ରାଜ୍ୟରେ ୟୁରିଆର ଘୋର ଅଭାବ; ଲକ୍ଷେ ଟନ୍ ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ କଲେ କୃଷିମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ୟୁରିଆର ଘୋର ଅଭାବ । ଯେଉଁଠି ୟୁରିଆ ବସ୍ତା ୩ଶହରୁ ୪ ଶହ ଟଙ୍କା ବିକ୍ରି ହେବା କଥା, ତାହା କଳାବଜାରରେ ୮୦୦ରୁ ୯୦୦ ଟଙ୍କାରେ ବିକ୍ରି ହେଉଛି । କେଉଁଠି କେଉଁଠି ସାର ପାଇଁ ପିଟାପିଟି ବି ହେଉଛନ୍ତି ଚାଷୀ । ରାଜ୍ୟରେ ବର୍ତମାନ ସମୟରେ ପ୍ରାୟ ୧ ଲକ୍ଷ ଟନ୍ ୟୁରିଆର ଆବଶ୍ୟକତା ରହିଛି । ଏହି ସ୍ଥିତିରେ ରାଜ୍ୟକୁ ଅଧିକ ୟୁରିଆ ଯୋଗାଇବା ନିମନ୍ତେ ଅନୁରୋଧ କରିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ।
କେନ୍ଦ୍ର କେନ୍ଦ୍ର ସରକାରଙ୍କ ରାଜ୍ୟ ରସାୟନ ଓ ସାର ମନ୍ତ୍ରୀ ମନସୁଖଭାଇ ମାଣ୍ଡଭିୟ ଭିଡିଓ କନଫରେନସିଂ ଯୋଗେ ରାଜ୍ୟ କୃଷି ମନ୍ତ୍ରୀମାନଙ୍କର ବୈଠକରେ ବିଭିନ୍ନ ରାଜ୍ୟରେ କୃଷି ଓ ସାର ଯୋଗାଣ ସ୍ଥିତି ଅନୁଧ୍ୟାନ ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ଏପରି ଅନୁରୋଧ କରିଛନ୍ତି ।
ଜୁନ୍ ମାସରେ ରାଜ୍ୟର ଆବଶ୍ୟକ ତୁଳନାରେ ୧୩ ହଜାର ୭୭୨ ଟନ୍ କମ୍ ସାର ମିଳିଥିବାବେଳେ ଜୁଲାଇ ମାସରେ ୧୯ ହଜାର ୬୧୯ ଟନ୍ କମ୍ ସାର ଓଡ଼ିଶାକୁ ଯୋଗାଣ ହୋଇଛି । ଅଗଷ୍ଟ ମାସରେ ପ୍ରାୟ ୧ ଲକ୍ଷ ଟନ୍ ୟୁରିଆ ଆବଶ୍ୟକ ଥିବାବେଳେ ମିଳିଛି ମାତ୍ର ୩୪ ହଜାରଟନ୍ । ତେଣୁ ବର୍ତମାନ ସୁଦ୍ଧା ରାଜ୍ୟରେ ଲକ୍ଷେ ଟନ୍ ସାର ନିଅଣ୍ଟ ରହିଛି ଏବଂ ଏହା ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ସାହୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଜୁଲାଇ ଦ୍ୱିତୀୟ ସପ୍ତାହଠାରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ୟୁରିଆ ସାରର ସର୍ବୋଚ୍ଚ ଚାହିଦା ରହିଥାଏ । ଭାରତର ପୂର୍ବାଞ୍ଚଳରେ କୌଣସି ୟୁରିଆ ଉତ୍ପାଦନ କାରଖାନା ନାହିଁ । ତେଣୁ ଓଡ଼ିଶାକୁ ଉତ୍ତରାଞ୍ଚଳ ଏବଂ ପଶ୍ଚିମାଞ୍ଚଳର କାରଖାନାରୁ ୟୁରିଆ ନିମନ୍ତେ ନିର୍ଭର କରିବାକୁ ପଡ଼ିଥାଏ ।ରାଜ୍ୟ ସରକାରଙ୍କ ତରଫରୁ ଇଫକୋ, ଆରସିଏଫ, ଏନ୍ଏଲଏଫ ଆଦି ସାର କମ୍ପାନୀଗୁଡ଼ିକ ନିଜସ୍ୱ ଉତ୍ପାଦିତ ସାର ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଥିବା ବେଳେ ରାଜ୍ୟକୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଉପଲବ୍ଧ ହୋଇନାହିଁ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ବୈଠକରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ଏମ୍. ମୁଥୁକୁମାର ପ୍ରମୁଖ ଯୋଗଦେଇଥିଲେ ।