ପାକିସ୍ତାନକୁ ପ୍ରତିରକ୍ଷା ସହାୟତା ହ୍ରାସ କଲା ଆମେରିକା

0

ୱାଶିଂଟନ : ପାକିସ୍ତାନ ସହ ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତାକୁ ନେଇ ଆମେରିକା ଏହାକୁ ଦେଇଆସୁଥିବା ପ୍ରତିରକ୍ଷା ସହାୟତାକୁ ହ୍ରାସ କରିଛି। କଂଗ୍ରେସରେ ଗୃହୀତ ହୋଇଥିବା ପ୍ରତିରକ୍ଷା ଖର୍ଚ୍ଚ ବିଧେୟକରେ ପାକିସ୍ତାନକୁ ପ୍ରତିରକ୍ଷା ସହାୟତା ପରିମାଣ ୧୫୦ ନିୟୁତ ଡଲାରକୁ ହ୍ରାସ କରାଯାଇଛି। ପୂର୍ବରୁ ଆମେରିକା ପ୍ରତିବର୍ଷ ୧୦୦କୋଟି ଡଲାରରୁ ଅଧିକ ପରିମାଣର ପ୍ରତିରକ୍ଷା ସହାୟତା ଦେଇଆସୁଥିଲା। ତେବେ ନ୍ୟାସନାଲ ଡିଫେନ୍ସ ଅଥରାଇଜେସନ ଆକ୍ଟ ୨୦୧୯ରେ ପାକିସ୍ତାନକୁ ହକାନି ନେଟୱର୍କ ଓ ଲସ୍କର ଇ ତୋଇବା ଭଳି ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରହିଥିବା ସର୍ତକୁ କୋହଳ କରାଯାଇଛି। ଗତବର୍ଷ ପାକିସ୍ତାନକୁ ଦିଆଯାଉଥିବା ପ୍ରତିରକ୍ଷା ସହାୟତା ପରିମାଣ ୭୦୦ ନିୟୁତ ଡଲାରକୁ ହ୍ରାସ କରାଯାଇଥିଲା। ବରାକ ଓବାମାଙ୍କ ଶାସନ ସମୟରେ ଆମେରିକା ପ୍ରତିବର୍ଷ ପାକିସ୍ତାନକୁ ୧୨୦କୋଟି ଡଲାର ପ୍ରତିରକ୍ଷା ସହାୟତା ଦେଇ ଆସୁଥିଲା। ତେବେ ଡୋନାଲ୍ଡ ଟ୍ରମ୍ପ କ୍ଷମତା ଦଖଲ କରିବା ପରେ ପାକିସ୍ତାନକୁ ଦିଆଯାଉଥିବା ବିଭିନ୍ନ ଆର୍ଥିକ ସହାୟତା ଉପରେ ଅଙ୍କୁଶ ଲଗାଇବା ଆରମ୍ଭ କରିଛନ୍ତି। ଆତଙ୍କବାଦ ଦମନ ପାଇଁ ପାକିସ୍ତାନକୁ ଦିଆଯାଉଥିବା ଅର୍ଥ ଆତଙ୍କବାଦୀଙ୍କ ଲାଳନପାଳନ ଦିଗରେ ଖର୍ଚ୍ଚ ହେଉଥିବା ନେଇ ଟ୍ରମ୍ପ ଅଭିଯୋଗ କରିଥିଲେ। ଏପରି କି ଆମେରିକା ଅର୍ଥରେ ପ୍ରୋତ୍ସାହିତ ଆତଙ୍କବାଦୀଙ୍କୁ ଆମେରିକାବାସୀଙ୍କ ବିରୋଧରେ ଉପଯୋଗ କରାଯାଉଥିବା ଟ୍ରମ୍ପ କହିଥିଲେ।

Leave A Reply