ଚିନ୍ତାକଳ୍ପ : ସମଷ୍ଟିଗତ ଜୀବନ

ବ୍ୟକ୍ତିଗତ ଜୀବନ-ଜୀବନଯାତ୍ରାର ପ୍ରାରମ୍ଭିକ ଅଧ୍ୟାୟ। ପ୍ରାୟତଃ ପ୍ରତ୍ୟେକଙ୍କର ଜୀବନଯାତ୍ରା ଏହି ବ୍ୟକ୍ତିଗତ ସ୍ତରରୁ ହିଁ ଆରମ୍ଭ ହୋଇଥାଏ। ନିଜର, ନିଜ ପୁଅଝିଅ, ପତ୍ନୀ, ଆତ୍ମୀୟମାନଙ୍କର ସର୍ବବିଧ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଥାଏ ଏହି ଯାତ୍ରା। ଅନ୍ୟଟି ହେଲା ସମଷ୍ଟିଗତ ଜୀବନ- ଏହା ଜୀବନଯାତ୍ରାର ଧ୍ୟେୟ ବିନ୍ଦୁ, ଅନ୍ତିମ ଲକ୍ଷ୍ୟ ଓ ଗନ୍ତବ୍ୟସ୍ଥଳ। ଏମିତି ଦେଖିଲେ ବ୍ୟକ୍ତିଗତ ଜୀବନ ଅପୂର୍ଣ୍ଣ। ଏହା ସାମାଜିକ ଜୀବନକୁ ଉଦରସ୍ଥ କରି ପରିପୁଷ୍ଟ, ସମୃଦ୍ଧ ହୋଇଥାଏ, ପୂର୍ଣ୍ଣତା ପ୍ରାପ୍ତି ଲାଭ କରିଥାଏ।
ଆବଶ୍ୟକତା ହେଲା- ଆମମାନଙ୍କର ଜୀବନ, ଆମମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପର ଆଧାର ବ୍ୟକ୍ତିଗତ ହେବା ପରିବର୍ତ୍ତେ ସମଷ୍ଟିଗତ ହେବା ଉଚିତ, ସାର୍ବଭୌମ ହେବା ଆବଶ୍ୟକ, ନଦୀର ଜଳ ଅଗଣିତ ଉପକୂଳବାସୀଙ୍କ ଚାହିଦା ମେଣ୍ଟାଇବା ଭଳି ଏହା ରଚନାତ୍ମକ, ସର୍ବୋପରି ଅନ୍ୟପାଇଁ ହିତକାରୀ ହେବା ଆବଶ୍ୟକ।
ମନୁଷ୍ୟ ନିଜ ପାଇଁ ଜିଇ ନରହୁ, ସମାଜ ପାଇଁ, ସଂସାରବାସୀଙ୍କ ପାଇଁ ଜିଇବା ଆବଶ୍ୟକ। ଏହି ସତ୍ୟରେ ବ୍ୟକ୍ତିଗତ ଜୀବନର ଉତ୍କର୍ଷ ସାଧିତ ହୋଇଥାଏ, ଉତ୍‌ଥାନ ସମ୍ଭବ ହୁଏ। ଏହା ସହିତ ସମାଜରେ ପାରସ୍ପରିକ ସହଯୋଗ, ଆତ୍ମୀୟତା, ସୌଜନ୍ୟ, ସମ୍ବନ୍ଧ କାଏମ ରହିଥାଏ। ବିଶ୍ବଯଜ୍ଞରେ ମନୁଷ୍ୟର ପ୍ରତ୍ୟେକ ପ୍ରୟାସ ଆହୂତି ସଦୃଶ। ପ୍ରତ୍ୟେକଙ୍କ ତ୍ୟାଗ, ଆହୁତି ବଳରେ ଧରିତ୍ରୀ ସ୍ବର୍ଗ ହେବା ଅସମ୍ଭବ ନୁହେଁ। ଏ ସମ୍ପର୍କରେ ନିମ୍ନୋକ୍ତ ପ୍ରସଙ୍ଗ।
ସେ ସମୟରେ ବୌଦ୍ଧ ଧର୍ମ ବ୍ୟାପକ ପ୍ରସାର ଲାଭ କରିଥାଏ। କୋଶଳ ନରେଶ ଏହାର ଲୋକପ୍ରିୟତା ଓ ବ୍ୟାପ୍ତି ଲକ୍ଷ୍ୟ କରି ଏହାକୁ ରାଜଧର୍ମ କରିବା ନିମନ୍ତେ ଇଚ୍ଛା ପ୍ରକଟ କରିଥିଲେ।

