ସଂକ୍ରମଣ ଦୃଷ୍ଟିରୁ ୟୁପିଏସସିର ସମସ୍ତ ପରୀକ୍ଷା ଓ ସାକ୍ଷାତକାର ସ୍ଥଗିତ

କେନ୍ଦ୍ରୀୟ ଲୋକସେବା ଆୟୋଗ ଦେଶରେ କରୋନା ମହାମାରୀ ବୃଦ୍ଧି ଦୃଷ୍ଟିରୁ କେତେକ ପରୀକ୍ଷା ଏବଂ ସାକ୍ଷାତକାରକୁ ସ୍ଥଗିତ ରଖିଛି। ଏ ନେଇ କମିଶନ ଏକ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି, କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁ ସାମାଜିକ ଦୂରତା ମାନଦଣ୍ଡ ପାଳନ ସମେତ ଲକଡାଉନ୍ ପ୍ରତିବନ୍ଧକ ଏବଂ ମହାମାରୀ ଯୋଗୁଁ ଲାଗୁ ହୋଇଥିବା ପରିସ୍ଥିତିକୁ ବିଚାରକୁ ନେଇ ବର୍ତ୍ତମାନ ପାଇଁ ପରୀକ୍ଷା ଏବଂ ସାକ୍ଷାତକାର କରିବା ସମ୍ଭବ ନୁହେଁ।

ଏହି ନିଷ୍ପତ୍ତି ଅନୁଯାୟୀ କର୍ମଚାରୀ ପ୍ରୋଭିଡେଣ୍ଟ୍ ପାଣ୍ଠି ସଂଗଠନ ପାଇଁ ଆସନ୍ତା ମେ’ ୯ରେ ହେବାକୁ ଥିବା ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ବେଳେ ଆସନ୍ତାକାଲିଠାରୁ ହେବାକୁ ଥିବା ଭାରତୀୟ ଅଥନୈତିକ ସେବା / ଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷା ୨୦୨୦ର ପର୍ସନାଲିଟି ଟେଷ୍ଟ (ସାକ୍ଷାତକାର)କୁ ମଧ୍ୟ ସ୍ଥଗିତ ରଖାଯାଇଛି।

ସେହିପରି ଏପ୍ରିଲ ୨୬ରୁ ହେବାକୁ ଥିବା ସିଭିଲ୍ ସର୍ଭିସେସ୍ ପରୀକ୍ଷାକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ପରିସ୍ଥିତିର ସମୀକ୍ଷା କରାଯାଇ ସଂଶୋଧିତ କାର୍ଯ୍ୟସୂଚୀ ୟୁପିଏସସି ୱେବସାଇଟରେ ପ୍ରକାଶ ପାଇବା ବୋଲି ଜଣାପଡିଛି। ଏହା ଛଡ଼ା ପରୀକ୍ଷା, ନିଯୁକ୍ତି ଏବଂ ସାକ୍ଷାତକାର ସମ୍ବନ୍ଧରେ ଆୟୋଗର ଅନ୍ୟ ନିଷ୍ପତ୍ତି ତୁରନ୍ତ ଆୟୋଗର ୱେବସାଇଟରେ ଉପଲବ୍ଧ ହେବ ବୋଲି ବିବୃତ୍ତିରେ କୁହାଯାଇଛି। ଯେତେବେଳେ ସ୍ଥଗିତ ପରୀକ୍ଷା ଏବଂ ସାକ୍ଷାତକାର ପାଇଁ ତାରିଖ ସ୍ଥିର କରାଯିବ, ଏହା ନିଶ୍ଚିତ ହେବ ଯେ ପ୍ରାର୍ଥୀଙ୍କୁ ଅତି କମରେ ୧୫ ଦିନ ପୂର୍ବରୁ ଅବଗତ କରାଯିବ।

Comments are closed.