ୟୁଏସ୍ ଓପନ୍‌ : ରାଡୁକାନୁଙ୍କ ଐତିହାସିକ ବିଜୟ

ନ୍ୟୁୟର୍କ : ମାତ୍ର ୧୮ ବର୍ଷ ବୟସରେ; ପୁଣି ଜଣେ ଯୋଗ୍ୟତା ହାସଲକାରୀ ଖେଳାଳି ଭାବେ ବ୍ରିଟେନ୍‌ର ଏମ୍ମା ରାଡୁକାନୁ ଗ୍ରାଣ୍ଡସ୍ଲାମ୍ ଟେନିସ୍‌ ଚମ୍ପିଆନ୍‌ସିପ ୟୁଏସ୍ ଓପନ୍‌ ଜିତି ପାରିଛନ୍ତି। ଏପରି କୃତିତ୍ବ ସହ ଟେନିସ ଦୁନିଆରେ ନୂତନ ଇତିହାସ ରଚନା କରିଛନ୍ତି ରାଡୁକାନୁ। ବିଶ୍ବର ୧୫୦ନଂ ମହିଳା ସିଙ୍ଗଲ୍‌ସ ଖେଳାଳି ୟୁଏସ୍ ଓପନ୍‌ ଚମ୍ପିଆନ୍ ହେବା ସମସ୍ତଙ୍କୁ ଚକିତ କରିଛି। ଶନିବାର ରାତିରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ରାଡୁକାନୁ ୬-୪, ୬-୩ ସେଟ୍‌ରେ କାନାଡ଼ାର ୧୯ ବର୍ଷ ବୟସ୍କା ଲୈଲା ଫର୍ଣ୍ଣା​‌େ​‌ଣ୍ଡଜ୍‌ଙ୍କୁ ପରାସ୍ତ କରିଛନ୍ତି। ଫଳରେ ୪୪ ବର୍ଷ ପରେ ବ୍ରିଟିଶ୍‌ ଖେଳାଳି ଭାବେ ରାଡୁକାନୁ ଏକ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଜିତି ପାରିଛନ୍ତି। ୧୯୭୭ରେ ବ୍ରିଟେନ୍‌ର ଭର୍ଜିନିଆ ୱେଡ୍‌ ୱିମ୍ବଲଡନ୍‌ରେ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛନ୍ତି। ପୁଣି ଦୀର୍ଘ ୫୩ ବର୍ଷ ପରେ ବ୍ରିଟିଶ୍‌ ଖେଳାଳି ଭାବେ ରାଡୁକାନୁ ୟୁଏସ୍‌ ଓପନ୍‌ ଜିତିଛନ୍ତି। ୧୯୬୮ରେ ଭର୍ଜିନିଆ ୱେଡ୍‌ ୟୁଏସ୍‌ ଓପନ୍‌ ଜିତିଥିଲେ।
ପ୍ରଥମ ଗେମ୍‌ରେ ରାଡୁକାନୁ ଜିତିବା ପରେ ୨ୟ ଗେମ୍‌ରେ ଫର୍ଣ୍ଣାଣ୍ଡେଜ୍ ଲଢ଼ୁଆ ପ୍ରଦର୍ଶନ କରି ୨-୧ରେ ଆଗୁଆ ହୋଇଥିଲେ। ଏହାପରେ ରାଡୁକାନୁ ଆଗୁଆ ହୋଇ ଯାଇଥିଲେ। ଏହି ବିଜୟ ସହ ଟେନିସ୍ ଦୁନିଆରେ ଏମ୍ମା ରାଡୁକାନୁ ନାମ୍ନୀ ତାରକାଙ୍କ ଆବିର୍ଭାବ ଘଟିଛି। ଯୋଗ୍ୟତା ପର୍ଯ୍ୟାୟରେ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ମଧ୍ୟ ସେଟ୍‌ ନ ହରାଇ ରାଡୁକାନୁ ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ। ଏଥିରେ ମଧ୍ୟ ରାଡୁକାନୁ ୭ଟି ମ୍ୟାଚ୍‌ ଖେଳି ଗୋଟିଏ ସେଟ୍‌ ମଧ୍ୟ ହାରିନାହାନ୍ତି। ପୂର୍ବରୁ କୌଣସି ଯୋଗ୍ୟତା ହାସଲକାରୀ ଖେଳାଳି ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ୍ ଜିତି ପାରିନଥିଲେ। ଏହି ବିଜୟ ସହ ରାଡୁକାନୁ ୨.