ଅବିବାହିତାଙ୍କୁ ଗର୍ଭପାତ ଆଇନ ପରିସର କରିବା ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗର୍ଭପାତ ଆଇନ କ୍ଷେତ୍ରରେ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ବାଛବିଚାର କରାଯିବା ଉଚିତ୍ ନୁହେଁ। ଅବିବାହିତ ମହିଳାଙ୍କୁ ଗର୍ଭପାତ ଆଇନ (ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ଆକ୍ଟ)ରୁ ବାଦ୍ ଦିଆଯିବା ଦ୍ବାରା ସେମାନଙ୍କ ବ୍ୟକ୍ତିଗତ ସ୍ବାଧୀନତା କ୍ଷୁଣ୍ଣ ହେଉଛି। ସୁପ୍ରିମକୋର୍ଟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ଜେବି ପର୍ଡିୱାଲଙ୍କୁ ନେଇ ଗଠିତ ପୀଠ ଅବିବାହିତ ମହିଳାଙ୍କୁ ଗର୍ଭପାତ ଆଇନ ପରିସରଭୁକ୍ତ କରିବା ସପକ୍ଷରେ ମତ ଦେବା ପୂର୍ବକ ଏହା କହିଛନ୍ତି। ବିଚାରପତି ଦ୍ବୟ କହିଛନ୍ତି​‌ ଯେ ଲିଭ ଇନ୍‌ ରିଲେସନ କିମ୍ବା ଅନ୍ୟ କୌଣସି କାରଣରୁ ଗର୍ଭଧାରଣ କରୁଥିବା ଅବିବାହିତ ମହିଳାଙ୍କୁ ୨୦ ସପ୍ତାହ ପରେ ଗର୍ଭପାତ ଲାଗି ଅନୁମତି ଦିଆଯିବା ଦରକାର। ଏପରିକି ଡାକ୍ତରୀ ଦଳର ପରାମର୍ଶ ଆଧାରରେ ଅବିବାହିତାଙ୍କୁ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭସ୍ଥ ଭ୍ରୂଣର ଗର୍ଭପାତ କରାଇବାକୁ ଅନୁମତି ଦିଆଯିବା ଉଚିତ୍‌। ମାତ୍ର ଆମ ଦେଶର ଗର୍ଭପାତ ଆଇନ ଅନୁଯାୟୀ ଅବିବାହିତାଙ୍କୁ ୨୦ ସପ୍ତାହ ପରେ ଭ୍ରୂଣ ଗର୍ଭପାତ ପାଇଁ ଅନୁମତି ଦିଆଯାଉ ନାହିଁ। ଗର୍ଭପାତ ଆଇନ ଅନୁଯାୟୀ ବିବାହିତାଙ୍କୁ ୨୪ ସପ୍ତାହର ଭ୍ରୂଣକୁ ଅଦାଲତଙ୍କ ଅନୁମୋଦନ କ୍ରମେ ଗର୍ଭପାତ ଲାଗି ଅନୁମତି ଦିଆଯାଇଥାଏ। ଜୁଲାଇ ୨୧ରେ ଜଣେ ୨୫ବର୍ଷୀୟା ଅବିବାହିତାଙ୍କୁ ତାଙ୍କର ୨୪ ସପ୍ତାହର ଭ୍ରୂଣକୁ ଗର୍ଭପାତ ଲାଗି ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ।

Comments are closed.