ଆସନ୍ତାକାଲି ଅନଲକ୍ ର ଶେଷ ଦିନ

ନୂଆଦିଲ୍ଲୀ : ଦେଶବ୍ୟାପୀ ତିନି ପର୍ଯ୍ୟାୟ ଲକଡାଉନ୍ ପରେ ପ୍ରଥମ ପର୍ଯ୍ୟାୟ ଅନଲକର ଆସନ୍ତାକାଲି ଶେଷ ଦିନ। ଅନଲକ୍ ଅବା ପଞ୍ଚମ ପର୍ୟ୍ୟାୟ ଲକଡାଉନ୍ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ସମଗ୍ର ଭାରତରେ କେତେକ କୋହଳ ସହିତ ସରକାର ଅଧିକାଂଶ କାର୍ଯ୍ୟକଳାପର ପ୍ରଥମ ପର୍ଯ୍ୟାୟ ଖୋଲିବାକୁ ଅନୁମତି ଦେଇଥିଲେ।
ଏହି ସମୟରେ ସରକାର ମଧ୍ୟ ରାଜ୍ୟ ତଥା ରାଜ୍ୟ-ରାଜ୍ୟ ମଧ୍ୟରେ ସାମଗ୍ରୀ ଏବଂ ସାଧାରଣ ଲୋକଙ୍କୁ ବିଭିନ୍ନ କାର୍ଯ୍ୟକଳାପ ପାଇଁ ଅନୁମତି ଦେଇଥିଲେ। ତେବେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ନିୟମ ଗୁଡିକ କଡାକଡି ଭାବରେ କାର୍ଯ୍ୟକାରୀ ହେଉଛି।
ଧାର୍ମିକ ସ୍ଥାନ, ସପିଂ ମଲ୍, ରେଷ୍ଟୁରାଣ୍ଟ, ହୋଟେଲ ଏବଂ ଅଫିସ୍ ଯାହା ଲକଡାଉନ୍ ଯୋଗୁଁ ବନ୍ଦ ହୋଇଯାଇଥିଲା ଚଳିତ ମାସର ୮ ତାରିଖ ଦିନ ଅଣ-କଣ୍ଟେନମେଣ୍ଟ ଜୋନରେ ଖୋଲାଯାଇଥିଲା।
ତେବେ ସରକାର କହିଛନ୍ତି ଯେ ସମସ୍ତଙ୍କୁ କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ପଡିବ ଯାହା ଦ୍ବାରା ସାମାଜିକ ଦୂରତା ନିଶ୍ଚିତ ହୋଇପାରିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୧୬ ଓ ୧୭ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ଥିଲା ଷଷ୍ଠ ଆଲୋଚନା।
ସୂଚନା ଯୋଗ୍ୟ,ମାର୍ଚ୍ଚ ୨୪ ତାରିଖରୁ ସାରା ଦେଶରେ କଡାକଡି ଭାବେ ଲକଡାଉନ୍ ଜାରି କରାଯାଇଥିଲା। କେବଳ ଅତ୍ୟାବଶ୍ୟକ ସେବା ଓ କାର୍ୟ୍ୟକଳାପ ବ୍ୟତୀତ ସମସ୍ତ କାର୍ଯ୍ୟକଳାପ ନିଷେଧ ଥିଲା।
ପରବର୍ତ୍ତୀ ସମୟରେ, ପର୍ଯ୍ୟାୟକ୍ରମେ ଏବଂ କୋଭିଡ-୧୯ର ସଂପ୍ରସାରଣକୁ ଦୃଷ୍ଟିରେ ରଖି ଧିରେ ଧିରେ ଲକଡାଉନ୍ କୋହଳ କରାଯାଇଥିଲା।

Comments are closed.