୫ ନିୟୁତ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ୨୫.୫ କୋଟି ଟଙ୍କା ପୁରସ୍କାର ପାଇଛନ୍ତି। ଅନ୍ୟପକ୍ଷରେ ୧୯ ବର୍ଷ ବୟସ୍କା ଲୈଲା ଫର୍ଣ୍ଣା​‌େ​‌ଣ୍ଡଜ୍‌ଙ୍କ କୃତିତ୍ବ ମଧ୍ୟ କମ୍ ନଥିଲା। ଅଣସିଡେଡ୍‌ ଖେଳାଳି ଭାବେ ଏହି ଟୁର୍ଣ୍ଣାମେଣ୍ଟ ଖେଳିଥିବା ଫର୍ଣ୍ଣାଣ୍ଡେଜ୍ ଫାଇନାଲରେ ପହଞ୍ଚିବା ବାଟରେ ଗତଥରର ଚମ୍ପିଆନ୍ ଜାପାନର ନାଓମି ଓସାକା, ୨ୟ ସିଡ୍‌ ଆରିନା ସାବାଲେଙ୍କା, ୫ମ ସିଡ୍‌ ଏଲିନା ଶ୍ବିତୋଲିନା ଓ ୩ଟି ଗ୍ରାଣ୍ଡସ୍ଲାମ୍ ଜିତିଥିବା ଆଞ୍ଜେଲିକ୍‌ କର୍ବରଙ୍କୁ ପରାସ୍ତ କରିଛନ୍ତି। ରାଡୁକାନୁ ମଧ୍ୟ ୧୧ଶ ସିଡ୍‌ ବେଲିଣ୍ଡା ବେନ୍‌ସିଚ୍ ଓ ୧୭ନଂ ସିଡ୍‌ ମାରିଆ ସାକାରିଙ୍କୁ ପରାସ୍ତ କରିଥିଲେ। ୧୯୯୯ ପରଠାରୁ ସର୍ବକନିଷ୍ଠା ଖେଳାଳି ଭାବେ ରାଡୁକାନୁ ୟୁଏସ୍‌ ଓପନ୍‌ ଜିତିଛନ୍ତି। ୧୯୯୯ ୟୁଏସ୍‌ ଓପନ୍‌ ଫାଇନାଲରେ ୧୭ ବର୍ଷ ବୟସ୍କା ଆମେରିକାର ସେରେନା ୱିଲିୟମ୍‌ସ ୧୮ ବର୍ଷ ବୟସ୍କା ସ୍ବିଜରଲାଣ୍ଡର ମାର୍ଟିନା ହିଙ୍ଗିସ୍‌ଙ୍କୁ ପରାସ୍ତ କରିଥିଲେ। ଚଳିତବର୍ଷ ଆରମ୍ଭରେ ଏମ୍ମା ରାଡୁକାନୁ ବିଶ୍ବ ମାନ୍ୟତାରେ ୩୩୮ତମ ସ୍ଥାନରେ ଥିଲେ ହେଁ ତାଙ୍କୁ ୱିମ୍ବଲଡନ୍‌ ମହିଳା ସିଙ୍ଗଲ୍‌ସ ପାଇଁ ୱାଇଲ୍‌ଡ କାର୍ଡ ମିଳିଥିଲା। ଏଥିରେ ଭଲ ପ୍ରଦର୍ଶନ କରି ରାଡୁକାନୁ ୪ର୍ଥ ରାଉଣ୍ଡରେ ​‌େ​‌ଖଳିଥିଲେ। ଫଳରେ ତାଙ୍କ ବିଶ୍ବ ମାନ୍ୟତା ୧୫୦ନଂରେ ପହଞ୍ଚିଥିଲା। ରାଡୁକାନୁଙ୍କ ପିତା ରୋମାନିଆର ଓ ମାତା କାନାଡ଼ାର ଥିବା ବେଳେ ସେ କାନାଡ଼ାର ଟରୋଣ୍ଟୋରେ ଜନ୍ମଗ୍ରହଣ କରିଥିଲେ। ପରେ ତାଙ୍କ ପରିବାର ଇଂଲଣ୍ଡ ଚାଲି ଆସିଥିଲେ। ୨୦୧୮ରେ ରାଡୁକାନୁ ପେସାଦାର ଖେଳାଳି ପାଲଟିଥିଲେ।

Comments are closed.