ଆଫଗାନିସ୍ତାନକୁ ଆମେରିକାର ଶାନ୍ତି ପ୍ରସ୍ତାବ

କାବୁଲ: ଶାନ୍ତି କଥାବାର୍ତ୍ତା ନିମନ୍ତେ ଆଫଗାନିସ୍ତାନକୁ ଏକ ଚିଠା ପ୍ରସ୍ତାବ ଦେଇଛି ଆମେରିକା। ୮ପୃଷ୍ଠାର ଏହି ଚିଠା ବୁଝାମଣା ଉପରେ ସମୀକ୍ଷା କରିବା ଲାଗି ଆଫଗାନିସ୍ତାନକୁ ଆମେରିକା କହିଛି। ଶାନ୍ତି କଥାବାର୍ତ୍ତା ନିମନ୍ତେ ଆଫଗାନିସ୍ତାନ ସାଂସଦ ଫଜିଆ କୁଫି ମଧ୍ୟସ୍ଥ ଭୂମିକା ତୁଲାଇ ଆସୁଛନ୍ତି। ନିକଟରେ ଆତଙ୍କବାଦୀମାନେ କୁଫିଙ୍କୁ ହତ୍ୟା ଧମକ ଦେଇଥିଲେ। ଗଣମାଧ୍ୟମର ହସ୍ତଗତ ହୋଇଥିବା ଏହି ଚିଠା ପ୍ରସ୍ତାବରେ ଅସ୍ତ୍ରବିରତି, ମହିଳା, ଶିଶୁ ଓ ସଂଖ୍ୟାଲଘୁଙ୍କ ମାନବାଧିକାର ସୁରକ୍ଷା ଓ ଆଫଗାନିସ୍ତାନ ପୁନର୍ଗଠନ ଉପରେ ଗୁରୁତ୍ବ ଦିଆଯାଇଛି। ଚିଠା ପ୍ରସ୍ତାବ ପଠାଯିବା ସମ୍ପର୍କରେ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ନେଡ ପ୍ରାଇସ୍ ସ୍ପଷ୍ଟ କରିଛନ୍ତି। ଉଭୟ ଆଫଗାନିସ୍ତାନ ସରକାର ଓ ତାଲିବାନଙ୍କୁ ଏହି ଚିଠା ପ୍ରସ୍ତାବ ଦିଆଯାଇଛି।

ଚିଠା ପ୍ରସ୍ତାବ ଉପରେ ତାଙ୍କ ସଂଗଠନ ସମୀକ୍ଷା କରୁଥିବା ବିଷୟ ତାଲିବାନ ମୁଖପାତ୍ର ମହମ୍ମଦ ନଇମ୍ କହିଛନ୍ତି। ତେବେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ ଘନି ଏହି ପ୍ରସ୍ତାବ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନ କହିଛନ୍ତି ଯେ ଆଫଗାନିସ୍ତାନର ଶାନ୍ତି ଓ ବିକାଶ ଆମର ମୂଳ ଲକ୍ଷ୍ୟ। ତେବେ ଏହି କାର୍ଯ୍ୟକୁ ଘନି ପ୍ରତିରୋଧ କରୁଛନ୍ତି। କାରଣ ନିକଟରେ ଘନି କହିଥିଲେ ଯେ ସେ ବଞ୍ଚିଥିବା ପର୍ଯ୍ୟନ୍ତ ଦେଶରେ କୌଣସି ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରତିଷ୍ଠା ହୋଇପାରିବ ନାହିଁ। ଅନ୍ୟପଟେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପାଇଁ ମେ ୧ ଚୂଡାନ୍ତ ତାରିଖ ଧାର୍ଯ୍ୟ କରାଯାଇଛି। ସେହିପରି ଆଫଗାନିସ୍ତାନର ଜାତୀୟ ସୁରକ୍ଷା ବାହିନୀ ଗଠନ ନିମନ୍ତେ ଆମେରିକା ୪୦୦ କୋଟି ଡଲାର ଦେବାକୁ ଘୋଷଣା କରିଛି।

Comments are closed.