୩୫ ଲକ୍ଷ ଶ୍ରମିକଙ୍କୁ ୧ ହଜାର ଟଙ୍କାର ସହାୟତା ଦେବେ ଯୋଗୀ ସରକାର

ଲକ୍ଷ୍ନୌ: କରୋନା ଭୂତାଣୁ ଯୋଗୁ ଶ୍ରମିକମାନେ ହାତ ବାନ୍ଧି ଘରେ ବସିଛନ୍ତି। ସେମାନଙ୍କ ରୋଜଗାର ପନ୍ଥା ଏକପ୍ରକାର ଅଚଳ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ପ୍ରାୟ ୩୫ ଲକ୍ଷ ଶ୍ରମିକଙ୍କୁ ସରକାର ୧ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବା ଲାଗି କହିଛନ୍ତି। ଶ୍ରମିକମାନଙ୍କ ଦୈନିକ ଆବଶ୍ୟକତା ପୂରଣ କରିବା ଲାଗି ଏହି ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ବ୍ୟତୀତ ସମସ୍ତ ପଞ୍ଜୀକୃତ ଶ୍ରମିକଙ୍କୁ ଭରଣପୋଷଣ ଭତ୍ତା ଦିଆଯିବ। ଏମଜିଏନଆରଇଜିଏସରେ ପଞ୍ଜୀକୃତ ଶ୍ରମିକଙ୍କୁ ତୁରନ୍ତ ମଜୁରୀ ଦେବା ଲାଗି ଘୋଷଣା କରିଛନ୍ତି। ଏହି ସହାୟତା ରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଉତ୍ତରପ୍ରଦେଶରେ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟବାସୀ ସତର୍କତା ପାଳନ କରିବାକୁ ଯୋଗୀ ଅନୁରୋଧ କରିଛନ୍ତି।