ମମତାଙ୍କ ସଂଯୁକ୍ତ ଭାରତ ରାଲି: ଯୋଗଦେବେ ୨୦ରୁ ଊର୍ଦ୍ଧ୍ବ ବିରୋଧୀ ଦଳ

0

କଲକାତା : ବିଜେପି ବିରୋଧୀ ଦଳଗୁଡିକୁ ଏକଜୁଟ କରିବା ପ୍ରୟାସ କ୍ରମେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ରାଜ୍ୟରେ ମହା ରାଲିର ଆୟୋଜନ କରିଛନ୍ତି। ଆଗକୁ ନିର୍ବାଚନ ଆସୁଥିବା ବେଳେ ବିରୋଧୀମାନଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରିବା ନେଇ ଏହା ମମତାଙ୍କ ପାଇଁ ଏକ ବୃହତ ସୁଯୋଗ। ଅନ୍ୟପଟେ ନିଜକୁ ଜଣେ ରାଷ୍ଟ୍ରୀୟ ସ୍ତରର ନେତା ଭାବେ ପ୍ରତିପାଦିତ କରିବା ମଧ୍ୟ ଏହି ରାଲି ପଛରେ ମମତାଙ୍କ ମୂଳ ଲକ୍ଷ୍ୟ ରହିଥିବା କୁହାଯାଉଛି। ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ବିଜେପି ବିରୋଧୀ ସମସ୍ତ ଦଳଗୁଡିକୁ ରାଲିରେ ଯୋଗଦେବା ଲାଗି ସେ ଆମନ୍ତ୍ରଣ କରିଛନ୍ତି। ଏହି ରାଲିରେ ବିରୋଧୀମାନେ ବିଜେପିର ବିଲୟ ଡାକରା ଦେବେ ବୋଲି ମମତା ମଧ୍ୟ ଜୋର ଦେଇ କହିଛନ୍ତି। ସେ କହିଛନ୍ତି, ବିଜେପିର କୁଶାସନ ବିରୋଧରେ ଏହା ଏକ ‘ସଂଯୁକ୍ତ ଭାରତ ରାଲି’ ହେବ। ମମତା କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ୧୨୫ ଟପିବ ନାହିଁ। ଆଞ୍ଚଳିକ ଦଳଗୁଡିକ ବିଜେପିଠାରୁ ଅଧିକ ସଂଖ୍ୟକ ଆସନରେ ଜୟଲାଭ କରି ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ।
କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରରେ ଅସ୍ଥିରତା ସୃଷ୍ଟି ଉଦ୍ୟମ କରୁଥିବା ବିଜେପି ଉପରେ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ରାଲିରେ ସାମିଲ ହେବା ନିମନ୍ତେ ଇତିମଧ୍ୟରେ କଲକାତାରେ ପହଞ୍ଚିଥିବା ଜଣାପଡିଛି। ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ କଲକାତାରେ ପହଞ୍ଚିଛନ୍ତି। ଡିଏମ୍‌କେ ମୁଖ୍ୟ ଏମ୍‌. କେ. ଷ୍ଟାଲିନ ମଧ୍ୟ ଏଥିରେ ଯୋଗଦେବେ ବୋଲି କହିଛନ୍ତି। ତେବେ ବିଏସ୍‌ପି ସୁପ୍ରିମୋ ମାୟାବତୀ ଏହି ରାଲିଠାରୁ ନିଜକୁ ଦୂରେଇ ରଖିଛନ୍ତି। ଦଳୀୟ ନେତା ସତୀଶ ଚନ୍ଦ୍ର ମିଶ୍ର ତାଙ୍କ ପ୍ରତିନିଧି ଭାବେ ରାଲିରେ ପହଞ୍ଚିବେ। କଂଗ୍ରେସକୁ ମଧ୍ୟ ମମତାଙ୍କ ଆମନ୍ତ୍ରଣ ମିଳିଛି। ଦଳୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଲିରେ ଯୋଗ ଦେବେ ନାହିଁ। ମାତ୍ର ସେ ମମତାଙ୍କୁ ଏକ ଚିଠି ଲେଖି ଏହି କାର୍ଯ୍ୟକ୍ରମ ପ୍ରତି ନିଜର ସମ୍ପୂର୍ଣ୍ଣ ସମର୍ଥନ ଜାହିର କରିଛନ୍ତି। ତାଙ୍କ ତରଫରୁ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଅଭିଷେକ ମନୁ ସିଙ୍ଘଭୀ ଯୋଗ ଦେବେ। ଚିଠିରେ ରାହୁଲ ଲେଖିଛନ୍ତି, ଗଣତନ୍ତ୍ର, ସାମାଜିକ ନ୍ୟାୟ ଓ ଧର୍ମନିରପେକ୍ଷତା ଭଳି ନୈତିକ ମୂଲ୍ୟବୋଧ ଭିତ୍ତିରେ ଦେଶର ସୁରକ୍ଷା ତଥା ବିକାଶ କରିବା ଉପରେ ବିରୋଧୀ ଦଳଗୁଡିକ ବିଶ୍ବାସ କରନ୍ତି। ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ ସମ୍ପୂର୍ଣ୍ଣ ଦେଶକୁ ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରିବ। ଅନ୍ୟପଟେ ବିଜେପିକୁ ସର୍ବଦା ସମାଲୋଚନା କରି ଚର୍ଚ୍ଚାରେ ରହିଆସିଥିବା ଦଳୀୟ ନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ମମତାଙ୍କ ରାଲିରେ ଯୋଗ ଦେବାକୁ ସ୍ଥିର କରିଛନ୍ତି। ଦଳରେ ତାଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯାଇ ନ ଥିବା ଦର୍ଶାଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ବିଜେପି ନେତା ୟଶୱନ୍ତ ସିହ୍ନାଙ୍କ ଦ୍ବାରା ଗଠିତ ରାଜନୈତିକ ସଂଗଠନ ‘ରାଷ୍ଟ୍ରମଞ୍ଚ’ର ପ୍ରତିନିଧି ଭାବେ ଯୋଗ ଦେବେ ବୋଲି ସେ ସ୍ପଷ୍ଟ କରିଛନ୍ତି।
ରାଲିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବିଏସ୍‌ପି ମହାସଚିବ ସତୀଶ ଚନ୍ଦ୍ର ମିଶ୍ର, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପୱାର, ଆରଏଲଡି ପକ୍ଷରୁ ଜୟନ୍ତ ସିହ୍ନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶୱନ୍ତ ସିହ୍ନା ଓ ଅରୁଣ ସୌରୀ, ପଟିଦାର ନେତା ହାର୍ଦିକ ପଟେଲ, ଦଳିତ ନେତା ଜିଗ୍ନେଶ ମେୱାନୀ, ଝାଡଖଣ୍ଡ ବିକାଶ ମୋର୍ଚ୍ଚା (ପ୍ରଜାତାନ୍ତ୍ରିକ) ଏବଂ ମଙ୍ଗଳବାର ବିଜେପିରୁ ଇସ୍ତଫା ଦେଇଥିବା ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଗେଗଙ୍ଗ ଅପାଙ୍ଗା ପ୍ରମୁଖ ଯୋଗଦେବେ।

Leave A Reply