୨୦୨୭ ସୁଦ୍ଧା ଚନ୍ଦ୍ରରେ “ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର” ପ୍ରତିଷ୍ଠା ନେଇ ଆମେରିକାର ଘୋଷଣା

ଚୀନ୍‌କୁ ମହାକାଶ ଦୌଡକୁ ଟାଣିବା ଆମେରିକାର ଉଦେଶ୍ୟ ବୋଲି କହିଲା ଚୀନ

ୱାଶିଂଟନ : ଚନ୍ଦ୍ରରେ ଆରମ୍ଭ ହେବ ପରମାଣୁ ଦୌଡ। ବିଶ୍ଵର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଚନ୍ଦ୍ରରେ ୨୦୨୭ ସୁଦ୍ଧା “ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର” ପ୍ରତିଷ୍ଠା ନେଇ କରିଛି। ନିକଟରେ ପ୍ରକାଶିତ ଆମେରିକାର ସ୍ପେସ୍ ପଲିସି ନିର୍ଦ୍ଦେଶନାମା (SPD-6) କହିଛି ଯେ ଚନ୍ଦ୍ର ପୃଷ୍ଠରେ ଆଣବିକ ଫିସନ୍ (FISAN) ଶକ୍ତି ପ୍ରଣାଳୀ ସ୍ଥାପନ କରାଯିବା ଉଚିତ୍। ଏହି ସିଷ୍ଟମ୍ ଏପରି ହେବା ଉଚିତ ଯେ ଏହା ୪୦ କିଲୋୱାଟ କିମ୍ବା ଅଧିକ ଶକ୍ତି ଉତ୍ପାଦନ କରିପାରିବ। ତେବେ ଆମେରିକା ଚନ୍ଦ୍ର ପୃଷ୍ଠରେ “ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର” ପ୍ରତିଷ୍ଠା ନେଇ ଘୋଷଣା କରିବା ପରେ ଚୀନ ଆମେରିକାର ଏହି ପଦକ୍ଷେପକୁ ନିନ୍ଦା କରିବା ସହ ଆମେରିକା ଏହି ନିଷ୍ପତ୍ତି ଭବିଷ୍ୟତରେ ଚନ୍ଦ୍ରରେ ଏକ ଆଣବିକ ଦୌଡ ଆରମ୍ଭ କରିବ ବୋଲି କହିଛି। ଚୀନ୍ ବିଶେଷଜ୍ଞମାନେ କହିଛନ୍ତି ଯେ ଚୀନ୍‌କୁ ମହାକାଶ ଦୌଡକୁ ଟାଣିବା ଏହା ହେଉଛି ଆମେରିକାର ନୂତନ ଉଦ୍ଦେଶ୍ୟ।

ଆମେରିକା ଚନ୍ଦ୍ର ପୃଷ୍ଠରେ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଘୋଷଣା କରିବା ପରେ ଚୀନ ଏହାକୁ ନିନ୍ଦା କରୁଥିଲେ ମଧ୍ୟ ଆଗକୁ ଚୀନ ମଧ୍ୟ ଏହି ରାସ୍ତା ଆପଣେଇ ପାରେ। କାରଣ ଗତ ୧୭ ତାରିଖରେ ଚୀନର ଚନ୍ଦ୍ରଯାନ ଚାଙ୍ଗ୍‌-ଇ-୫ ସଫଳତାର ଚନ୍ଦ୍ର ଅଭିଯାନ ଶେଷ କରିଛି ଫେରିଛି। ଚୀନର ଚନ୍ଦ୍ରଯାନ ଚାଙ୍ଗ୍‌-ଇ-୫ ଚନ୍ଦ୍ରପୃଷ୍ଠରୁ ମାଟି ଏବଂ ଆବର୍ଜନାରୁ ନମୁନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିଛି। ଚନ୍ଦ୍ର ପୃଷ୍ଠରୁ ଆସିଥିବା ନମୂନାକୁ ବର୍ତ୍ତମାନ ଚୀନ ପରୀକ୍ଷାନିରୀକ୍ଷା କରୁଥିବା ​‌ବେଳେ ଆଗକୁ ଚୀନ ମଧ୍ୟ କିଛି ବଡ ନିଷ୍ପତ୍ତି ନେଇପାରେ ବୋଲି ଚର୍ଚା ହେଉଛି।

