ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ହ୍ରାସ ଅଭିଯାନରେ ଭାଗିଦାରୀ ହେବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ସାମଗ୍ରୀକୁ ବନ୍ଦ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି

ପୁରୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରଥଯାତ୍ରାରେ ସାମିଲ ହେବା ଅବସରରେ ସାମାଜିକ ସଂଗଠନ “ଆମେ ଓଡ଼ିଆ” ପକ୍ଷରୁ ଆୟୋଜିତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ କରିବା ପାଇଁ ଜନସଚେତନ ଅଭିଯାନରେ ସାମିଲ ହୋଇଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ଆମେ ଓଡ଼ିଆ ପରିବାରର ସ୍ୱେଚ୍ଛାସେବୀଙ୍କ ସହ ପ୍ଲାଷ୍ଟିକ୍ ସଫେଇ କରି ସେମାନଙ୍କ ମନୋବଳ ଦୃଢ଼ କରିଥିଲେ । ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ ରଥଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଭିଯାନରେ ସାମିଲ ପାଇଁ ସାଧୁବାଦ ଜଣାଇବା ସହ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ପରିବେଶ ପାଇଁ କ୍ଷତିକାରକ ବୋଲି କହିଥିଲେ । ଏ ସବୁ ଲୋକମାନେ ବର୍ଜନ କରିବା ସହ ଅଭ୍ୟାସରେ ପରିଣତ କରିବା ଦରକାର । ଭାରତ ସରକାର ମଧ୍ୟ ଏହି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ସାମଗ୍ରୀକୁ ବନ୍ଦ କରିବା ଉପରେ ଆଜି ଠାରୁ ନିଷ୍ପତ୍ତି ନେଇଛନ୍ତି । ରଥ ଦେଖିବା ପାଇଁ ପୁରୀକୁ ଆସୁଥିବା ଅଗଣିତ ଭକ୍ତମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟବହାରକୁ ହ୍ରାସ କରିବା ସହ ତାହାର ପୁନଃବ୍ୟବହାର ଓ ରିସାଇକ୍ଲିଂ କରିବା ପାଇଁ ଆରମ୍ଭ ହୋଇଥିବା ଜନଆନ୍ଦୋଳନରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।  ଏହି ଅଭିଯାନରେ ନିଜକୁ ସାମିଲ କରିଥିବା ଓ ସୋସିଆଲ ମିଡ଼ିଆରେ ସମର୍ଥନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ବଡ଼ଶଙ୍ଖ ଶରଧା ମଣ୍ଡପ ଠାରେ ‘ବିଶ୍ୱ କଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘ’ର ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ସାମିଲ ହୋଇ  ଭକ୍ତମାନଙ୍କୁ ପ୍ରସାଦ ବିତରଣ କରିଥିଲେ ।

Comments are closed.