ଅପରାଧୀଙ୍କୁ ଧରିବାକୁ ୭ ହଜାର ପୁଲିସ ମୁତୟନ; ସମୟ ଦିଆଯାଇଛି ୪୮ ଘଣ୍ଟା

କାନପୁରରେ ଅପରାଧୀଗୁଳିରେ ୮ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ପୁଲିସ ବିଭାଗ ସେମାନଙ୍କୁ ଧରିବାକୁ ପୁରା ଶକ୍ତି ଖଟାଇଛି । ଘଟଣାସ୍ଥଳରେ ପୁଲିସ ଡ଼ିଜି ହିତେଶ ଚନ୍ଦ୍ର ଅବସ୍ତି ପହଞ୍ଚିଛନ୍ତି ଏବଂ ମୃତକ ପୁଲିସ କର୍ମଚାରୀମାନେ ତାଙ୍କ ପରିବାରର ସଦସ୍ୟ ବୋଲି ଉଲ୍ଲେଖ କରି ୪୮ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ କାଠଗଡ଼ା ମଧ୍ୟରେ ଠିଆ କରିବାକୁ ନିର୍ଦେଶ ଦେଇଛନ୍ତି ।

ଡ଼ିଜି ଶ୍ରୀ ଅବସ୍ତି କହିଛନ୍ତି ଯେ ମୁଁ ଉତ୍ତରପ୍ରଦେଶ ପୁଲିସ ପରିବାରର ମୁଖିଆ ଓ ଏହି ଘଟଣାରେ ଆମ ପରିବାର ଉପରେ ଆକ୍ରମଣ ହୋଇଛି, ୮ ଜଣ ସହିଦ ହୋଇଛନ୍ତି । ତେଣୁ ଅପରାଧୀମାନଙ୍କୁ ଧରିବାକୁ ୭ ହଜାର ପୁଲିସ କର୍ମଚାରୀଙ୍କୁ ଲଗାଯାଇଛି । ୨୪ରୁ ୪୮ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଆଇନ ପରିସରକୁ ଆଣିବାକୁ ପ୍ରୟାସ କରାଯାଉଛି । ଏହା ସହ ସେ ଗ୍ରାମବାସୀଙ୍କୁ ମଧ୍ୟ ସତର୍କ କରାଇ ଦେଇଛନ୍ତି । ଅପରାଧୀମାନଙ୍କୁ ସହାୟତା କଲେ ସେମାନଙ୍କ ପାଇଁ ଘାତକ ହୋଇପାରେ ବୋଲି ଡ଼ିଜି କହିଛନ୍ତି ।  ଅପରାଧୀମାନଙ୍କ ସହ କେହି ବି ସମ୍ପର୍କ ରଖିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ କାନପୁରର ଚୌବେପୁର ଥାନା ଅଞ୍ଚଳର ବିକରୁ ଗାଁରେ ଜଣେ ଅପରାଧକୁ ଧରିବାକୁ ଯାଇଥିବା ପୁଲିସ ଦଳ ଉପରେ ଅପରାଧୀମାନେ ଗୁଳି ଚାଳନା କରିଥିଲେ । ଏଥିରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ୯ ଜଣ ସହିଦ ହୋଇଛନ୍ତି ।  ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ପୁଲିସ କର୍ମୀମାନଙ୍କୁ ରିଜେନ୍ସି ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି । ଆକ୍ରମଣକାରୀମାନେ ଏକେ-୪୭ରୁ ପୁଲିସ ଉପରେ ଗୁଳି ବର୍ଷା କରିଥିଲେ ।

Comments are closed.