ଇରାନ ସହ ଉତ୍ତେଜନା: କାତାରକୁ ଏଫ-୨୨ ଯୁଦ୍ଧ ବିମାନ ପଠାଇଲା ଆମେରିକା

ୱାଶିଂଟନ : ଇରାନ ସହ ଦେଖାଯାଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଆମେରିକା ଏହାର ଗୁପ୍ତ ବା ଅଦୃଶ୍ୟ ଯୁଦ୍ଧବିମାନ ଏଫ୍-୨୨କୁ କାତାର ପଠାଇଛି। ଗଲ୍ଫ ଅଞ୍ଚଳରେ ନିଜର ସାମରିକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆମେରିକା ଏହି ଯୁଦ୍ଧବିମାନ ପଠାଇଥିବା ଜଣାଯାଇଛି। ତେବେ ଆମେରିକା କହିଛି ଯେ ଏହାର ସୈନିକଙ୍କ ସୁରକ୍ଷା ପାଇଁ ଏହି ଯୁଦ୍ଧବିମାନ ପଠାଯାଇଛି। ତେବେ କେତେ ସଂଖ୍ୟକ ଏଫ-୨୨ ପଠାଯାଇଛି ତାହା ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ନାହିଁ। କାତାରର ଅଲ ଉଦେଦ ବିମାନ ଘାଟି ଉପରେ ୫ଟି ଏଫ-୨୨ ଯୁଦ୍ଧବିମାନ ଉଡୁଥିବାର ଫଟୋ ଦେଖିବାକୁ ମିଳିଛି। ୨୦୧୫ରୁ ଆମେରିକା ଓ ଇରାନ ମଧ୍ୟରେ ଦ୍ବିପାକ୍ଷିକ ଉତ୍ତେଜନା ଲାଗି ରହିଥିବାବେଳେ ଏବେ ଏହା ତୀବ୍ର ହୋଇଛି। ଆମେରିକାର ଏକ ମାନବ ବିହୀନ ଡ୍ରୋନକୁ ଇରାନ ଏହାର ସୀମା ମଧ୍ୟରେ ଗୁଳିକରି ଖସାଇ ଦେବା ପରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଉତ୍ତେଜନାକୁ ନେଇ ଦୁଇଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଆମେରିକା ଯୁଦ୍ଧ ଆଭିମୁଖ୍ୟରୁ ଓହରି ଇରାନ ଉପରେ ନୂଆ କଟକଣା ଲାଗୁ କରିଛି। କଟକଣାକୁ ପ୍ରତିହତ କରିବା ପାଇଁ ଆମେରିକାର ସହଯୋଗୀ ରାଷ୍ଟ୍ର ଉପରେ ଇରାନ ଚାପ ପକାଇଛି। ବିଶେଷକରି ବ୍ରିଟେନ, ଚୀନ, ଫ୍ରାନ୍ସ, ଜର୍ମାନୀ ଓ ରୁଷିଆକୁ ତୈଳ ଯୋଗାଣ ବନ୍ଦ ଲାଗି ଇରାନ ଧମକାଇଛି।

Comments are closed.