୩ୟ ରାଉଣ୍ଡରେ ଫେଡେରର ଓ କର୍ବର

0

ନ୍ୟୁୟର୍କ : ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ଖେଳାଯାଇଥିବା ପୁରୁଷ ଓ ମହିଳା ସିଙ୍ଗଲ୍‍ସ ଇଭେଣ୍ଟରେ ଏକାଧିକ ବିପର୍ଯ୍ୟୟ ଘଟିଥିବାବେଳେ ରୋଜର ଫେଡେରର, ଆଲେକ୍‍ଜାଣ୍ଡାର ଜେରେଭ୍‍, ମାରିନ ସିଲିକ୍‍, ଆଞ୍ଜେଲିକ କର୍ବର, ପେଟ୍ରା କ୍ୱିଟୋଭା ଓ କ୍ୟାରୋଲିନ ଗାର୍ସିଆଙ୍କ ଭଳି ସିଡେଡ୍‍ ଖେଳାଳି ଦ୍ୱିତୀୟ ରାଉଣ୍ଡରେ ବିଜୟୀ ହୋଇଛନ୍ତି।
ଗୁରୁବାର ପୁରୁଷ ସିଙ୍ଗଲ୍‍ସ ଦ୍ୱିତୀୟ ରାଉଣ୍ଡରେ ୨ୟ ସିଡ୍‍ ସ୍ୱିଜରଲାଣ୍ଡର ରୋଜର ଫେଡେରର ୭-୫, ୬-୪, ୬-୪ ସେଟ୍‍ରେ ଫ୍ରାନ୍ସର ବେନୋ ପେୟାରଙ୍କୁ ପରାସ୍ତ କରିଥିବାବେଳେ ୪ର୍ଥ ସିଡ୍‍ ଜର୍ମାନୀର ଆଲେକ୍‍ଜାଣ୍ଡାର ଜେରେଭ୍‍ ୬-୪, ୬-୪, ୬-୨ ସେଟରେ ଫ୍ରାନ୍ସର ନିକୋଲାସ ମାହୁତଙ୍କୁ, ୬ଷ୍ଠ ସିଡ୍‍ ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ୬-୧, ୬-୩, ୬-୭, ୬-୨ ସେଟ୍‍ରେ ଆମେରିକାର ଟେନିଜ୍‍ ସାଣ୍ଡ୍‍ଗ୍ରେନ୍‍ଙ୍କୁ, ୭ମ ସିଡ୍‍ କାନାଡାର ମିଲୋସ ରାଓନିକ୍‍ ୬-୨, ୬-୦, ୬-୦ ସେଟ୍‍ରେ ପୋଲାଣ୍ଡର ହବର୍ଟ ହର୍କାଜ୍‍ଙ୍କୁ, ୧୦ମ ସିଡ୍‍ ବେଲଜିୟମର ଡେଭିଡ ଗୋଫିନ ୬-୨, ୬-୭, ୬-୩, ୬-୨ ସେଟ୍‍ରେ ହଲାଣ୍ଡର ରବିନ ହାସ୍‍ଙ୍କୁ, ୧୧ଶ ସିଡ୍‍ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ୱାର୍ଜମ୍ୟାନ ୬-୨, ୬-୦, ୫-୭, ୬-୨ ସେଟ୍‍ରେ ସ୍ପେନର ଜଉମି ମୁନାରଙ୍କୁ, ୧୭ଶ ସିଡ୍‍ ଫ୍ରାନ୍ସର ଲୁକାସ ପୌଲି ୬-୭, ୬-୪, ୬-୪, ୬-୩ ସେଟ୍‍ରେ ସାଇପ୍ରସର ମାର୍କସ ବାଗଦାତିସଙ୍କୁ, ୨୧ଶ ସିଡ୍‍ ଜାପାନର କେଇ ନିଶିକୋରି ୬-୨, ୫-୪ ସେଟ୍‍ରେ ଫ୍ରାନ୍ସର ଗାଏଲ ମନ୍‍ଫିଲ୍‍ସଙ୍କୁ (ଆହତ ହୋଇ ମ୍ୟାଚରୁ ଓହରିଛନ୍ତି) ଓ ୩୦ଶ ସିଡ୍‍ ଅଷ୍ଟ୍ରେଲିଆର ନିକ୍‍ କିର୍ଗିଓସ ୪-୬, ୭-୬, ୬-୩, ୬-୦ ସେଟ୍‍ରେ ଫ୍ରାନ୍ସର ପିଏରେ-ହ୍ୟୁଜ୍‍ ହବର୍ଟଙ୍କୁ ପରାସ୍ତ କରି ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ତେବେ ପୁରୁଷ ୨ୟ ରାଉଣ୍ଡରେ ୧୨ଶ ସିଡ୍‍ ସ୍ପେନର ପାବ୍‍ଲୋ କାରେନୋ ବୁଷ୍ଟା ଓ ୧୪ଶ ସିଡ୍‍ ଇଟାଲୀର ଫାବିଓ ଫୋଗ୍‍ନିନିଙ୍କୁ ନିରାଶ ହେବାକୁ ପଡିଛି। ଅଷ୍ଟ୍ରେଲିଆର ଅଣସିଡେଡ୍‍ ଖେଳାଳି ଜନ ମିଲମ୍ୟାନ ୬-୧, ୪-୬, ୬-୪, ୬-୧ ସେଟ୍‍ରେ ଫୋଗ୍‍ନିନିଙ୍କୁ ପରାସ୍ତ କରିଛନ୍ତି। ଅପରପକ୍ଷରେ ୧୨ଶ ସିଡ୍‍ ବୁଷ୍ଟା ଆହତ ହୋଇ ଓହରିଯିବାରୁ ପ୍ରତିପକ୍ଷ ଖେଳାଳି ପର୍ତ୍ତୁଗାଲର ଜୋଆଓ ସୌସା ବିଜେତା ଘୋଷିତ ହୋଇଛନ୍ତି।
