ବଜାରରେ ୟୁରିଆ ଅଭାବ : ଚାଷୀ ହତାଶ

ବଲାଙ୍ଗିର: ବଲାଙ୍ଗିର ସଦର ବ୍ଲକର ଚାଷୀବର୍ଗ ଚାଷ କାମରେ ଏବେ ଜୋରସୋର ଲାଗିଛନ୍ତି। ପ୍ରାୟତଃ ଗ୍ରାମର ଧାନରୁଆ ବିହୁଡା ସରିବାକୁ ବସିଲାଣି। ବିଗତ ଦିନ ମାନଙ୍କରେ ଠିକ୍‍ ସମୟରେ ଠିକ୍‍ ବର୍ଷା ହୋଇଥିବା ଯୋଗୁଁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ଶ୍ରାବଣରେ ଚାଷ କାର୍ଯ୍ୟ ଚାଲୁଥିବାର ଜଣାପଡିଛି। ବର୍ତ୍ତମାନ ଚାଷୀ ତାର ଧାନରେ ଗଛର ବୃଦ୍ଧି ପାଇଁ ୟୁରିଆ ସାର ଦେବାର ସମୟ ଆସିଲା ବେଳେ ସାର ମିଳୁନଥିବାର ଗୁରୁତର ଅଭିଯୋଗ ଆସୁଛି। ଧାନ ଚାଷର ମଧ୍ୟବର୍ତ୍ତି ସମୟରେ ୟୁରିଆ ସାରର ବହୁଳ ପ୍ରୟୋଗ ରହିଥିବା ଯୋଗୁଁ ପ୍ରତ୍ୟେହ ଚାଷୀ ଏହାକୁ ବ୍ୟବହାର କରିଥାନ୍ତି। ଏବେ କିନ୍ତୁ ୟୁରିଆ ସାରର ଅଭାବ, କାଁ ଭାଁ ଖୁଚୁରା କିଏ ବିକ୍ରି କରୁଛନ୍ତି ତାହାପୁଣି ଚଢା ଦରରେ। ୟୁରିଆର ପ୍ରକୃତ ମୂଲ୍ୟ ୨୬୬.୫୦ ରହିଥିବା ବେଳେ ଏହାକୁ ୪୫୦ ଟଙ୍କାରେ ଚାଷୀ କିଣୁ ଥିବାର ଅଭିଯୋଗ ହେଉଛି। କୃଷି ବିଭାଗ କେବଳ ସାର ଦୋକାନ ମାନଙ୍କରେ ଷ୍ଟକ ଏବଂ ବିତରଣ ଦେଖି ଚୁପ। ପ୍ରକୃତରେ ବିରତଣ ହୋଇଥିବା ସାର ଚାଷୀଙ୍କ ପାଖରେ ପହଞ୍ଚିଛି କିନାହିଁ ତାହା ଦେଖିବାକୁ କାହାରି ସମୟ ନାହିଁ। ଚାଷୀ ଅଭିଯୋଗ କରୁଛନ୍ତି ମଇ ଓ ଜୁନ ମାସରେ ଟ୍ରକ ଟ୍ରକ ୟୁରିଆ ସାର ବେପାରୀ ମାନଙ୍କ ପାଖକୁ ଆସିଛି। ସେତେ ବେଳେ ଚାଷୀ ସାର କିଣି ନାହାନ୍ତିତ ସେ ସବୁ ସାର ଗଲା କୁଆଡେ ??? ନାମକୁ ମାତ୍ର ଦୋକାନ ପାଖରେ ଗୋଦାମ ରହିଛି, ପ୍ରକୃତରେ ଦେଖିବାକୁ ଗଲେ ଉପାନ୍ତ ଅଞ୍ଚଳର ବିଭିନ୍ନ ଗ୍ରାମର ଉକ୍ତ ବେପାରୀଙ୍କ ନିର୍ଭରଯୋଗ୍ୟ ଲୋକ ସବୁ ସାର ମହଜୁଦ ରଖିଥିବାର ଅଭିଯୋଗ ହେଉଛି। ଆହୁରି ଗୁରୁତର ଅଭିଯୋଗ ଚାଷୀ ମହଲରୁ ଆସୁଛି ଯେ, କିଛି ବେପାରୀ ଗାଁ ଗହଳରୁ ଗରିବ ଚାଷୀଙ୍କ ନାମରେ ସାର କିଣି ସେମାନେ ନିଜ ନିଜ ଗ୍ରାମରେ ତାକୁ ଅନ୍ୟ ଲୋକଙ୍କ ମାଧ୍ୟମରେ ବିକ୍ରି କରୁଛନ୍ତି। ବାସ୍ତବରେ ସାରର କୃତ୍ରିମ ଅଭାବ କେଉଁଠି ରହିଛି। ଏହାକୁ ଦେଖିବା କୃଷି ବିଭାଗର ଦାୟିତ୍ୱ ରହିଥିବା ବେଳେ ସବୁ କାଯ୍ୟ କାଗଜ କଲମରେ ଠିକ ଚାଲିଥିବାର ଉତ୍ତର ଆସୁଛି। ଏବେ ଗାଁ ମାନଙ୍କରେ ସବୁଠି ଖୁଚୁରା ସାର ଦୋକାନ ରହିଛି। ଲାଇସେନ୍ସ ପ୍ରାପ୍ତ ସାର ଦୋକାନୀ କମ୍‍ ଏମାନଙ୍କ ମିଳିତ କାରନାମାରେ ୟୁରିଆର ଅଭାବ ଦେଖା ଯାଇଛି। ଜିଲା କୃଷି ବିଭାଗର ଅଧିକାରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଚାଷୀଙ୍କ ଅବସ୍ଥା ସୁଧାରିବାରେ ସହାୟକ ହେବା ପାଇଁ ଦାବି ହେଉଛି।

Comments are closed.