ଉନ୍ନାଓ ପୀଡ଼ିତାଙ୍କ ଶେଷ ଇଚ୍ଛା; ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ କରିଥିଲେ ଗୁହାରି

ନୂଆଦିଲ୍ଲୀ: ପ୍ରାୟ ୪୩ ଘଣ୍ଟା ଧରି ଜୀବନ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ଗଣବଳାତ୍କାରର ଶିକାର ହୋଇଥିବା ଉନ୍ନାଓ ପୀଡ଼ିତା। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ପୀଡ଼ିତା ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଗୁହାରି କରିଥିଲେ। ଏହା ହିଁ ତାଙ୍କର ଶେଷ ଇଚ୍ଛା ଥିବା ବୋଲି ତାଙ୍କ ଭାଇ କହିଛନ୍ତି। ପୀଡ଼ିତାଙ୍କ ଭାଇ ତାଙ୍କ ସହିତ ଶେଷ ସମୟ ପର୍ଯ୍ୟନ୍ତ ରହିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ପୀଡ଼ିତାଙ୍କ ମୃତ୍ୟୁ ସମ୍ପର୍କରେ ଭାଇଙ୍କୁ ପଚାରିବାରୁ ସେ କହିଥିଲେ, ମୋ ପାଖରେ କହିବାକୁ କିଛି ନାହିଁ। ମୋ ଭଉଣୀ ଏବେ ମୋ ସହିତ ନାହିଁ। ମୋର କେବଳ ଗୋଟିଏ ଦାବି ଯେ, ୫ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ମିଳିବା ଉଚିତ। ଏହା ବ୍ୟତୀତ ଆଉ କିଛି ଦରକାର ନାହିଁ।

ସୂଚନା ଅନୁସାରେ, ଯୁବତୀଙ୍କୁ ଗତ ମାର୍ଚ୍ଚରେ ଗଣବଳାତ୍କାର କରାଯାଇଥିଲା। ଏ ସମ୍ପର୍କରେ ସେ ୫ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କ ମଧ୍ୟରୁ ୨ ଅଭିଯୁକ୍ତ ଜାମିନରେ ଆସିଥିଲେ। ଗତ ଗୁରୁବାର କୋର୍ଟରେ ମାମଲାର ଶୁଣାଣି ଥିବାରୁ ପୀଡ଼ିତା ଭୋର ସମୟରେ ନିଜ ଗାଁରୁ ରାଏବରେଲୀସ୍ଥିତ କୋର୍ଟକୁ ଯିବା ଲାଗି ବୈସୱାରା ବିହାର ରେଳ ଷ୍ଟେଶନକୁ ଆସୁଥିଲେ। ତେବେ ଜାମିନରେ ଆସିଥିବା ୨ ଅଭିଯୁକ୍ତ ଗାଁଠୁ ଅଳ୍ପ ଦୂରରେ ତାଙ୍କୁ ଛକି ରହିଥିଲେ। ଉକ୍ତ ୨ ଅଭିଯୁକ୍ତ ସମତେ ଅନ୍ୟ ୨ ଯୁବକ ମିଶି ବାଟରେ ପୀଡ଼ିତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡକୁ ଠେଙ୍ଗାରେ ପଟିଦେବା ସହିତ ତଣ୍ଟିକୁ ଛୁରିରେ ଆକ୍ରମଣ କରିଥିଲେ। ପୀଡ଼ିତା ତଳେ ପଡ଼ିଯିବା ପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲାବେଳେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comments
Loading...