ମୂଲ ଲାଗୁଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପିତାମାତା

କୋନୁର: ରାଜନୈତିକ କ୍ଷମତା ପାଇଁ ଚାଲିଛି ପ୍ରତିଯୋଗିତା। ଦେଶ ସେବା ନାମରେ ହେଉଥିବା ଏହି ପ୍ରତିଯୋଗିତା ପଛର ଅସଲ ଉଦ୍ଦେଶ୍ୟ ହେଉଛି ବିଳାସବ୍ୟସନ ଓ ଅର୍ଥ ରୋଜଗାର। ବର୍ତ୍ତମାନ ସମାଜର ଏପରି ମାନସିକତାଧାରୀ ରାଜନେତା ଓ ପରିବାରବାଦ ରାଜନୀତି ମଧ୍ୟରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ରାଜନୈତିକ କ୍ଷମତା ଓ ବିଳାସରୁ ଦୂରେଇ ରହି ନିଜ ଅର୍ଥରେ ସରଳ ଜୀବନଯାପନ କରୁଛନ୍ତି। ଯାହା ସମାଜ ପାଇଁ ଉଦାହରଣ।

ଘଟଣାଟି ହେଉଛି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପିତାମାତା ଦିନ ମଜୁରିଆ ଭାବେ ଜୀବିକା ନିର୍ବାହ କରିବା। ମନ୍ତ୍ରୀଙ୍କ ପିତାମାତା ଶୀତତାପ ନିୟନ୍ତ୍ରଣ ଘର ପରିବର୍ତ୍ତେ ଆଜବେଷ୍ଟସ୍‌ ଘରେ ରହୁଛନ୍ତି। ନିଜର ସ୍ବାଧୀନ ଚେତା ମନୋଭାବ ଓ ସରଳତା ଯୋଗୁଁ ପିତାମାତା ବିଳାସବ୍ୟସନ ଠାରୁ ଦୂରେଇ ରହି ବୋହୂ ଓ ନାତି-ନାତୁଣୀଙ୍କ ସହିତ ଏପରି ଜୀବନ ଅତିବାହିତ କରୁଛନ୍ତି। ନିଜର ଜମିବାଡି ନଥିବାରୁ ପର ଜମିରେ ମୂଲ ଲାଗି ନିଜ ଜୀବିକା ନିର୍ବାହ କରୁଛନ୍ତି।

ଏହି କେନ୍ଦ୍ର ମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦୀଙ୍କ ନବଗଠିତ ମନ୍ତ୍ରିମଣ୍ଡଳରେ ମତ୍ସ୍ୟ, ପ୍ରାଣୀ ସମ୍ପଦ, ଏବଂ ସୂଚନା ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ଲୋଗନାଥନ ମୁରୁଗାନ। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପୂର୍ବରୁ ସେ ତାମିଲନାଡୁ ପାଇଁ ବିଜେପିର ରାଜ୍ୟ ସଭାପତି ରହିଥିଲେ। ତାମିଲନାଡୁ ନମକଲା ଜିଲା କୋନୁର ବାସିନ୍ଦା ମୁରୁଗାନ ଏକ ଦଳିତ ଓ ଗରିବ ପରିବାରରୁ ଆସିଛନ୍ତି। ମୁରୁଗାନଙ୍କ ପିତା ଲୋଗନାଥନ (୬୮) ଓ ମାତା ଏଲ୍ ବରୁଦାମ୍ମଲ (୫୯) ପୂର୍ବପରି ଜମିଦାରଙ୍କ ଜମିରେ କାମ କରୁଛନ୍ତି।

