ଗ୍ରୀଣ୍ଡୋଲା ଜଙ୍ଗଲ ମଝି ରାସ୍ତାରେ ଅଜଣା ଯୁବକକୁ ହତ୍ୟା

ଯୁବକର ମୁଣ୍ଡରେ ଗାଡ଼ି ଚଢ଼ାଇ ପ୍ରମାଣ ନଷ୍ଟ ଉଦ୍ୟମ

ଲଖନପୁର  : ଝାରସୁଗୁଡ଼ା ଜିଲା ଲଖନପୁର ଥାନା ବଞ୍ଜାରୀ ପଞ୍ଚାୟତ ଅନ୍ତର୍ଗତ ଗ୍ରୀଣ୍ଡୋଲା ଗ୍ରାମ ନିକଟସ୍ଥ ଜଙ୍ଗଲ ମଝି ରାସ୍ତାରେ ଜଣେ ଅଜଣା ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। କେହି ଦୁବୃର୍ତମାନେ ମୃତ ଯୁବକର ହାତ, ଗୋଡ଼ ଓ ମୁହଁକୁ ବାନ୍ଧି ରାସ୍ତା ମଧ୍ୟରେ ତାଙ୍କ ମୁଣ୍ଡରେ ଗାଡ଼ି ଚଢ଼ାଇ ମୁଣ୍ତକୁ ଚୁରମାର କରି ଜଘନ୍ୟ ଭାବରେ ହତ୍ୟା କରିଥିବା ଜଣାପଡ଼ିଛି। ଏହା ସହ ସମସ୍ତ ପ୍ରମାଣକୁ ମଧ୍ୟ ନଷ୍ଟ କରିବା ପାଇଁ ଉଦ୍ୟମ କରାଯାଇଛି। ମୃତ ଯୁବକ ଜଣକର ବୟସ ପ୍ରାୟ ୩୫ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ତାଙ୍କ ପରିଚୟ ମିଳିପାରିନଥିଲା। ଘଟଣା ସ୍ଥଳରେ ରାସ୍ତା ଉପରେ ଏହି ଅଜଣା ଯୁବକର ମୁଣ୍ତ ଚୁରମାର ହୋଇ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଲଖନପୁର ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଯୁବକର ମୃତଦେହକୁ ଉଦ୍ଧାର କରିବା ସହ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ପୁଲିସ ଆଖପାଖର ସିସିଟିଭି ଫୁଟେଜ ଓ ସାଇଣ୍ଟିଫିକ ଦଳ ଜରିଆରେ ଅଧିକ ତଦନ୍ତ ଜାରି ରଖିଛି।

ଘଟଣାସ୍ଥଳରୁ ମୃତ ଯୁବକର ଅଙ୍ଗୁଳି , ରକ୍ତ ନମୁନା ସହ ଯାନବାହାନର ଚକ ଚିହ୍ନ ଆଦି ବିଭିନ୍ନ ଜରୁରୀ ନମୁନା ସଂଗ୍ରହ କରାଯାଇଥିବା ବେଳେ ଏହାର ପରୀକ୍ଷା ପାଇଁ ଲାବୋଟାରୀକୁ ପଠାଯିବ। ଏହାର ରିପୋର୍ଟ ଆସିବା ପରେ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ପୁଲିସ ପ୍ରକାଶ କରିଛି। ତେବେ ଏହି ମାମଲାରେ ସମ୍ପୃକ୍ତ ଅପରାଧିମାନେ ଏହି ହତ୍ୟାକାଣ୍ଡର ସମସ୍ତ ପ୍ରମାଣ ଓ ପରିଚୟ ନଷ୍ଟ କରିବା ଉଦ୍ଦେଶ୍ୟରେ ଯୁବକର ମୁଣ୍ଡକୁ ଗାଡ଼ିରେ ଚଢ଼ାଇ ମୁଣ୍ତ ଓ ଚେହେରାକୁ ସମ୍ପୂର୍ଣ ନଷ୍ଟ କରିଦେଇଛନ୍ତି। ମୃତ ଯୁବକ ଜଣକ ଏକ କଳା ରଙ୍ଗର ହାପ ପ୍ୟାଣ୍ଟ ଓ ହଳଦିଆ ରଙ୍ଗର ସାର୍ଟ ପରିଧାନ କରିଥିବା ବେଳେ ଏକ ଧଳା ଗଞ୍ଜିରେ ତାଙ୍କ ଦୁଇ ହାତ, ଏକ କେବୁଲରେ ଦୁଇ ଗୋଡ଼ ଓ ଏକ ହଳଦିଆ ସାର୍ଟରେ ମୁହଁକୁ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ସେ ସ୍ଥାନୀୟ ଅଞ୍ଚଳର ହୋଇନଥିବା ସହ ଯୋଜନା ମୁତାବକ ତାଙ୍କୁ ଅନ୍ୟ କୌଣସି ସ୍ଥାନରୁ ଅଣାଯାଇ ଏହି ସ୍ଥାନରେ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରୁଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣା ପ୍ରଚାରିତ ହେବା ମାତ୍ରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣା ସ୍ଥଳକୁ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶ, ଲଖନପୁର ଥାନାଧିକାରୀ ପବିତ୍ର କିଶାନ, ଓରିଆଣ୍ଟ ଥାନାଧିକାରୀ ବୈକୁଣ୍ଠ ବିହାରୀ ସେଠ, ବେଲପାହାଡ଼ ଥାନାଧିକାରୀ ରଶ୍ମୀତା ବେହେରା, ବ୍ରଜରାଜନଗର ଏସଆଇ ପି.କେ. ସ୍ଵାଇଁ, ସାଇଣ୍ଟିଫିକ ଦଳରେ ଫିଙ୍ଗରପ୍ରିଣ୍ଟ ଏସଆଇ ଜେ. ବାରା, ଡା. ଜୀବର୍ଦ୍ଧନ ମେହେର, ନରେଶ ବିଶ୍ଵାଳ ପ୍ରମୁଖ ଅଧିକାରୀ ପହଞ୍ଚି ତଦନ୍ତ କରିଥିବା ପ୍ରକାଶ।

Comments are closed.