ମୁଖ୍ୟ ଶ୍ରମଣଙ୍କୁ ପଚାରିଥିଲେ- ‘‘ସଂଘମ୍‌ ଶରଣଂ ଗଚ୍ଛାମି ଅନୁସାରେ ଓ ତଥାଗତଙ୍କ ମତାନୁଯାୟୀ ବୌଦ୍ଧବିହାରମାନଙ୍କରେ ଭିକ୍ଷୁ ସଂଘରେ ରହିବା କ’ଣ ନିହାତି ଜରୁରୀ।’’
ପ୍ରଧାନ ଭିକ୍ଷୁ ଏହା ଶୁଣି କହିଥିଲେ- ‘ରାଜନ୍‌ ! ସଂଘ ଶବ୍ଦ କେବଳ ଭିକ୍ଷୁ/ଶ୍ରମଣମାନଙ୍କ ସଂଘ ମାଧ୍ୟମରେ ସୀମିତ ନୁହେଁ, ଏହା ତ ବ୍ୟାପକ ଅର୍ଥରେ ପ୍ରୟୋଗ କରାଯାଇଛି। ଏହା ସାମାଜିକତାର ଏକ ପର୍ଯ୍ୟାୟ। ବ୍ୟକ୍ତି ଯେତେ ତତ୍ତ୍ବଜ୍ଞ, ବିଦ୍ବାନ ଓ ଜ୍ଞାନୀ ହୁଅନ୍ତୁ ନା କାହିଁକି ଯେତେ ଧର୍ମପରାୟଣ ହୁଅନ୍ତୁ ପଛେ, ଯଦି ସମାଜନିଷ୍ଠ ନହୁଅନ୍ତି ତେବେ ସେ ପ୍ରତିଷ୍ଠିତ, ପଦାଧିକାରୀ ଓ ଯୋଗ୍ୟ ବ୍ୟକ୍ତି ହୋଇଥିଲେ ହେଁ ସମାଜ ପାଇଁ ସମସ୍ୟା ସୃଷ୍ଟି କରିଥାନ୍ତି।
ଏହି ସମସ୍ୟା କେବଳ ତାଙ୍କର ବ୍ୟକ୍ତିଗତ ଆକାଙ୍‌କ୍ଷା ପୂରଣ କାରଣରୁ ହିଁ ସୃଷ୍ଟି ହୋଇଥାଏ। ଏହି ଆକାଙ୍‌କ୍ଷା ଯେତେ ଅଧିକ ହେବ, ସାମାଜିକ ସମସ୍ୟା ସେତେ ଉତ୍କଟ ହେବ। ମନୁଷ୍ୟ ସାମାଜିକ ପ୍ରାଣୀ, ସମାଜର ସର୍ବବିଧ କଲ୍ୟାଣକୁ ଲକ୍ଷ୍ୟ କରି ଆଚରଣ ଓ ମର୍ଯ୍ୟାଦା ନିର୍ଦ୍ଧାରଣ କରିବା ଉଚିତ। ସାମୂହିକତା, ସଂଗଠନ, ସଂଘବଦ୍ଧତାର ଅନିବାର୍ଯ୍ୟତା ଏହି ସୂତ୍ର ବତାଇଥାଏ।

Comments are closed.