ମହିଳା ସିଙ୍ଗଲ୍‍ସ ୨ୟ ରାଉଣ୍ଡରେ ୪ର୍ଥ ସିଡ୍‍ ଜର୍ମାନୀର ଆଞ୍ଜେଲିକ୍‍ କର୍ବର ୬-୨, ୫-୭, ୬-୪ ସେଟ୍‍ରେ ସ୍ୱିଡେନର ୟୋହାନା ଲାର୍ସନଙ୍କୁ ପରାସ୍ତ କରିଥିବାବେଳେ ୫ମ ସିଡ୍‍ ଚେକ୍‍ ରିପବ୍ଲିକ୍‍ର ପେଟ୍ରା କ୍ୱିଟୋଭା ୭-୫, ୬-୩ ସେଟ୍‍ରେ ଚୀନର ୟିଫାନ୍‍ ୱଙ୍ଗ୍‍ଙ୍କୁ, ୬ଷ୍ଠ ସିଡ୍‍ ଫ୍ରାନ୍ସର କ୍ୟାରୋଲିନ ଗାର୍ସିଆ ୬-୨, ୧-୬, ୬-୪ ସେଟ୍‍ରେ ପ୍ୟୁଟୋରିକୋର ମୋନିକା ପୁଇଗ୍‍ଙ୍କୁ, ୧୦ମ ସିଡ୍‍ ଲାଟ୍‍ଭିଆର ଜେଲିନା ଓସ୍ତାପେଙ୍କୋ ୪-୬, ୬-୩, ୬-୪ ସେଟ୍‍ରେ ଆମେରିକାର ଟେଲର ଟାଉନସେଣ୍ଡ୍‍ଙ୍କୁ, ୧୩ଶ ସିଡ୍‍ ନେଦରଲାଣ୍ଡ୍‍ସର କିକି ବର୍ଟନ୍‍ସ ୬-୨, ୬-୧ ସେଟ୍‍ରେ ଆମେରିକାର ଫ୍ରାନ୍‍ସେସେ୍‍କା ଡି ଲୋରେଞ୍ଜୋଙ୍କୁ, ୧୪ଶ ସିଡ୍‍ ଆମେରିକାର ମାଡିସନ କେୟିସ ୬-୪, ୬-୧ ସେଟ୍‍ରେ ସ୍ୱଦେଶର ବର୍ନାଡା ପେରାଙ୍କୁ, ୨୨ଶ ସିଡ୍‍ ରୁଷର ମାରିଆ ସାରାପୋଭା ୬-୨, ୭-୫ ସେଟ୍‍ରେ ଆମେରିକାର ସୋରାନା କ୍ରିଷ୍ଟିଙ୍କୁ, ୨୬ଶ ସିଡ୍‍ ବେଲାରୁଷର ଆରିନା ସାବାଲେଙ୍କା ୬-୩, ୭-୬ ସେଟ୍‍ରେ ରୁଷର ଭେରା ଜୋନାରେଭାଙ୍କୁ, ୨୯ଶ ସିଡ୍‍ ସ୍ଲୋଭାକିଆର ଡୋମିନିକା ସିବୁଲକୋଭା ୭-୬, ୪-୬, ୬-୪ ସେଟ୍‍ରେ ଚାଇନିଜ ତାଇପେର ସୁଆଇ ସିଏଙ୍କୁ ଓ ୩୦ଶ ସିଡ୍‍ ସ୍ପେନର କାର୍ଲା ସ୍ୱାରେଜ ନାଭାରୋ ୬-୧, ୪-୬, ୬-୪ ସେଟ୍‍ରେ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିକ୍‍ଙ୍କୁ ହରାଇ ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।
ଅପରପକ୍ଷରେ ମହିଳା ସିଙ୍ଗଲ୍‍ସ ୨ୟ ରାଉଣ୍ଡରେ ୟୁକ୍ରେନର ଲେସିଆ ସ୍ୟୁରେଙ୍କୋ ୬-୪, ୬-୨ ସେଟ୍‍ରେ ୨ୟ ସିଡ୍‍ ମାନ୍ୟତାପ୍ରାପ୍ତ ଡେନମାର୍କର କ୍ୟାରୋଲିନ ୱଜ୍‍ନିଆକିଙ୍କୁ ଓ ବେଲାରୁଷର ଆଲେକ୍‍ଜାଣ୍ଡ୍ରା ସାସ୍‍ନୋଭିଚ୍‍ ୬-୨, ୭-୬ ସେଟ୍‍ରେ ୧୧ଶ ସିଡ୍‍ ରୁଷର ଡାରିଆ କାସାତ୍‍କିନାଙ୍କୁ ପରାସ୍ତ କରିଛନ୍ତି।

Leave A Reply