ଇରାନ ଉପରେ ସାଇବର ଆକ୍ରମଣ କରୁଛି ଆମେରିକା

ୱାଶିଂଟନ : ଆମେରିକାର ଏକ ଗୁପ୍ତଚର ଡ୍ରୋନକୁ ଇରାନ ମାରି ଖସାଇ ଦେବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ଦୁଇ ଦିନ ଧରି ଇରାନ ଉପରେ ସାଇବର ଆକ୍ରମଣ ଜାରି ରଖିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାରଠାରୁ ଇରାନ ଉପରେ ନୂଆପ୍ରତିବନ୍ଧକ ଲଗାଯିବ ବୋଲି କହିଛନ୍ତି । ଏହାସହ ଇରାନକୁ ପରମାଣୁ ଅସ୍ତ୍ର ବିକଶିତ କରିବାକୁ ଦେବୁ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଇରାନ ସେନା ଗୁରୁବାର ଆମେରିକାର ଏମକ୍ୟୁ-୪ ଶକ୍ତିଶାଳୀ ଗୁପ୍ତଚୋର ଡ୍ରୋନକୁ ମାରି ଖସାଇ ଦେଇଥିଲା। ଏହି ଘଟଣା ପରଠାରୁ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୂଚନା ଅନୁସାରେ ଆମେରିକା ଇରାନର କ୍ଷେପଣାସ୍ତ୍ର ନିୟନ୍ତ୍ରଣ କେନ୍ଦ୍ରର ସର୍ଭର (ମିଶାଇଲ କଣ୍ଟ୍ରୋଲ ସିଷ୍ଟମ) ଏବଂ ଗୁପ୍ତଚର ନେଟୱାର୍କ ଉପରେ ସାଇବର ଆକ୍ରମଣ କରିଛି। ଟ୍ରମ୍ପ ଟ୍ୱିଟ୍‍ କରିଛନ୍ତି ଯେ ଇରାନ ପାଖରେ ପରମାଣୁ ଅସ୍ତ୍ର ଅଛି କି ନାହିଁ, ତାହା ବିନା ଯାଞ୍ଚରେ କହି ହେବନି। ସୋମବାରଠାରୁ ଇରାନ ଉପରେ ନୂଆ ପ୍ରତିବନ୍ଧକ ଲଗାଯିବ। ଇରାନ ଉପରୁ ପ୍ରତିବନ୍ଧକ ହଟାଯିବା ଦିନକୁ ଆମେ ଅପେକ୍ଷା କରିବୁ ।

ଅପରପକ୍ଷରେ ଆମେରିକା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଲେ, ତାର କଡ଼ା ଜବାବ ଦିଆଯିବ ବୋଲି ଇରାନ କହିଛି। ଏପରିକି ଇରାନ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିସାରିଛି। ପ୍ରକାଶ ଯେ ୨୦୧୫ରେ ଆମେରିକା, ଚୀନ, ରୁଷ, ଫ୍ରାନ୍ସ ଏବଂ ବ୍ରିଟେନ ସହ ଇରାନ ଏକ ବୁଝାମଣା ସ୍ୱାକ୍ଷର କରିଥିଲା। ବୁଝାମଣା ଅନୁସାରେ ତା ଉପରେ ଲାଗିଥିବା ଆର୍ଥିକ ପ୍ରତିବନ୍ଧକ ହଟାଇବା ପ୍ରତିବଦଳରେ ଇରାନ ନିଜ ପରମାଣୁ କାର୍ଯ୍ୟକ୍ରମକୁ ସୀମିତ ରଖିବାକୁ ସହମତି ପ୍ରକାଶ କରିଥିଲା। ଟ୍ରମ୍ପ ୨୦୧୮ରେ ଇରାନ ସହ ପରମାଣୁ ବୁଝାମଣାକୁ ରଦ୍ଦ କରିଦେଇଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି।

Comments are closed.