ଇରାନରୁ ତେଲ ଆମଦାନୀ କରିପାରିବେ ଭାରତ ସମେତ ୮ ଦେଶ

0

ୱାଶିଂଟନ : ଭାରତ, ଜାପାନ ଏବଂ ଦକ୍ଷିଣ କୋରିଆ ସମେତ ୮ ଦେଶଙ୍କୁ ଇରାନରୁ ତେଲ ଆମଦାନୀ କରିବା ପାଇଁ ମଞ୍ଜୁରି ଦେବାକୁ ଆମେରିକା ସହମତି ପ୍ରକାଶ କରିଛି। ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।
ବରିଷ୍ଠ ଅଧିକାରୀ ଜଣଙ୍କ କହିଛନ୍ତି ଯେ ଟ୍ରମ୍ପଙ୍କ ଉଦ୍ଦେଶ୍ୟ ଇରାନର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରିବାର ଥିଲା, କିନ୍ତୁ ଏହା ଯୋଗୁ ତେଲ ଦରରେ ବୃଦ୍ଧି ଗ୍ରହଣଯୋଗ୍ୟ ନୁହେଁ। ତେଣୁ ୮ଟି ଦେଶକୁ ତେଲ ଆମଦାନୀ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି। କୁହାଯାଉଛି ଯେ ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‍ ପୋମ୍ପେଓ ଶୁକ୍ରବାର ରାତିରେ ଏନେଇ ଘୋଷଣା କରିପାରନ୍ତି।
ଇରାନଠାରୁ ସର୍ବାଧିକ ତେଲ ଆମଦାନୀ କରୁଥିବା ଚୀନ ମଧ୍ୟ ଏହି ସମୟରେ କଟକଣାକୁ ନେଇ ଆମେରିକା ସହ କଥାବାର୍ତ୍ତା କରୁଛି। ତେବେ ଇରାନଠାରୁ ତେଲ ଆମଦାନୀ ପାଇଁ ଅନୁମତି ପାଇବାକୁ ଥିବା ୮ ଦେଶ ମଧ୍ୟରୁ ୫ ଦେଶଙ୍କ ନାମ ଆମେରିକା ପକ୍ଷରୁ ପ୍ରକାଶ କରାଯାଇ ନାହିଁ। ତେଲ ଦରରେ ଯେପରି ଅହେତୁକ ବୃଦ୍ଧି ନଘେଟ ଓ ସନ୍ତୁଳନ ବଜାୟ ରହେ ସେଥିପ୍ରତି ଟ୍ରମ୍ପ ପ୍ରଶାସନ ଯତ୍ନବାନ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।
ଟ୍ରମ୍ପ ପ୍ରଶାସନ ୮ ଦେଶକୁ ତେଲ ଆମଦାନୀର ଅନୁମତି ଦେଇ ଇରାନ ସରକାରଙ୍କୁ ଅଧିକ ଲାଭ ଦେବା ସପକ୍ଷରେ ନାହାନ୍ତି। ତେଣୁ ଅଶୋଧିତ ତୈଳ ଦରରେ ଯେପରି ବୃଦ୍ଧି ଘଟେ ସେଥିପ୍ରତି ଆମେରିକାଙ୍କ ଟ୍ରମ୍ପ ପ୍ରଶାସନ ଧ୍ୟାନ ଦେବ। ଇରାନ ଉପରେ କଟକଣାକୁ ୮ ଦେଶ ପାଇଁ କୋହଳ କରାଯିବ ଓ ତେଲ ଆମଦାନୀ ପାଇଁ ଅନୁମତି ମିଳିବ ବୋଲି ଖବର ପ୍ରଚାର ହେବା ପରେ ଅନ୍ତର୍ଜାତୀୟ ବଜାରେ ଅଶୋଧିତ ତୈଳ ଦରରେ ୧୫% ହ୍ରାସ ଘଟିଛି। ଶୁକ୍ରବାର ତେଲ ଦର ହ୍ରାସ ପାଇ ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚିଛି। ସେହିପରି ଲଣ୍ଡନରେ ଅଶୋଧିତ ତୈଳ ଦର ବ୍ୟାରେିଲ ପିଛା ୭୩.୦୪ ଡଲାର ରହିଛି।

Leave A Reply