କରୋନାରେ ଉତ୍ତରପ୍ରଦେଶ ମନ୍ତ୍ରୀ କମଳ ରାଣୀ ବରୁଣଙ୍କ ପରଲୋକ

ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଶିକ୍ଷାମନ୍ତ୍ରୀ କମଳରାଣୀ ବରୁଣଙ୍କର ରବିବାର ପରଲୋକ ଘଟିଛି । କରୋନା ସଂକ୍ରମଣର ଶିକାର ହୋଇ କମଳରାଣୀ ଲକ୍ଷ୍ନୌସ୍ଥିତ ସଞ୍ଜୟଗାନ୍ଧୀ ପିଜିଆଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଡ଼ାକ୍ତରଖାନାରେ ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ଅମିତ୍ ଅଗ୍ରୱାଲ ତାଙ୍କ ପରଲୋକ ସମ୍ପର୍କ ଖବରକୁ ସ୍ବୀକାର କରିଛନ୍ତି । କମଳରାଣୀଙ୍କ ପରଲୋକ ଖବର ପାଇ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟା ନିମନ୍ତେ ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି ।

ଡ଼ାକ୍ତର ଅମିତ୍ ଅଗ୍ରୱାଲଙ୍କ ସୂଚନା ଅନୁସାରେ କମଳରାଣୀ କୋଭିଡ଼-୧୯ ନିମୋନିଆରେ ଗୁୁରୁତର ପୀଡ଼ିତ ଥିଲେ । ତାଙ୍କଠାରେ ଆକ୍ୟୁଟ ରେସ୍ପିରେଟ୍ରି ଡ଼ିଷ୍ଟ୍ରେସ ସିଣ୍ଡ୍ରମ ପ୍ରକାଶ ପାଇଥିଲା । ଏହାଛଡ଼ା ସେ ଡ଼ାଇବେସିଟ୍, ହାଇପରଟେନସନ ଓ ଥାଇରଏଡ଼ ପରି ଅନ୍ୟ ରୋଗରେ ପୀଡ଼ିତ ଥିଲେ ।  ବଞ୍ଚାଇବାକୁ ପୁରା ପ୍ରୟାସ କରାଯାଇଥିଲା, ମାତ୍ର ସମ୍ଭବ ହୋଇ ନ ଥିଲା । ତାଙ୍କୁ କରୋନା ଚିକିତ୍ସା ନିମନ୍ତେ ରେମଡ଼େସିଭିର ଓ ଅନ୍ୟ ଔଷଧ ଦିଆଯାଇଥିଲେ ହେଁ ତାହା କାମ କରି ନ ଥିଲା । ଗତ ୧୦ ଦିନ ତାଙ୍କର ଅବସ୍ଥା ସ୍ଥିର ଥିଲା । ମାତ୍ର ରବିବାର ତାଙ୍କର ପରଲୋକ ହୋଇଯାଇଛି ।

କମଳରାଣୀ କାନପୁର ଜିଲାର ଘାଟମପୁର ଲୋକସଭା କ୍ଷେତ୍ରରୁ ୧୯୯୬ ଓ ୧୯୯୮ରେ ଦୁଇଥର ସାଂସଦ ରୂପେ ନିର୍ବାଚିତ ହୋଇଥିଲେ ।

Comments are closed.