ବିଦ୍ୟୁତ୍‍ ପ୍ରକଳ୍ପ ପାଇଁ କୋଇଲା ସଙ୍କଟ ନାହିଁ : କେନ୍ଦ୍ର ମନ୍ତ୍ରୀ

‘ଏମସିଏଲ ଦେଶର ୨୫ ପ୍ରତିଶତ କୋଇଲା ଉତ୍ପାଦନ କରି ରେକର୍ଡ ସୃଷ୍ଟି କରିଛି’

ତାଳଚେର : ମହାନଦୀ କୋଇଲା କମ୍ପାନୀ(ଏମସିଏଲ) ଦେଶ ତଥା କୋଲ୍‍ ଇଣ୍ଡିଆର ୨୫ ପ୍ରତିଶତ କୋଇଲା ଉତ୍ପାଦନ କରି ରେକର୍ଡ ସୃଷ୍ଟି କରିପାରିଛି ବୋଲି କେନ୍ଦ୍ର କୋଇଲା ଓ ସଂସଦୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗୁରୁବାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଓ ତାଙ୍କ ସହିତ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନଭେ ଦିନିକିଆ ତାଳଚେର ଗସ୍ତରେ ଆସି ଏଠାରେ ଥିବା ବଳରାମ କୋଇଲା ଖଣି ଓ ରେଲ୍‍ୱେ ସାଇଡିଂ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏହି ଅବସରରେ ସାମ୍ବାଦିକମାନଙ୍କ ସହ ଅନୌପଚାରିକ ଆଲୋଚନାବେଳେ କୋଇଲା ମନ୍ତ୍ରୀ ଦେଶରେ କୋଇଲା ସଙ୍କଟ ନାହିଁ ବୋଲି କହିଥିଲେ। କୋଇଲା ନିଅଣ୍ଟିଆ ସମସ୍ୟାର ସମାଧାନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ଆଜି ସୁଦ୍ଧା ଦେଶରେ ଥିବା ବିଭିନ୍ନ ବିଦ୍ୟୁତ୍‍ ପ୍ରକଳ୍ପ କୋଇଲା ଅଭାବରୁ ବନ୍ଦ ହୋଇଯାଇଥିବା କୌଣସି ନଜିର ନାହିଁ। ବରଂ ଏହି ବିଦ୍ୟୁତ୍‍ ପ୍ରକଳ୍ପଗୁଡ଼ିକୁ ପ୍ରତିଦିନ ୨ ନିୟୁତ ଟନ୍‍ କୋଇଲା ଯୋଗାଇ ଦେବାରେ ବିଭିନ୍ନ କୋଇଲା କମ୍ପାନୀ ସକ୍ଷମ ହୋଇଛନ୍ତି। କାଁ ଭାଁ ରହିଥିବା କୋଇଲା ଯୋଗାଣର ଅଭାବକୁ ଖୁବ୍‍ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି। ଦେଶର ୨୫ ପ୍ରତିଶତ କୋଇଲା ଏମ୍‍ସିଏଲ୍‍ରୁ ହିଁ ଉତ୍ପାଦନ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି। ୨୦୨୪ ସୁଦ୍ଧା ଏମ୍‍ସିଏଲ୍‍ ପକ୍ଷରୁ ୩,୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏଫ୍‍ଏମ୍‍ସି (ଫାଷ୍ଟ ମାଇଲ୍‍ କନେକ୍ଟିଭିଟି) ବ୍ୟବସ୍ଥା ଦ୍ୱାରା କୋଇଲା ପ୍ରେରଣକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏମ୍‍ସିଏଲ୍‍ ଉପଭୋକ୍ତାମାନଙ୍କୁ ୯୪ ନିୟୁତ ଟନ୍‍ କୋଇଲା ଯୋଗାଇ ଦେବାରେ ସକ୍ଷମ ହୋଇପାରିଛି। ଗତ ବର୍ଷ ତୁଳନାରେ ୨୧ ପ୍ରତିଶତ ଅଭିବୃଦ୍ଧି ଘଟିଛି ବୋଲି ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କ ସହିତ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧାନଭେ, କୋଲ୍‍ ଇଣ୍ଡିଆ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ, ଏମ୍‍ସିଏଲ୍‍ର ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ନା, ବୈଷୟିକ ନିର୍ଦେଶକ ଓପି ସିଂହ, କାର୍ମିକ ନିର୍ଦେଶକ କେଶବ ରାଓଙ୍କ ସମେତ ଏମ୍‍ସିଏଲ୍‍ର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏଠାରେ କୋଇଲା ଉତ୍ପାଦନ ଓ ପରିବହନ ସମ୍ପର୍କରେ ଏମ୍‍ସିଏଲ୍‍ ଅଧିକାରୀ ଓ ରେଳବାଇର ଅଧିକାରୀମାନଙ୍କ ସହିତ ଏଠାରେ ଏକ ସମୀକ୍ଷା ବୈଠକ କରିଥିଲେ। କୋଇଲା ମନ୍ତ୍ରୀ ଶ୍ରୀ ଯୋଶୀ ଆଜି ଦିନ ସାଢ଼େ ୧୧ଟାରେ ଏଠାରେ ଆସି ପହଞ୍ଚି ପ୍ରଥମେ ବଳରାମ ଖୋଲା କୋଇଲା ଖଣି ଓ ରେଲ୍‍ୱେ ସାଇଡିଂ ପରିଦର୍ଶନ କରିଥିଲେ।

Comments are closed.