ଆପ୍ ବିଧାୟକ ସୋମନାଥ ଭାରତୀଙ୍କୁ ଗିରଫ କଲା ୟୁପି ପୁଲିସ

ଆମ୍ ଆଦ୍ମୀ ପାର୍ଟି (ଆପ୍) ବିଧାୟକ ସୋମନାଥ ଭାରତୀଙ୍କୁ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି। ଏହି କାରଣରୁ ଉତ୍ତରପ୍ରଦେଶ ପୁଲିସ ସୋମବାର ତାଙ୍କୁ ଗିରଫ କରିଛି। ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ କୋର୍ଟରେ ମାମଲା ରୁଜୁ ହୋଇଥିବାବେଳେ ଆସନ୍ତା ୧୩ ତାରିଖରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।
କେଜ୍ରିୱାଲଙ୍କ ସରକାରରେ ପୂର୍ବରୁ ଆଇନ ମନ୍ତ୍ରୀ ଥିବା ସୋମନାଥ ଭାରତୀ ଉତ୍ତର ପ୍ରଦେଶ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଉତ୍ତରପ୍ରଦେଶର ହସ୍ପିଟାଲଗୁଡ଼ିକରେ ଜନ୍ମ ଗ୍ରହଣ କରୁଥିବା ଶିଶୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ‘ଉତ୍ତର ପ୍ରଦେଶର ହସ୍ପିଟାଲଗୁଡ଼ିକରେ କୁକୁରଙ୍କ ପିଲା ଜନ୍ମ ନିଅନ୍ତି’। ଏହି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତାଙ୍କ ବିରୋଧରେ ଜଗଦୀଶପୁର ଥାନାରେ ମାମଲା ରୁଜୁ ହୋଇଥିବାବେଳେ ସୋମବାର ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଗତ ରବିବାର ସୋମନାଥ ରାୟବରେଲୀରେ ପହଞ୍ଚିଥିଲେ। ସେଠାରେ ସେ ଜଳସେଚନ ବିଭାଗ ଗେଷ୍ଟ ହାଉସରେ ରାତି କାଟିଥିଲେ। ସୋମବାର ସକାଳେ ରାୟବରେଲୀରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହିତ ଅନେକ କାର୍ଯ୍ୟକ୍ରମରେ ସେ ଯୋଗଦେବାର ଥିଲା। ଆଜି ସକାଳେ ସେ ଗେଷ୍ଟ ହାଉସରୁ କାର୍ଯ୍ୟକ୍ରମସ୍ଥଳକୁ ଯିବା ଲାଗି ବାହାରୁଥିବାବେଳେ ପୁଲିସ ତାଙ୍କୁ ଅଟକାଇଥିଲା। ଏହା ପରେ ପୁଲିସ ଏବଂ ସୋମନାଥଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଜଣେ ଯୁବକ ତାଙ୍କ ଉପରକୁ କାଳି ଫିଙ୍ଗିଥିଲେ। ପୁଲିସ ଉକ୍ତ ଯୁବକକୁ ଗିରଫ କରିଥିବାବେଳେ ସୋମନାଥଙ୍କୁ ବି ଗିରଫ କରିଛି।