ଚୀନ ସୀମା ଲଙ୍ଘିଲା ଆମେରିକା ଯୁଦ୍ଧବିମାନ

ବେଜିଂ : ଆମେରିକାର ଯୁଦ୍ଧ ବିମାନ ଚୀନର ବାୟୁସୀମା ଲଙ୍ଘନ କରିଛି। ବୁଧବାର ଦକ୍ଷିଣ ଚୀନ ସାଗରରେ ଆମେରିକା ଯୁଦ୍ଧବିମାନ ଅଭ୍ୟାସମୂଳକ ଉଡାଣ କରୁଥିବାବେଳେ ଏହା ଚୀନ ବାୟୁସୀମା ମଧ୍ୟକୁ ପ୍ରବେଶ କରିଥିଲା। ଆମେରିକା ଯୁଦ୍ଧବିମାନର ଏହି ସୀମା ଲଙ୍ଘନକୁ ନେଇ ଦୁଇ ଦେଶ ମଧ୍ୟରେ ସାମରିକ ଉତ୍ତେଜନା ପ୍ରକାଶ ପାଇଛି। ଆମେରିକାର ଏପରି କାର୍ଯ୍ୟ ପାଇଁ ଚୀନ ବୈଦେଶିକ ମନ୍ତ୍ରଣାଳୟ ବିଧିବଦ୍ଧ ଭାବେ ପ୍ରତିବାଦ ଜଣାଇଛି। ଚୀନ କହିଛି ଆମେରିକା ଉଦ୍ଦେଶ୍ୟମୂଳକ ଭାବେ ଏହାର ଯୁଦ୍ଧବିମାନକୁ ଗୁଇନ୍ଦା କାର୍ଯ୍ୟ ଲାଗି ପଠାଇଥିଲା। କାରଣ ଦିନକ ପୂର୍ବରୁ ଆମେରିକାର ଆରସି-୧୩୫ଏସ୍‍ ଯୁଦ୍ଧବିମାନ ମଧ୍ୟ ଚୀନ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିଲା। ଦକ୍ଷିଣ ଚୀନ ସାଗରରେ ଚୀନ ସେନାର ନଦର୍ଣ୍ଣ ଥିଏଟର କମାଣ୍ଡ ଏହାର ଅଭ୍ୟାସ ଚଳାଇଥିବାବେଳେ ଆମେରିକା ଯୁଦ୍ଧବିମାନ ଏହା ନିକଟକୁ ଯାଇଥିଲା। ଚୀନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚୀନର ପିପୁଲ ଲିବରେସନ ଆର୍ମି (ପିଏଲଏ) ହଇନାନ ଦ୍ୱୀପରେ ଏହାର ସମରାଭ୍ୟାସ କରୁଛି। ଆମେରିକା ଯୁଦ୍ଧବିମାନ ବସି ପ୍ରଣାଳୀ ଅତିକ୍ରମ କରି ଦକ୍ଷିଣ ଚୀନ ସାଗରର ଦକ୍ଷିଣ ପଶ୍ଚିମ ଆଡକୁ ଅଗ୍ରସର ହୋଇଥିଲା ଓ ସେହି ରାସ୍ତା ଦେଇ ଫେରିଥିଲା।

ଆମେରିକା ଯୁଦ୍ଧବିମାନର ଏପରି କାର୍ଯ୍ୟକୁ ନେଇ ଚୀନ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରଣାଳୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ୱ କ୍ୱିଆନ କହିଛନ୍ତି ଯେ ଏହି ଅନୁପ୍ରବେଶ ଚୀନ ସେନାର ଅଭ୍ୟାସ ଓ ପ୍ରଶିକ୍ଷଣକୁ ପ୍ରଭାବିତ କରିଛି। କ୍ୱିଆନ କହିଛନ୍ତି ଯେ ଚୀନର ସାମୁଦ୍ରିକ ଓ ବାୟୁ ସୀମା ସୁରକ୍ଷା ନିୟମକୁ ଆମେରିକା ଉଲ୍ଲଙ୍ଘନ କରିଛି। ଏହା ସହିତ ଏ ସମ୍ପର୍କିତ ଆନ୍ତର୍ଜାତିକ ନିୟମକୁ ଉଲ୍ଲଙ୍ଘନ କରିଛି। ଚୀନ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଅତୀତରେ ଆମେରିକାର ୫ଟି ୟୁ-୨ ଯୁଦ୍ଧବିମାନକୁ ପିଏଲଏ ଗୁଳିକରି ଖସାଇଛି। ଏହି ଯୁଦ୍ଧବିମାନଗୁଡିକ ଚୀନ ବାୟୁ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିଲା। ଚୀନ ସେନା ଏବେ ତିନିଟି ସ୍ଥାନରେ ସମରାଭ୍ୟାସ ଚଳାଇଛି। ତାଇୱାନ, ଜାପାନ ଓ ଆମେରିକାର ସାମ୍ଭାବ୍ୟ ଆକ୍ରମଣକୁ ମୁକାବିଲା କରିବା ଲାଗି ଚୀନ ସେନା ନିଜକୁ ପ୍ରସ୍ତୁତ ଚଳାଇଛି। ଗତ ଜୁଲାଇରେ ଆମେରିକାର ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧବିମାନ ପୂର୍ବ ଚୀନର ସାଙ୍ଘାଇ ନିକଟକୁ ଚାଲିଆସିଥିଲା।

Comments are closed.