ବରଗଡ଼ର ୟୁନାଇଟେଡ୍‌ ସ୍ପୋର୍ଟିଂକୁ ଫାଓ ଆନ୍ତଃଜିଲା କ୍ଳବ ଫୁଟବଲ ମୁକୁଟ

କଟକ: ଫୁଟବଲ ଆସୋସିଏସନ ଅଫ ଓଡ଼ିଶା(ଫାଓ), ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଫାଓ ଆନ୍ତଃଜିଲା କ୍ଲବ ଫୁଟବଲ ପ୍ରତିଯୋଗିତାରେ ବରଗଡ଼ର ୟୁନାଇଟେଡ ସ୍ପୋର୍ଟିଂ କ୍ଲବ ବିଜେତା ଓ କଟକ କ୍ରୀଡ଼ା ଛାତ୍ରାବାସ ଉପବିଜେତା ହୋଇଛନ୍ତି। ଶନିବାର କଳିଙ୍ଗ ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚରେ ୟୁନାଇଟେଡ ସ୍ପୋର୍ଟିଂ କ୍ଲବ ସଡନଡେଥ୍‌ ୪-୩ ଗୋଲରେ କଟକ କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟ ୧-୧ ଗୋଲରେ ଶେଷ ହୋଇଥିଲା। ପରେ ପେନାଲ୍‌ଟି ସୁଟ୍‌ଆଉଟ୍‌ ହୋଇଥିଲା। ଏହା ୩-୩ରେ ଶେଷ ହୋଇଥିଲା। ପରେ ସଡନଡେଥ୍‌ରେ ୟୁନାଇଟେଡ ସ୍ପୋର୍ଟିଂ କ୍ଲବ ବିଜୟୀ ହୋଇଥିଲା।

ପୁରସ୍କାର ବିତରଣୀ ଉତ୍ସବରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ମୁଖ୍ୟ ଅତିଥି, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ, ଶୈଳେନ୍ଦ୍ର ଜେନା, ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ କୋଷାଧ୍ୟକ୍ଷ ଅଧୀପ ଦାସ, ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ସାଧାରଣ ସମ୍ପାଦକ ଆଶୀର୍ବାଦ ବେହେରା ଯୋଗ ଦେଇଥିଲେ। ବିଜେତା ୟୁନାଇଟେଡ ସ୍ପୋର୍ଟିଂ କ୍ଲବ୍‌କୁ ଟ୍ରଫି ସହ ୫୦ ହଜାର ଓ ଉପବିଜେତା କଟକ କ୍ରୀଡ଼ା ଛାତ୍ରାବାସକୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରା ଯାଇଥିଲା। ଫାଓ କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଉପସଭାପତି ବିଜୟ ଦାସ, ଦିଲ୍ଲୀପ କୁମାର ସାହୁ, ହୃଦୟ ରଞ୍ଜନ ବେହେରା, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌, ମହମ୍ମଦ ସାହିଦ୍‌ ଜବାର, ବିଶ୍ବରଞ୍ଜନ ଘଡାଇ, ସଦସ୍ୟ ଅଭୟ ମହାପାତ୍ର, ଧିରେନ ପଲାଇ, ଶୁଭାଶିଷ କର, ୧୬ ବର୍ଷରୁୁ କମ୍‌ ଭାରତୀୟ ଫୁଟବଲ ଦଳର ପ୍ରଶିକ୍ଷକ ଶୁଭେନ୍ଦୁ ପଣ୍ଡା, ପୂର୍ବତନ ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସନ୍ତୋଷ ଟ୍ରଫି ମନୋନୟନ କମିଟି ସଦସ୍ୟ ଫୁଟବଲ ପ୍ରଶିକ୍ଷକ ଗଙ୍ଗାଧର ବେହେରା, ସୁଜିତ ଘୋଷ, ପ୍ରଭାତ କୁମାର ମହାପାତ୍ର, ରଣଜିତ ତିଗା, ମାନସ ସାମଲ, ପ୍ରଫୁଲ୍ଲ ମିଶ୍ର, ନରେନ୍ଦ୍ର କୁମାର ସାହୁ, ପ୍ରଭାକର ବର୍ଦ୍ଧନ, ଓଡ଼ିଶା ସନ୍ତୋଷ ଟ୍ରଫି ଦଳର ମୁଖ୍ୟ ପ୍ରଶିକ୍ଷକ ସାଲିମ ପଠାନ ପ୍ରମୁଖ ଉପସ୍ଥିତ ଥିଲେ।

ଫାଇନାଲକୁ ଶିବଶଙ୍କର ପଣ୍ଡା, ଜ୍ୟୋତିରଞ୍ଜନ ସ୍ବାଇଁ, ପ୍ରଦୀପ୍ତ ନାୟକ ସୁଲତାନ ପରୱିନ ଓ ଦୁର୍ଗାମାଧବ ନାୟକ ପରିଚାଳନା କରିଥିବା ବେଳେ ସୁଜିତ ପାତ୍ର ମ୍ୟାଚ କମିଶନର ଥିଲେ। ରାଜ୍ୟରେ ଫୁଟବଲର ବିକାଶ ନେଇ ନିୟମିତ ପ୍ରୟାସ ଓ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ଆର. ଭିନିଲ କ୍ରିଷ୍ଣାଙ୍କୁ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଧନ୍ୟବାଦ ଦେଇଥିଲେ।

Comments are closed.