‘ଆଜାଦୀ କା ଅମୃତ ମହୋତ୍ସବ’ ଏବଂ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ପ୍ରଦର୍ଶନୀ

ପୁରୀ ଠାରେ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରଥଯାତ୍ରାରେ ଶିକ୍ଷା ମନ୍ତ୍ରୀଙ୍କ ସହିତ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ବିଶ୍ବେଶ୍ବର ଟୁଡୁ

ଭୁବନେଶ୍ବର/ପୁରୀବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଠାରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀ ଉଦଘାଟିତ ହୋଇଛି । ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ବିଷୟବସ୍ତୁକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ପ୍ରଦର୍ଶନୀରେ ବିଗତ ୮ ବର୍ଷ ମଧ୍ୟରେ ଦେଶର ବିକାଶ ଏବଂ ଦେଶବାସୀଙ୍କ କଲ୍ୟାଣ ପାଇଁ ମୋଦୀ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କ ପାଇଁ ସୂଚନା ପ୍ରଦର୍ଶିତ ହୋଇଛି । ଏହାକୁ ଉଦଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏହି ପ୍ରଦର୍ଶନୀରେ ସୁଶାସନ ଓ ସରକାରୀ ଯୋଜନା ସମ୍ପର୍କରେ ସୁନ୍ଦର ଉପସ୍ଥାପନା କରାଯାଇଛି । ଲୋକମାନେ ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ ।  ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଉପରେ ସଚେତନତା ସୃଷ୍ଟି ପାଇଁ ଏକ ପ୍ରଚାର ଗାଡ଼ିକୁ ମଧ୍ୟ ସବୁଜ ପତାକା ଦେଇ ଶୁଭାରମ୍ଭ କରିଥିଲେ ।

ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ତିନି ଜଣ କେନ୍ଦ୍ର ମନ୍ତ୍ରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣିଚା ଯାତ୍ରାରେ ସାମିଲ ହୋଇଥିଲେ । କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ  ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଜନଜାତି ବ୍ୟାପାର, ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ସାମିଲ ହୋଇ ରଥ ଟାଣିଥିଲେ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣିଥିଲେ । ଏହି ଅବସରରେ ସେ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଅସ୍ମିତାର ପରିଚୟ । ତାଙ୍କର ଡୋରି ଲାଗିଥିବାରୁ ସେ ରଥଯାତ୍ରା ଦେଖିବାର ସୁଯୋଗ ପାଇଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ର ରେଳ ମନ୍ତ୍ରୀ  ଅଶ୍ବିନୀ ବୈଷ୍ଣବ ରଥପାଖକୁ ଯାଇ ଠାକୁରଙ୍କ ପହଣ୍ଡି ଦେଖିଥିଲେ । ରଥଚକକୁ ଛୁଇଁ ମୁଣ୍ଡିଆ ମାରିଥିଲେ । ସେ କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସୁନ୍ଦର ବ୍ୟବସ୍ଥା ମଧ୍ୟରେ ରଥଯାତ୍ରା ଆୟୋଜନ କରାଯାଉଛି । ଏହି ଅବସରରେ ସେ ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ  ବିଶ୍ବେଶ୍ବର ଟୁଡ଼ୁ ବଡ଼ ଦାଣ୍ଡରେ ଉପସ୍ଥିତ ରହି ରଥଯାତ୍ରା ଦେଖିଥିଲେ । ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଧାନ ସେବକ ଗଜପତି ମହାରାଜ  ଦିବ୍ୟସିଂହ ଦେବଙ୍କ ଛେରା ପହଁରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେର ଦୃଶ୍ୟ ଅତି ଅପୂର୍ବ । ରଥଯାତ୍ରା ଉପଲକ୍ଷେ ସେ ମହାପ୍ରଭୁଙ୍କ ପାଖରେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ ।

 

Comments are closed.