ଏପ୍ରିଲ ୧୪ ପରେ ମଧ୍ୟ ଉତ୍ତର ପ୍ରଦେଶରେ ଲକଡାଉନ ଜାରି !

ଲକ୍ଷ୍ନୌ: ଏପ୍ରିଲ ୧୪ ପରେ ମଧ୍ୟ ଉତ୍ତର ପ୍ରଦେଶରେ ଲକଡାଉନ ଜାରି ରହିପାରେ। ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ଅବନିଶ ଅବସ୍ଥି  କହିଛନ୍ତି ଯେ, ଯଦି କରୋନା ଭାଇରସର ଗୋଟିଏ ବି ମାମଲା ରାଜ୍ୟରେ ରହିବ ତେବେ ଲକ୍‌ଡାଉନ୍‌ ଖୋଲିବ ନାହିଁ। ଅନ୍ୟପଟେ ଉତ୍ତର ପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୩୦୫ରେ ପହଞ୍ଚି ଯାଇଛି।

ଅବନିଶ ଅବସ୍ଥି କହିଛନ୍ତି ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୨୭ଟି ନୂତନ କେସ୍ ସାମ୍ନାକୁ ଆସିଛି। ଏଥିରୁ ୨୧ ଜଣ ତବଲିଗି ଜମାତରୁ ଫେରିଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୫ରେ ରହିଛି। ସେମାନଙ୍କ ମଧ୍ୟରୁ ୧୫୯ ରୋଗୀ ତବଲିଗି ଜମାତ ସହ ଜଡିତ ଅଛନ୍ତି।ଏପ୍ରିଲ ୧୪ ପରେ ଲକ୍‌ଡାଉନ୍‌ ଖୋଲାଯିବା ବିଷୟରେ ଅବନିଶ ଅବସ୍ଥି କହିଛନ୍ତି ଯେ, ଲକ୍‌ଡାଉନ୍‌ ଖୋଲିବା ଉପରେ ଏବେଠୁ କହିବା ତରବରିଆ ହେବ। ଲକ୍‌ଡାଉନ୍‌ ଖୋଲିବାକୁ ଏବେ ମଧ୍ୟ ଆହୁରି ସମୟ ଲାଗିବ। ଏପ୍ରିଲ ୧୪ ପରେ ମଧ୍ୟ ଲକ୍‌ଡାଉନ୍‌ ଜାରି ହେବାର ସମ୍ଭାବନା ରହିଛି। ଯଦି ରାଜ୍ୟରେ ଗୋଟିଏବି କରୋନା କେସ୍ ରହେ ତେବେ ଲକ୍‌ଡାଉନ୍‌ ଖୋଲିବ ନାହିଁ।

Comments are closed.