ଭାରତର କରୋନା ମୁକାବିଲା ପଦ୍ଧତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନେକ ଦେଶର ପ୍ରଶଂସା : ଡକ୍ଟର ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ :  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଭାରତ ଯେଭଳି ଭାବେ କୋଭିଡ୍‍-୧୯ର ସଫଳ ମୁକାବିଲା କରିଛି ତାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନେକ ଦେଶ ଉଚ୍ଚ ପ୍ରଶଂସା କରିଛନ୍ତି। ଭର୍ଚୁଆଲ୍‍ ମାଧ୍ୟମରେ ଓଟିଭିର ଫୋରସାଇଟ୍ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଭାରତ କୋଭିଡ୍‍ର ସଫଳ ମୁକାବିଲା କରିବା ସହ ଏ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ।

କୋବିଡ୍‍ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ଯେଭଳି ଭାବେ ପଦକ୍ଷେପମାନ ଗ୍ରହଣ କରିଥିଲା ତାହାର ଉଲ୍ଲେଖ କରି ସେ କହିଛନ୍ତି,ଭୂତାଣୁ ସଂକ୍ରାନ୍ତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଜ୍ଞପ୍ତି ଜାରି କରିବାର ମାତ୍ର ଅଳ୍ପ କିଛି ଦିନ ଭିତରେ ଭାରତ ସମଗ୍ର ଦେଶରେ କଟକଣାମାନ ଲାଗୁ କରିଥିଲା । ଏହାସହିତ ବିମାନ ବନ୍ଦରଗୁଡ଼ିକର ପ୍ରବେଶପଥରେ କଡ଼ା ଯାଞ୍ଚ୍‍ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ମନ୍ତ୍ରୀ କହିଛନ୍ତି, ଲକ୍‍ଡାଉନ୍‍ ସମ୍ବନ୍ଧରେ ଶୀଘ୍ର ନିଷ୍ପତ୍ତି ନିଆଯିବାଠାରୁ ଆରମ୍ଭ କରି କୋଭିଡ୍‍ ସଂକ୍ରମଣକୁ
ରୋକିବା ପାଇଁ ନମୁନା ପରୀକ୍ଷା, ଦ୍ରୁତ ଚିକିତ୍ସା ଓ ପ୍ରତିଷେଧକ ବିକଶିତ କରିବା ଭଳି ପ୍ରାୟ ସବୁ କ୍ଷେତ୍ରରେ ଭାରତ ଖୁବ୍‍ କମ୍‍ ସମୟ ମଧ୍ୟରେ ସଫଳତା ହାସଲ କରିଛି ।

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦେଶରେ ୧କୋଟି ୬୦ଲକ୍ଷରୁ ଅଧିକ ଲୋକ ପ୍ରତିଷେଧକ ନେଇସାରିଛନ୍ତି । ଏହା ବ୍ୟତୀତ ଭାରତ ବିଶ୍ୱର ୫୦ରୁ ଅଧିକ ଦେଶକୁ କୋଭିଡ୍‍ ପ୍ରତିଷେଧକ ଯୋଗାଇଛି । ଏକ ପ୍ରଶ୍ନର ଉତ୍ତରରେ  ସେ କହିଛନ୍ତି,
ପ୍ରତିଷେଧକର ସୁରକ୍ଷା, ସଫଳତା ଓ ସଠିକତା ସହ କୌଣସି ସାଲିସ କରାଯାଇ ନାହିଁ । କୋଭିଡ୍‍ ବିପକ୍ଷରେ ଭାରତର ସଂଗ୍ରାମରେ ସବୁଠୁ ଅଧିକ ଅବଦାନ ଥିବା ବୈଜ୍ଞାନିକ ସମୁଦାୟକୁ ଧନ୍ୟବାଦ ଜଣାଇ ମନ୍ତ୍ରୀ କହିଛନ୍ତି, ୨୦୨୦ କେବଳ କୋଭିଡ୍‍-୧୯ ନାଇଣ୍ଟିନ୍‍ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିବ ନାହିଁ, ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ
ପାଇଁ ମଧ୍ୟ ଏହା ପ୍ରସିଦ୍ଧି ଅର୍ଜନ କରିବ।

Comments are closed.