ପିଏଫଆଇକୁ ବ୍ୟାନ୍‌ ପାଇଁ ଉତ୍ତରପ୍ରଦେଶ ଡିଜିପିଙ୍କ ସୁପାରିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହିଂସାତ୍ମକ କାର୍ଯ୍ୟରେ ସାମିଲ ହେଉଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)କୁ ବ୍ୟାନ୍‌ କରିବା ଲାଗି ଡିଜିପିଙ୍କ ପକ୍ଷରୁ ସୁପାରିସ କରାଯାଇଛି। ରାଜ୍ୟ ଗୃହ ବିଭାଗ ଜରିଆ​‌ରେ ଏହି ସୁପାରିସକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବାକୁ ପ୍ରସ୍ତୁତି ଚାଲିଛି।

ସୂଚନା ଅନୁସାରେ, ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ହୋଇଥିବା ବଡ଼ ଧରଣର ହିଂସା ସମୟରେ ପିଏଫଆଇର ୨୨ ସଦସ୍ୟ ଗିରଫ ହୋଇଥିଲେ। ଲକ୍ଷ୍ନୌ ଏବଂ ସାମଲୀରେ ଗିରଫ ସଦସ୍ୟଙ୍କ ସଂଖ୍ୟା ଅଧିକ ଥିଲା। ଏହା ପୂର୍ବରୁ ଲକ୍ଷ୍ନୌ, ମୀରଟ, ସାମଲୀ, ବାରାଣସୀ ଏବଂ ଅନ୍ୟ ସ୍ଥାନରେ ପିଏଫଆଇ ସଦସ୍ୟଙ୍କଠାରୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲା। ୨୦୧୦ରୁ ଏହି ସଂଗଠନ କିପରି ରାଜ୍ୟର ବିଭିନ୍ନ ଜିଲାରେ ସକ୍ରିୟ ରହି ପରିସ୍ଥିତିକୁ ଖରାପ କରିବାକୁ ଉଦ୍ୟମ କରିଛି ସେ ନେଇ ଦର୍ଶାଯାଇଛି।

ସୁପାରିସରେ କୁହାଯାଇଛି ଯେ, ଭାରତରେ ନିଷେଧ ହୋଇଥିବା ସଂଗଠନ ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ(ସିମି)ର ସଦସ୍ୟମାନେ ପିଏଫଆଇରେ ସାମିଲ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଯେଉଁମାନେ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ ସିମିର ସଦସ୍ୟ ଥିଲେ। ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୁପାରିସକୁ ଗୃହ ବିଭାଗକୁ ପଠାଯାଇଛି। ଗୃହ ବିଭାଗ ଏହାର ଅଧ୍ୟୟନ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବ। ସୂଚନାଯୋଗ୍ୟ, ଲକ୍ଷ୍ନୌ ସମେତ ରାଜ୍ୟର ଅନେକ ଜିଲାରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସୃଷ୍ଟି ହୋଇଥିବା ହିଂସାରେ ପିଏଫଆଇର ସମ୍ପୃକ୍ତି ଥିବା ନେଇ ପୁଲିସକୁ ପ୍ରମାଣ ମିଳିଥିଲା। ଲକ୍ଷ୍ନୌରେ ପିଏଫଆଇର ରାଜ୍ୟ ଅଧ୍ୟକ୍ଷ ୱସୀମ ଅହମ୍ମଦ ସମେତ ପିଏଫଆଇର ୩ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ଏହାବ୍ୟତୀତ ସାମଲୀରେ ଏହି ସଂଗଠନର ୧୮ ସଦସ୍ୟ ଗିରଫ କରିଛନ୍ତି।

Comments are closed.