ତେବେ ୨୦୨୭ ସୁଦ୍ଧା ଚନ୍ଦ୍ରରେ “ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର” ପ୍ରତିଷ୍ଠା ନେଇ ଆମେରିକାର ଘୋଷଣା  ଖବରକୁ ନେଇ ଚାଇନାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚୀନ୍‌ର ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଆମେରିକାର ଏହି ଅଭିଳାଷ ଭବିଷ୍ୟତରେ ଚନ୍ଦ୍ରରେ ସାମରିକ ଦୌଡର ରୂପ ନେଇପାରେ। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଆମେରିକା ସର୍ବଦା ନିଜକୁ ସର୍ବବୃହତ ସାମରିକ ଶକ୍ତି ଦର୍ଶାଉଥିବା ବେଳେ ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ସମାରିକ ଶକ୍ତି ବଢାଇବାର ଯୋଜନା କରୁଛି।

ଅନ୍ୟପକ୍ଷେ ଆମେରିକା ଦାବି କରିଛି ଯେ ଚନ୍ଦ୍ର ପୃଷ୍ଠରେ “ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର” ପ୍ରତିଷ୍ଠା କରିବାର ମୂଳ ଲକ୍ଷ୍ୟ ହେଉଛି “ସ୍ଥିର ଚନ୍ଦ୍ର ଉପସ୍ଥିତି ଏବଂ ମଙ୍ଗଳ ଗ୍ରହର ଅନୁସନ୍ଧାନ। ଏହାର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରରେ ଦୀର୍ଘ ସମୟ ଏବଂ ମଙ୍ଗଳ ଗ୍ରହରେ ରହିବା ପାଇଁ ଆବଶ୍ୟକ ଶକ୍ତି ଯୋଗାଣକୁ ସମର୍ଥନ କରିବା । କିନ୍ତୁ ଚୀନ୍ ସରକାରଙ୍କ ସୂତ୍ର ହେଉଛି ଯେ ଏହା ପଛରେ ଆମେରିକାର ଉଦ୍ଦେଶ୍ୟ ସାମରିକ ଅଟେ।

ପରମାଣୁ ଅସ୍ତ୍ର ତିଆରି ପାଇଁ ଆମେରିକା ଚନ୍ଦ୍ରକୁ ବ୍ୟବହାର କରିବ ବୋଲି ଚୀନ ମତ ପ୍ରକାଶ କରୁଥିବା ବେଳେ ଚାଇନାର ଟାଇମ୍ସ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ଚାଇନାର ସାମରିକ ବିଶେଷଜ୍ଞଙ୍କ ମତ ପ୍ରକାଶ କରିଛି। ସେହି ତଥ୍ୟ ଅନୁଯାୟୀ, ଚନ୍ଦ୍ରରେ ପ୍ରଚୁର ପରିମାଣରେ ହିଲିୟମ୍ ଗ୍ୟାସ୍ ଉପଲବ୍ଧ। ଏହା ପରମାଣୁ ବିଭାଜନ ପାଇଁ ବ୍ୟବହୃତ ହୋଇପାରେ । ଚୀନର ବିଶେଷଜ୍ଞ କହିଛନ୍ତି ଯେ ଚନ୍ଦ୍ରରେ ଆଣବିକ ସାମଗ୍ରୀର ଶୋଷଣ ଏବଂ ଆଣବିକ ଶକ୍ତି କେନ୍ଦ୍ର ସ୍ଥାପନ ବିଷୟରେ ଆମେରିକା ଆଲୋଚନା କରିଛି, କିନ୍ତୁ ଶେଷରେ ଏହା ଚନ୍ଦ୍ରକୁ ଆଣବିକ ଅସ୍ତ୍ର ନିର୍ମାଣ ପାଇଁ ଏକ ସ୍ଥାନ ଭାବରେ ବ୍ୟବହାର କରିପାରେ ବୋଲି ସେ ଅଭିଯୋଗ କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ SPD-6 ଜାରି କରିଥିଲେ। ଯାହା ମହାକାଶ ପରମାଣୁ ଶକ୍ତି ଏବଂ କାର୍ଯ୍ୟ ପ୍ରଣାଳୀକୁ ଫଳପ୍ରଦ ଭାବରେ ବ୍ୟବହାର କରିବା ପାଇଁ ଏହା ଏକ ଜାତୀୟ ରଣନୀତି ପ୍ରସ୍ତୁତ କରିଛି । ଏହା ଏପରି ଏକ ସମୟରେ ଜାରି କରାଯାଇଥିଲା ଯେତେବେଳେ ଚାଇନାର ଚନ୍ଦ୍ର ଯାନ ଚାଙ୍ଗ୍‌-ଇ-୫ ଚନ୍ଦ୍ରର ଯାତ୍ରା ସମାପ୍ତ କରିବା ସହ ଚନ୍ଦ୍ରରୁ ମାଟିର ନମୂନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିଆସିଥିଲା।

