ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସପକ୍ଷରେ ଆମେରିକା-ଭାରତ ସାମରିକ ସହଭାଗିତା

ୱାଶିଂଟନ: ଆମେରିକା ଓ ଭାରତ ମଧ୍ୟରେ ବୃହତ ପ୍ରତିରକ୍ଷା ସହଭାଗିତା ଅଧୀନରେ ଏକ ମଜଭୁତ ସାମରିକ ବାହିନୀରୁ ସାମରିକ ବାହିନୀ ସମ୍ପର୍କ ରହିଛି ଏବଂ ଏହା ଏକ ଅବାଧ ତଥା ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସପକ୍ଷରେ ରହିଛି । ଦୁଇଦେଶ ଏ ଦିଗରେ ସମ୍ମିଳିତ ଭାବରେ ପ୍ରୟାସ ଜାରି ରଖିବେ ବୋଲି ପ୍ରକାଶିତ ଏକ ବିବୃତିରେ କୁହାଯାଇଛି । ସୂଚନାଯୋଗ୍ୟ ଯେ ଭାରତର ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଏଠାରେ ଗୁରୁବାର ଦିନ ତାଙ୍କର ଆମେରିକୀୟ ପ୍ରତିପକ୍ଷ ଜେନେରାଲ ମାର୍କ ମିଲିଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ବରିଷ୍ଠ ଅଧିକାରୀ ବିବିଧ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସେଥିମଧ୍ୟରେ ଆଞ୍ଚଳିକ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ନିଜ ନିଜ ଦେଶର ପ୍ରଧାନ ସାମରିକ ପରାମର୍ଶଦାତା ଭାବରେ ବେସାମରିକ ନେତୃବୃନ୍ଦଙ୍କ ପ୍ରତି ସେମାନଙ୍କର ଭୂମିକା କଣ ରହିବ ସେହି ବିଷୟ ମଧ୍ୟ ସ୍ଥାନ ପାଇଥିଲା । ପେଣ୍ଟାଗନରେ ଅନୁଷ୍ଠିତ ଏହି ଆଲୋଚନା ସମୟରେ ଦୁଇ ପକ୍ଷ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ପରସ୍ପରର ରଣକୌଶଳ ସମ୍ପର୍କରେ ଭାବ ବିନିମୟ ବୃଦ୍ଧି ନିମନ୍ତେ ସୁଯୋଗ ସୃଷ୍ଟି କରିବା ତଥା ସେମାନଙ୍କ ମଧ୍ୟରେ ସହଯୋଗ ଓ ତାଲିମ କାର୍ଯ୍ୟକ୍ରମ ଜାରି ରଖିବାକୁ ଏକମତ ହୋଇଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରିବାର କିଛିଦିନ ବ୍ୟବଧାନରେ ଜେନେରାଲ ବିପିନ ରାୱତ ଉକ୍ତ ରାଷ୍ଟ୍ର ଗସ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୬ ଠାରୁ ଭାରତ ଓ ଅମେରିକା ଚାରିଟି ବୃହତ ସାମରିକ ରାଜିନାମାରେ ସ୍ୱାକ୍ଷର କରିସାରିଛନ୍ତି ।

Comments are closed.