ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ଲୋକଙ୍କ ଦିୱାଲୀ ଆପଣଙ୍କ ହାତରେ

ନଭେମ୍ବର ୧୫ ପର୍ଯ୍ୟାନ୍ତ ଲୋନ ଆକାଉଣ୍ଟ ଏନପିଏ ଘୋଷଣା ହୋଇପାରିବ ନାହିଁ

ନଭେମ୍ବର ୨ ତାରିଖ ମଧ୍ୟରେ ବିସ୍ତୃତ ତଥ୍ୟ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ

ଲୋନ ମୋରଟୋରିୟମ (Loan Moratorium) ମାମଲାରେ ଋଣୀମାନଙ୍କ ଉପରେ ସୁଧ ଉପରେ ସୁଧ ଯୋଜନା ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନରମ ହେବା ପାଇଁ ପରାମର୍ଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଲୋକଙ୍କ ଦିୱାଲି ଆପଣଙ୍କ ହାତରେ, ତେଣୁ ସରକାର ଯଥାଶୀଘ୍ର ସୁଧ ଛାଡ଼ ଯୋଜନା ଲାଗୁ କରିବା ଉଚିତ । ଏହା ସହ ସୁପ୍ରିମକୋର୍ଟ ମଧ୍ୟ ମୋରେଟୋରିୟମ ସୁବିଧା ନେଉଥିବା ଋଣୀମାନଙ୍କୁ ୨୦୨୦ ନଭେମ୍ବର ୧୫ ପର୍ଯ୍ୟନ୍ତ ସୁଧ ଉପରେ ସୁଧ ଦେବାକୁ ପଡ଼ିବ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି । ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଆର୍.ସୁଭାଷ ରେଡ଼୍ଡ଼ୀ ଓ ଏମ.ଆର୍.ଶାହାଙ୍କୁ ନେଇ ଗଠିତ ବେଞ୍ଚ ୧୫ ନଭେମ୍ବର ପର୍ଯ୍ୟନ୍ତ କୌଣସି ଲୋନ ଆକାଉଣ୍ଟକୁ ନନ୍ ପରଫର୍ମିଂ ଆସେଟ୍ (ଏନପିଏ) ଘୋଷଣା କରାଯାଇ ପାରିବ ନାହିଁ ବୋଲି ମଧ୍ୟ ନିର୍ଦେଶ ଦେଇଛନ୍ତି ।

ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ହରିଶ ସାଲଭେ ମାମଲା ସମ୍ପର୍କରେ ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କର ପକ୍ଷ ରଖିଥିଲେ । ଏହି ଅବସରରେ ସେ ୮ଟି ବର୍ଗରେ ୨ କୋଟିରୁ ଅଧିକ ଋଣର ସୁଧ ଉପରେ ସୁଧ ଛାଡ଼ ହୋଇ ପାରିବ ନାହିଁ ବୋଲି କହିଥିଲେ । ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ସରକାରଙ୍କୁ ଏହି ମାମଲା ଉପରେ ନିର୍ଦିଷ୍ଟ କାର୍ଯ୍ୟ ଯୋଜନା ଦାଖଲ କରିବାକୁ ନିର୍ଦେଶ ଦେବା ସହ ନଭେମ୍ବର ୨ ତାରିଖରେ ପରବର୍ତୀ ଶୁଣାଣି ହେବ ବୋଲି କହିଛନ୍ତି ।

କରୋନା ସଂକ୍ରମଣ ରୋକିବା ନିମନ୍ତେ କେନ୍ଦ୍ର ସରକାର ପୁରା ଦେଶରେ ଲକଡ଼ାଉନ ଘୋଷଣା କରିଥିଲେ । ଏହି ସମୟରେ ବିଭିନ୍ନ ଶିଳ୍ପ ସଂସ୍ଥା ସଂପୂର୍ଣ୍ଣ ବନ୍ଦ ରହିଥିଲା । କମ୍ପାନୀ ଓ ବ୍ୟବସାୟୀମାନେ ଏଥିଯୋଗୁଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଲକଡ଼ାଉନରେ ଅନେକ ନିଜର ଚାକିରି ହରାଇଥିଲେ । ଏହି ସ୍ଥିତିରେ ଋଣ ପରିଶୋଧ ବଡ଼ ସମସ୍ୟା ହୋଇଥିଲା । ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଋଣ ମୋରେଟୋରିୟମ ନିମନ୍ତେ ପରାମର୍ଶ ଦେଇଥିଲେ । ଅର୍ଥାତ୍ ଯଦି ଋଣ କିସ୍ତି ବିଳମ୍ବିତ ହୋଇଥାଏ କିମ୍ବା କିସ୍ତି ପ୍ରଦାନରେ ଖିଲାପ ହୋଇଥାଏ ତେବେ ଏହି ସମୟରେ ଋଣର ସୁଧ ମୂଳଧନ ସହ ଯୋଡ଼ି ଦିଆଯିବ । ଅର୍ଥାତ୍ ମୂଳଧନ ଓ ଖିଲାପ ସମୟର ସୁଧ ଉପରେ ସୁଧ ଦେବାକୁ ପଡ଼ିବ । ଏହି ମାମଲାକୁ ନେଇ ଏବେ ବିଚାର ଚାଲିଛି ।

Comments are closed.