ମୁରୁଗାନ ମନ୍ତ୍ରୀ ହେବା ପରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପିତାମାତାଙ୍କ ପ୍ରତିକ୍ରିୟା ନେଇଥିଲେ। ମା ବରୁଦାମ୍ମଲ କହିଥିଲେ ଯେ ପୁଅ ମନ୍ତ୍ରୀ ହେବା ପଡୋଶୀଙ୍କ ଠାରୁ ଜାଣିବାକୁ ପାଇଛୁ। ଏଥିପାଇଁ ସେମାନେ ଖୁସି ଓ ଗର୍ବିତ। ତେବେ ପୁଅ ମନ୍ତ୍ରୀ ହେବା ପଛରେ ତାଙ୍କର କିଛି ଅବଦାନ ନଥିବା ଉଭୟ ବରୁଦାମ୍ମଲ ଓ ଲୋଗନାଥନ କହିଛନ୍ତି। ମୁରୁଗାନଙ୍କ ପିତାମାତା ଦିନ ମଜୁରିଆ। ଯେତେବେଳେ ଯେଉଁଠି କାମ ମିଳେ ସେତେବେଳେ ସେଠାରେ କାମ କରନ୍ତି। ତେବେ ସମୟକ୍ରମେ ପୁଅ କେନ୍ଦ୍ରମନ୍ତ୍ରୀ ହୋଇଯାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ହେବା ପୂର୍ବରୁ ୨୦୨୦ ମାର୍ଚ୍ଚରେ ମୁରୁଗାନ ବିଜେପି ରାଜ୍ୟ ସଭାପତି ହୋଇଥିଲେ। ସେତେବେଳେ ସେ ବାପ-ମାଙ୍କୁ ଦେଖିବାକୁ ଆସିଥିଲେ। ଦଳୀୟ କର୍ମୀ ଓ ପୁଲିସ ସୁରକ୍ଷା ମଧ୍ୟରେ ଆସି ପୁଅ ବାପ-ମାଙ୍କୁ ଭେଟିଥିଲେ ଓ କାମଧନ୍ଦା ଛାଡି ଚେନ୍ନଇ ପଳାଇ ଆସିବାକୁ କହିଥିଲେ। ବାପ-ମା କିଛି ଦିନ ପାଇଁ ପୁଅ ପାଖକୁ ଯାଇଥିଲେ; ମାତ୍ର ପୁଅର ବ୍ୟସ୍ତବହୁଳ ସହରୀ ଜୀବନ ସେମାନଙ୍କୁ ଭଲ ଲାଗିଲା ନାହିଁ। ଫଳରେ ସେମାନେ ନିଜ କର୍ମସ୍ଥଳକୁ ଫେରିଆସିଲେ। ମୁରୁଗାନଙ୍କ ସାନ ଭାଇଙ୍କର ୫ବର୍ଷ ତଳେ ମୃତ୍ୟୁ ହୋଇଥିବାରୁ ସାନ ବୋହୂ ଓ ନାତି ନାତୁଣୀଙ୍କ ଦାୟିତ୍ବ ଏବେ ପିତାମାତା ନେଉଛନ୍ତି।

ଲୋଗନାଥନ ଓ ବରୁଦାମ୍ମଲ ପ୍ରାୟତଃ ଜମି ମାଲିକ କେଝସାଥାମ୍ବୁର ପଲାନିସ୍ବାମୀଙ୍କ ଜମିରେ କାମ କରନ୍ତି। ପଲାନିସ୍ବାମୀ କହିଛନ୍ତି ପୁଅ ମନ୍ତ୍ରୀ ହେବା ସତ୍ତ୍ବେ ଲୋଗନାଥନ ଓ ବରୁଦାମ୍ମଲଙ୍କ ହାବଭାବରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଗାଁ ଲୋକଙ୍କ କହିବା ଅନୁଯାୟୀ ଲୋଗନାଥନ ଏବେ ମଧ୍ୟ ସରକାରୀ ରେସନ ଦୋକାନରେ ଧାଡିରେ ଠିଆ ହୋଇ ନିଜ ରେସନ ଆଣୁଛନ୍ତି। ତାଙ୍କର ନିଜସ୍ବ ଜମି କିମ୍ବା ଘରବାଡି ନାହିଁ। ମୁରୁଗାନ ଜଣେ ମେଧାବୀ ଛାତ୍ର ଥିଲେ। ଗାଁ ବିଦ୍ୟାଳୟରେ ପାଠ ପଢିବା ପରେ ସେ ଆଇନ ପଢିବା ଲାଗି ଚେନ୍ନଇ ପଳାଇଥିଲେ। ସେଠାରେ ମୁରୁଗାନ ସାଙ୍ଗସାଥୀଙ୍କ ସହାୟତା ଓ ବୃତ୍ତି ଅର୍ଥରେ ଆମ୍ବେଦକର ଆଇନ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିଲେ। ପରେ ସେ ମାଡ୍ରାସ ବିଶ୍ବବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ।

Comments are closed.