ସିଏଏକୁ ନେଇ ଅଡୁଆ : ସୁପ୍ରିମକୋର୍ଟରେ ଜାତିସଂଘ ମାନବାଧିକାର ହାଇକମିଶନର

ନୂଆଦିଲ୍ଲୀ : ନାଗରିକ ସଂଶୋଧନ ଆଇନ୍(ସିଏଏ)କୁ ନେଇ ଅଡୁଆ ବଢିବାରେ ଲାଗିଛି। ସିଏଏ ସଂକ୍ରାନ୍ତରେ ଜାତିସଂଘ ମାନବାଧିକାର ହାଇକମିଶନର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି।
ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ନାଗରିକ ସଂଶୋଧନ ଆଇନ୍ ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି, ଦେଶର ସାର୍ବଭୌମତ୍ୱ ବିଷୟରେ କୌଣସି ବିଦେଶୀ ରାଷ୍ଟ୍ରର କିଛି କହିବାର ଆବଶ୍ୟକତା ନାହିଁ। ନାଗରିକ ସଂଶୋଧନ ଆଇନ୍ ସଂକ୍ରାନ୍ତରେ ଜାତିସଂଘ ମାନବାଧିକାର ହାଇକମିଶନର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିବା ପରିପ୍ରେକ୍ଷୀରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
ରବିଶ କୁମାର କହିଛନ୍ତି, ସିଏଏ ସାମ୍ବିଧାନିକ ଦୃଷ୍ଟିରୁ ବୈଧ ଓ ଭାରତୀୟ ସମ୍ବିଧାନର ସମସ୍ତ ମୂଲ୍ୟବୋଧକୁ ଭିତ୍ତିକରି ଏହା ପ୍ରସ୍ତୁତ କରାଯାଇଛି। ସେ
କହିଛନ୍ତି, ଦେଶ ବିଭାଜନ ଯୋଗୁଁ ଯେଉଁ ମାନବିକ ଅଧିକାର ବିଷୟଗୁଡ଼ିକ ଦେଖା ଦେଇଥିଲା ସେଗୁଡ଼ିକ ପରିପ୍ରେକ୍ଷୀରେ ଭାରତର ଦୀର୍ଘଦିନର ରାଷ୍ଟ୍ରୀୟ ପ୍ରତିଶ୍ରୁତିବଦ୍ଧତା ଏଥିରେ ପ୍ରତିଫଳିତ ଘଟିଛି। ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଦେଶର ଜନସାଧାରଣଙ୍କର ଭାରତୀୟ ନ୍ୟାୟପାଳିକା ପ୍ରତି ପୂର୍ଣ୍ଣ ବିଶ୍ୱାସ ଓ ସମ୍ମାନ ରହିଛି।