କରୋନା ଆତଙ୍କ : କିମ-୨ ସଙ୍ଗଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେଲେନି ରାଷ୍ଟ୍ରପତି ଉନ୍‌

ନୂଆଦିଲ୍ଲୀ : ଉତ୍ତର କୋରିଆର ପ୍ରତିଷ୍ଠାତା କିମ୍‌-୨ ସଙ୍ଗଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେଲେନି ରାଷ୍ଟ୍ରପତି କିମ୍‌ ଜଙ୍ଗ ଉନ୍‌। ଗୁରୁବାର ପୋୟାଗଙ୍ଗରେ ଅନୁଷ୍ଠିତ ଦେଶର ପ୍ରମୁଖ ଉତ୍ସବ ତଥା ବଡ ଛୁଟିଦିନରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଉନ୍‌ ଯୋଗ ନଦେବାକୁ ନେଇ ଚର୍ଚା ଜୋର ଧରିଛି। ବିଶ୍ବବ୍ୟାପୀ କରୋନାକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଉତ୍ତର କୋରିଆ ଏଥିରୁ ବର୍ତ୍ତିଯାଇଥିବା କୁହାଯାଉଥିବା ବେଳେ ରାଷ୍ଟ୍ରପତି ଏହି ପ୍ରମୁଖ ଉତ୍ସବକୁ ନ ଆସିବା ଘଟଣା କରୋନା ଭୟକୁ ଦର୍ଶାଉଥିବା ଆଲୋଚନା ହେଉଛି।

ରାଷ୍ଟ୍ରପତି ହେବା ପରେ ୨୦୧୧ ମସିହାରୁ ରାଷ୍ଟ୍ରପତି ଉନ୍‌ ନିଜର ଜେଜେବାପା କିମ୍‌-୨ ସଙ୍ଗଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେଇଆସୁଥିବା ବେଳେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଯୋଗ ଦେଇ ନାହାନ୍ତି। ଦେଶର ପୂର୍ବତନ ନେତା ପାକ ପୋଙ୍ଗ ଜୁ, ସାମରିକ ଅଧିକାରୀ ଚୋଏ ରୋଙ୍ଗ ହେଙ୍କ ସମେତ ବହୁ ଅଧିକାରୀ ଏହି ଉତ୍ସବରେ ଯୋଗ ଦେଇଥିବା ଦେଖାଯାଇଥିଲା। ମାତ୍ର ରାଷ୍ଟ୍ରପତି ଉନ୍‌ ଉତ୍ସବକୁ ଯାଇନଥିବା ବେଳେ ତାଙ୍କ ଭଉଣୀ କିମ୍ ୟୋ ଜଙ୍ଗ ଯିଏ ଦେଶର ଦ୍ବିତୀୟ ନେତା ଭାବେ ପରିଚିତ ସେ ମଧ୍ୟ ଯାଇ ନ ଥିଲେ। ଏହି ପ୍ରମୁଖ ଉତ୍ସବରେ ରାଷ୍ଟ୍ରପତି ଉନ୍‌ଙ୍କ ଅନୁପସ୍ଥିତିକୁ ନେଇ ଦେଶର ସମୀକ୍ଷକ ବିଭିନ୍ନ ଅଟକଳ ଲଗାଇଛନ୍ତି। କିଛି ଆଲୋଚକଙ୍କ କହିବା ଅନୁଯାୟୀ ରାଷ୍ଟ୍ରପତି ଏହି ଉତ୍ସବକୁ ପ୍ରାଥମିକତା ଦେବାକୁ ଚାହୁଁ ନଥିବା ଜଣାପଡିଥିବା ବେଳେ ସେ ଅସୁସ୍ଥ ଥିବା ଅନ୍ୟ କିଛି ସମୀକ୍ଷକ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତି ଉନ୍‌ଙ୍କ ମଙ୍ଗଳବାର, ସୋମବାରର ବିଭିନ୍ନ ସରକାରୀ କାର୍ଯ୍ୟ ସମୀକ୍ଷାର ଫଟୋ ଦିଆଯାଇ ସେ ସୁସ୍ଥ ଥିବା ଦର୍ଶାଇବାକୁ ଚେଷ୍ଟା କରାଯାଇଛି। ସୂଚନାଯୋଗ୍ୟ ଯେ ଉତ୍ତର କୋରିଆରେ କରୋନା ନଥିବା ସରକାରଙ୍କ ପକ୍ଷରୁ କୁହାଯାଉଥିବା ବେଳେ ଅନେକ ଲୋକଙ୍କୁ ସଂଗରୋଧ କରାଯାଇଥିବା ଜଣାପଡିଛି।

Comments are closed.