ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି; ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପରି ରାଜ୍ୟର ଆଉ ୪ଟି ମନ୍ଦିର ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର

ମା’ ସମଲେଶ୍ୱରୀ, ମା’ ବିରଜା, ମା’ ତାରାତାରିଣୀ ଏବଂ ଶ୍ରୀନୀଳମାଧବ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ କଲେ ଅନୁରୋଧ

ଭୁବନେଶ୍ୱର: ରାଜ୍ୟ ସରକାର ଶ୍ରୀଜଗନ୍ନାଥ ଆଇନ,୧୯୫୫ ଅନୁଯାୟୀ ପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଏକ ଅଧ୍ୟାଦେଶ ଆଣିଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର, ଯାଜପୁରର ମା’ ବିରଜା ମନ୍ଦିର, ଗଞ୍ଜାମର ମା’ ତାରା ତାରିଣୀ ମନ୍ଦିର ଏବଂ ନୟାଗଡ଼ର କଣ୍ଟିଲୋ ଶ୍ରୀନୀଳମାଧବ ମନ୍ଦିର ପାଇଁ ସମାନ ଅଧ୍ୟାଦେଶ ପ୍ରଣୟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶାରେ ଥିବା ମନ୍ଦିର ଗୁଡିକ ଲୋକଙ୍କ ଧାର୍ମିକ ଭାବନା ଏବଂ ଭାବାବେଗ ସହ ଜଡିତ। ଉପରୋକ୍ତ ଧାର୍ମିକ ପୀଠ ଗୁଡ଼ିକ ସହ ରାଜ୍ୟବାସୀଙ୍କ ବୃହତ ସାମାଜିକ ଓ ସାଂସ୍କୃତିକ ଭାବାବେଗ ମଧ୍ୟ ଯୋଡି ହୋଇରହିଛି। ତ୍ରୟୋଦଶ ଶତାବ୍ଦୀରେ ଶାରଦୀୟ ପୂଜା ଅବସରରେ ବିରଜା ମନ୍ଦିରର ରଥଯାତ୍ରା ପାଇଁ ଭିନ୍ନ ସ୍ୱତନ୍ତ୍ରତା ରହିଛି। ସେହିପରି ଅବିଭକ୍ତ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ମା’ ସମଲେଶ୍ୱରୀ ଓ ସମଲେଇ ମା’ଙ୍କ ମନ୍ଦିରକୁ ବର୍ଷତମାମ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ଏହି ମା’ଙ୍କ ପୀଠରେ ଅଧିକସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି। ଏହାବ୍ୟତିତ ତାରାତାରିଣୀ ମନ୍ଦିର ଦେଶର ସର୍ବପୁରାତନ ଚାରି ଶକ୍ତିପୀଠ ମଧ୍ୟରେ ଅନ୍ୟତମ। ହିନ୍ଦୁ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଏହି ପୀଠ ସର୍ବବିଦିତ। ଏଠାରେ ଆୟୋଜିତ ହେଉଥିବା ଚୈତ୍ର ମେଳା ବେଶ୍‍ ପ୍ରସିଦ୍ଧ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଣ୍ଟିଲୋ ନୀଳମାଧବ ଜଗନ୍ନାଥ ଉପାସନା ଅନୁସରଣକାରୀ ଏବଂ ଓଡ଼ିଶାର ଆଧ୍ୟାତ୍ମିକ ବ୍ୟକ୍ତିଙ୍କ ପାଇଁ ଶ୍ରଦେ୍ଧୟ ମନ୍ଦିର ଭାବରେ ବେଶ ପରିଚିତ।

ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଅବସ୍ଥିତ ଉପରୋକ୍ତ ମନ୍ଦିର ଆଧ୍ୟାତ୍ମିକ ଏବଂ ଭକ୍ତିର ଅଜ୍ଞାତ ସମ୍ପତି ଭାବରେ ପରିଗଣିତ। ଏହି ମନ୍ଦିର ଗୁଡ଼ିକ କେବଳ ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ରାଜ୍ୟର ରାଜସ୍ୱ ସଂଗ୍ରହ ପାଇଁ ନୁହେଁ ବରଂ ନାଗରିକଙ୍କ ଦୈନିନ୍ଦିନ ଜୀବନ ସହ ଜଡ଼ିତ। ଓଡ଼ିଶାର ଚାରିଟି ମନ୍ଦିରର ଶାସନ ଏବଂ ପରିଚାଳନାରେ ସଂସ୍କାର ଆଣିବା ପାଇଁ ପ୍ରଯୁଜ୍ୟ ଏବଂ ଦୀର୍ଘ ସମୟର ଆବଶ୍ୟକତାକୁ ଧ୍ୟାନରେ ରଖି ଓଡିଶା ବିଧାନସଭା ଗାଇଡଲାଇନ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ ଏବଂ ଶ୍ରୀଲିଙ୍ଗରାଜ ମନ୍ଦିର ଅଧିନିୟମ, ୨୦୨୦ ଅନୁସାରେ ଦୈନନ୍ଦିନ ମନ୍ଦିରର ପରିଚାଳନା, ସେବା ପାଇଁ ସଠିକ୍‍ ପରିଚାଳନା, ପୂଜା, ନୀତି କାନ୍ତି ଶ୍ରଦ୍ଧାଳୁଙ୍କ ପାଇଁ ଉତମ ସୁବିଧା ଓ ମନ୍ଦିରର ଉନ୍ନତିକରଣ ଏବଂ ବିକାଶ ପାଇଁ ଏକ ସଶକ୍ତ କମିଟି ଗଠନ କରିବାକୁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହି ଆଇନର ବ୍ୟବସ୍ଥା ହେବା ଦ୍ୱାରା ମନ୍ଦିର ଗୁଡ଼ିକରେ ଉଚ୍ଚଧରଣ ସୁପରିଚାଳନା ହେବା ସହ ଉତରଦାୟିତ୍ୱ ବଢିବ। ଏହାସହ ଉପଯୁକ୍ତ ବଜେଟ୍‍ ବ୍ୟବସ୍ଥା, ଯୋଜନା ଓ ଆନୁଷଙ୍ଗିକ ବ୍ୟବସ୍ଥା ଇତ୍ୟାଦି ପାଇଁ ସହାୟକ ହେବ। ଏହାବ୍ୟତିତ ଦୀର୍ଘ ସମୟ ପର୍ଯ୍ୟନ୍ତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କୁ ଇଚ୍ଛାନୁସାରେ ସବୁ ସୁବିଧା ମିଳିପାରିବ। ଉପରୋକ୍ତ ମନ୍ଦିର ପାଇଁ ଏହି ଆଇନ ପ୍ରଜୁର୍ଯ୍ୟ ହେଲେ ଏହା ଲମ୍ବା ସମୟ ଧରି ଉକ୍ତ ଜିଲ୍ଲାର ଧାର୍ମିକ ପର୍ଯ୍ୟଟନ ସ୍ଥଳିକୁ ପ୍ରୋତ୍ସାହନ ଦେବା ସହିତ ମଜବୁତ୍‍ କରିବ। ରାଜ୍ୟ ଏବଂ ରାଜ୍ୟ ବାହାରର ଓ ଅନ୍ତର୍ଜାତୀୟ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବଢ଼ିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

Comments
Loading...