଚୀନ୍‌ର ପୁରୁଣା ଅଭ୍ୟାସ। ଅଫିମ ଯୁଦ୍ଧ (୧୮୩୯ ରୁ ୧୮୬୨) ସମୟରେ ଇଷ୍ଟଇଣ୍ଡିଆ କମ୍ପାନୀ ଓ ଇଂରେଜ ସରକାର ଭାରତର ସୈନ୍ୟମାନଙ୍କୁ ବ୍ୟବହାର କରିଥିବାରୁ ଓ ଇଂରେଜ ସେନାପତିମାନଙ୍କ ନିର୍ଦେଶରେ ସେମାନେ ଅତ୍ୟାଚାର କରିଥିବାରୁ ଚୀନ୍‌ ଭରତୀୟମାନଙ୍କୁ ଦୋଷ ଦେଉଛି। କାରଣ ଚୀନ୍‌ର ପାଠ୍ୟପୁସ୍ତକରେ ଏସବୁ ଲେଖାଯାଇଛି।
ଆମର ରୁଷିଆ ସାଙ୍ଗେ ସମ୍ପର୍କ ସରକା-ସରକାର ମଧ୍ୟରେ ସୀମିତ ଥିଲା। ଆମେରିକା ସହିତ ସମ୍ପର୍କ ଭିନ୍ନ ପ୍ରକାର। ଏହା ଉଭୟ ସରକାର-ସରକାର, ସରକାର ଓ ସର୍ବସାଧାରଣଙ୍କ ମଧ୍ୟରେ। ବହୁ ଭାରତୀୟ ଆମେରିକାରେ ଅଛନ୍ତି ଓ କୌଣସି ସମସ୍ୟା ସୃଷ୍ଟି କରୁନାହାନ୍ତି। ଜଣେ ଭାରତୀୟ ଆମେରିକାକୁ ଗଲେ ନିଜକୁ ଅସହାୟ ମନେକରେନି, କିନ୍ତୁ ଚୀନ୍‌ ଗଲେ ହୁଏ। ଆମେ ଭାବପ୍ରବଣତାରେ ଭାସିଯାଇ ହୁଏନ୍‌ସାଂ, ଫାହିୟାନ୍‌ ଚୀନକୁ ବୌଦ୍ଧ ଧର୍ମ ଯିବା ଇତ୍ୟାଦିକୁ ବୁଜୁଳାରେ ବାନ୍ଧି ରଖିଛୁ ଓ ଭୁଲିଯାଉଛୁ ଯେ ସେକାଳ ପଖାଳ ଗଲାଣି। ତେଣୁ ଆମେରିକା ସଙ୍ଗେ ସମ୍ପର୍କ ବଢ଼େଇବାକୁ ପଡ଼ିବ। ମୋଦୀ ସେଇଆ ହିଁ କରୁଛନ୍ତି। ଏ କଥାଟାକୁ ଦେଶର ହିତ ହେଉଛି ସେ ଦୃଷ୍ଟିରେ ନ ଦେଖି କାହାକୁ ରାଷ୍ଟ୍ରପତିଙ୍କ ଭୋଜିକୁ କାହିଁକି ନିମନ୍ତ୍ରଣ କରାଗଲାନାହିଁ, କେତେ ଟଙ୍କା ଖର୍ଚ୍ଚ ହେଲା, କେତେ ଲୋକ ସମ୍ବର୍ଦ୍ଧନା କଲେ ଏସବୁ ବିଷୟରେ ଚର୍ଚ୍ଚାରେ ଅନେକ ମାତିଛନ୍ତି। କେତେ ଦୂର ଲାଭବାନ ହେବେ କେଜାଣି ?

ବିପିନବିହାରୀ ମିଶ୍ର

bbmbipinbihari@gmail.com

Comments are closed.