ଓଡିଶା ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ : ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ଏବଂ ଜାପାନ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

  • ରାଜ୍ୟରେ ଇସ୍ପାତ୍ ଶିଳ୍ପର ଅଭିବୃଦ୍ଧି ନେଇ ଆଲୋଚନା ସମଗ୍ର ଭାରତବର୍ଷରେ ଓଡିଶାରୁ ସିଂହ ଭାଗ ଇସ୍ପାତ୍ ଇତ୍ପାଦନ ହେବ
  • ରାଜ୍ୟର ଇସ୍ପାତ୍ କ୍ଷେତ୍ରକୁ ବଢାଇ ଓଡିଶାର ବିକାଶ କରିବା ଲକ୍ଷ୍ୟ
  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ କଳିଙ୍ଗ ନଗରକୁ ବିଶ୍ୱ ଇସ୍ପାତ୍ ଶିଳ୍ପର ପେଣ୍ଠସ୍ଥଳି ଭାବେ ଗଢିତୋଳିବା ଲକ୍ଷ୍ୟ

ଭୁବନେଶ୍ୱର : ଓଡିଶା ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ ବୋଲି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜିକିଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆର୍ସେଲର ମିତଲକୁ ପ୍ଲାଂଟକୁ ନେବା ପରେ ନିପନ ଷ୍ଟିଲ୍ ଏଥିରେ ବଡ ସହଯୋଗୀ ହୋଇଛି। ଏହାସହ ଜାପାନର ଇସ୍ପାତ୍ କମ୍ପାନୀ ଜେଏଫଇ ଜେଏସଡବ୍ଲୁ ସହ ସହଭାଗୀ ହୋଇଛି। ଓଡିଶାର ଇସ୍ପାତ୍ ଶିଳ୍ପରେ ଜାପାନର ଦୁଇଟି ବଡ ଇସ୍ପାତ୍ କମ୍ପାନୀ ଜେଏଫ୍ଇ ଏବଂ ନିପନ ବଡ ପୁଞ୍ଜିନିବେଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ମିଶନରେ ଜାପାନ ଏକ ସହଯୋଗୀ ରାଷ୍ଟ୍ର ହେବା ଆମର ଲକ୍ଷ୍ୟ। ଏହାସହ ଏହି ମିଶନରେ ଓଡିଶାର କଳିଙ୍ଗ ନଗରର ବିକାଶ କରାଯାଇପାରିବ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ କଳିଙ୍ଗ ନଗରକୁ ବିଶ୍ୱ ଇସ୍ପାତ୍ ଶିଳ୍ପର ପେଣ୍ଠସ୍ଥଳି ଭାବେ ଗଢିତୋଳିବା ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଦେଶରେ ଇସ୍ପାତ୍ ଉତ୍ପାଦନକୁ ୧୪୦ ଏମଟିରୁ ୩୦୦ ଏମଟି କରାଯିବ। ଦେଶରେ ଇସ୍ପାତ ଉତ୍ପାଦନରେ ଯେଉଁ ବ୍ୟାପକ ଅଭିବୃଦ୍ଧି ହେବ ସେଥିରୁ ଓଡିଶାରୁ ସିଂହ ଭାଗ ଇସ୍ପାତ୍ ଇତ୍ପାଦନ ହେବ। କେବଳ ଇସ୍ପାତ୍ ଉତ୍ପାଦନ ନୁହେଁ ଇସ୍ପାତ୍ ସହ ଜଡିତ ଶିଳ୍ପର ସଂପ୍ରସାରଣ ଓଡିଶାରେ ହେଲେ ରାଜ୍ୟର ରାଜସ୍ୱ ବଢିବା ସହ ରୋଜଗାର ବଢିବ। ଏଥିପାଇଁ ଜାପାନକୁ ଏକ ସହଯୋଗୀ ପାର୍ଟନର ଭାବେ ନେବା ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଆଲୋଚନାରେ ଓଡିଶାରେ ଥିବା ବିଭିନ୍ନ ସୁବିଧାର ବିସ୍ତୁତ ବିବରଣୀ ଜାପାନର ରାଷ୍ଟ୍ରଦୂତଙ୍କୁ ପ୍ରଦାନ କରାଯାଇଛି। କେବଳ ପର୍ୟ୍ୟଟନ, ଇସ୍ପାତ୍ ଶିଳ୍ପ ନୁହେଁ, କୃଷି, ହସ୍ତତନ୍ତ, ପେଟ୍ରୋକେମିକାଲ କ୍ଷେତ୍ରରେ ବ୍ୟାପକ ଆଲୋଚନା କରି ଜାପାନ ଓ ଭାରତ ସରକାରଙ୍କ ସହଯୋଗରେ ଓଡିଶାର ବିକାଶ କରାଯାଇପାରିବ ବୋଲି ସେ କହିଛନ୍ତି। ଏହାବ୍ୟତିତ ବର୍ଷ ୨୦୨୦ ମେକ୍ ଇନ୍ ଓଡିଶା କନକ୍ଲେଭରେ ଜାପାନ ପାର୍ଟନର ହେବା ନେଇ ଅନୁରୋଧ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ଉଲ୍ଲେଖନୀୟ ଯେ, ଆଜିର ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଇସ୍ପାତ୍ ମନ୍ତ୍ରଣାଳୟର ବରିଷ୍ଠ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

Comments are closed.