ଚୀନ୍ ବିଶେଷଜ୍ଞମାନେ କହିଛନ୍ତି ଯେ ଚୀନ୍‌କୁ ମହାକାଶ ଦୌଡକୁ ଟାଣିବା ହେଉଛି ଆମେରିକାର ନୂତନ ଉଦ୍ଦେଶ୍ୟ। ୧୯୮୦ ଦଶକରେ ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନ ତତ୍କାଳୀନ ସୋଭିଏତ୍ ୟୁନିଅନକୁ ଷ୍ଟାର୍ ୱାର୍ କାର୍ଯ୍ୟକ୍ରମରେ ଟାଣି ନେଇଥିବା ପରି ସମାନ ଘଟଣା ପୁଣିଥରେ ଘଟିବାକୁ ଯାଉଥିବା ଚୀନ୍ ବିଶେଷଜ୍ଞମାନେ କହିଛନ୍ତି।

ଏଥି ସହିତ ଆମେରିକା ଚନ୍ଦ୍ର ପୃଷ୍ଠରେ “ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର” ପ୍ରତିଷ୍ଠାକୁ ଆନ୍ତର୍ଜାତୀୟ ସହମତି ବିରୁଦ୍ଧରେ ଏକ ପଦକ୍ଷେପ ବୋଲି ମଧ୍ୟ ଚୀନ ଅଭିଯୋଗ କରିଛି। ଚୀନ୍ ବୈଦେଶିକ ବ୍ୟାପାର ବିଶ୍ୱବିଦ୍ୟାଳୟ ପ୍ରଫେସର ଲି ହାଇଡୋଙ୍ଗ କହିଛନ୍ତି ଯେ ମହାକାଶରେ ନେତୃତ୍ୱ ନେବାକୁ ଆମେରିକା ଏହି ଯୋଜନା କରିଛି । ଏହା ଆମେରିକାର ଏକପାଖିଆ ପଦକ୍ଷେପ  ମନୋଭାବକୁ ଦର୍ଶାଉଛି। ଏହା ସ୍ପେସ୍ ବ୍ୟବହାର ବିଷୟରେ ଆନ୍ତର୍ଜାତୀୟ ସହମତି ବିରୋଧୀ । ସେ କହିଛନ୍ତି ଯେ ୧୯୭୯ ମିଳିତ ଜାତିସଂଘର ସାଧାରଣ ସଭା ଚନ୍ଦ୍ର ଚୁକ୍ତିନାମାକୁ ଅନୁମୋଦନ କରିଛି। ଏଥିରେ କୁହାଯାଇଛି ଯେ କୌଣସି ଣସି ଦେଶ ଚନ୍ଦ୍ର କିମ୍ବା ଅନ୍ୟ କୌଣସି ଗ୍ରହ କିମ୍ବା ଉପଗ୍ରହକୁ ଦଖଲ କରିବାକୁ ଚେଷ୍ଟା କରିବେ ନାହିଁ। ଆମେରିକା ସେହି ଚୁକ୍ତିରେ ଯୋଗ ଦେଇନଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହି ଚୁକ୍ତିରେ ରଖାଯାଇଥିବା ନିୟମ ମାନିଆସିଥିବା ବେଳେ ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଚୀନ୍ ବୈଦେଶିକ ବ୍ୟାପାର ବିଶ୍ୱବିଦ୍ୟାଳୟ ପ୍ରଫେସର ଲି ହାଇଡୋଙ୍ଗ କହିଛନ୍ତି।

Comments are closed.