ଆଗାମୀ ଦିନରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ସହ ୫ କୋଟି ପିଏନଜି ସଂଯୋଗ ଲକ୍ଷ୍ୟ : ଧର୍ମେନ୍ଦ୍ର ପ୍ରଧାନ

ଦେଶ ଉଦ୍ଦେଶ୍ୟରେ ୨୦୧ଟି ସିଏନଜି ଷ୍ଟେସନକୁ ଉତ୍ସର୍ଗ କଲେ କେନ୍ଦ୍ରମନ୍ତ୍ରୀ

-ଓଡ଼ିଶାର ଭୁବନେଶ୍ୱରରେ ୭ଟି ଏବଂ କଟକରେ ୪ଟି ସିଏନଜି ଷ୍ଟେସନର ଲୋକାର୍ପଣ
-ଝାନ୍ସିଂ ଠାରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସର ଯୋଗାଣ ଏବଂ ମହାରାଷ୍ଟ୍ରର ରାଇଗଡ଼ ଠାରେ ମୋବାଇଲ ରିଫ୍ୟୁଲିଂ ୟୁନିଟର ଶୁଭାରମ୍ଭ
-୨୦୧ଟି ସିଏନଜି ଷ୍ଟେସନର ଲୋକାର୍ପଣ ସ୍ୱଚ୍ଛ ଇନ୍ଧନ ଦିଗରେ ଆଉ ଏକ ପଦକ୍ଷେପ
-ଦେଶରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ୩୦ କୋଟିରେ ପହଁଚିଛି
-ଦେଶରେ ୧ ହଜାର ଏଲଏନଜି ଷ୍ଟେସନ ପ୍ରତିଷ୍ଠା କରାଯିବାର କାମ ଚାଲିଛି
– ଅନେକ ସ୍ୱଚ୍ଛ ଇନ୍ଧନ ଉପଲବ୍ଧି ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଜାରୀ ରଖିଛି ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟର ପରିବେଶ ସୁରକ୍ଷା ତଥା ସମସ୍ତଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଁଚାଇବାର ପ୍ରତିବଦ୍ଧତା ଦିଗରେ ଆଗାମୀ ଦିନରେ ସମଗ୍ର ଭାରତବର୍ଷରେ ୧୦ ହଜାର ସିଏନଜି ଷ୍ଟେସନ ଏବଂ ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ(ପିଏନଜି) ପହଁଚାଇବାର ଲକ୍ଷ୍ୟ ରଖାଯାଇଛି ବୋଲି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଓଡ଼ିଶାର ୧୦ଟି ସିଏନଜି ଷ୍ଟେସନ ସମେତ ଦେଶ ଉଦ୍ଦେଶ୍ୟରେ ୨୦୧ଟି ସିଏନଜି ଷ୍ଟେସନକୁ ଉତ୍ସର୍ଗ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବୋଧନ କରି କହିଛନ୍ତି। ଏହାସହ ଉତରରପ୍ରଦେଶର ଝାନ୍ସିଂ ଠାରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସର ଯୋଗାଣର ଶୁଭାରମ୍ଭ ସହ ମହାରାଷ୍ଟ୍ରର ରାଇଗଡ଼ ଠାରେ ମୋବାଇଲ ରିଫ୍ୟୁଲିଂ ୟୁନିଟ୍‍(ଏମଆରୟୁ)ର ଲୋକାର୍ପଣ କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ହୋଇଛି।
ଓଡ଼ିଶାରେ ୧୧ଟି ସିଏନଜି ଷ୍ଟେସନ ତଥା ଖୋର୍ଦ୍ଧା ଜିଲ୍ଲାରେ ୭ଟି ଏବଂ କଟକ ଜିଲ୍ଲାରେ ୪ଟି ସିଏନଜି ଷ୍ଟେସନର ଉଦଘାଟନ ହୋଇଛି। ଭୁବନେଶ୍ୱର ସାମନ୍ତରାପୁର ଠାରେ ଆଇଓସିଏଲର ଲିଙ୍ଗରାଜ ଫିଲିଂ ଷ୍ଟେସନ, ଏନଏଚ୧୬ ନିକଟରେ ଥିବା ଏଚପିସିଏଲର ରାଜପଥ ମୋଟର, ଏନଏଚ୍‍ ୧୬ – ଦଳେଇପୁଟ ଠାରେ ଥିବା କୋକୋ ଖୋର୍ଦ୍ଧା ଫିଲିଂ ଷ୍ଟେସନ, କିଆଝରି ଠାରେ ଥିବା ନନ୍ଦି ଫିଲିଂ ଷ୍ଟେସନ, ଟାଙ୍ଗି ରାମେଶ୍ୱର ଛକ ଠାରେ ଥିବା ପାଇକରାୟ ଫିଲିଂ ଷ୍ଟେସନ, ପାହାଳରେ ଥିବା ମା ବିଶେଶ୍ୱରୀ ଫିଲିଂ ଷ୍ଟେସନ, ଖୋର୍ଦ୍ଧା ଅଗଲପଡ଼ା ଠାରେ ଥିବା ବାଲାଜୀ ଫିଲିଂ ଷ୍ଟେସନରେ ସିଏନଜି ଯୋଗାଣର ଶୁଭାରମ୍ଭ କରାଯାଇଛି।

ସେହିପରି କଟକ ଜିଲ୍ଲାର ଭାନପୁର ଠାରେ ଥିବା ଟ୍ୱିନ୍‍ ସିଟି ପେଟ୍ରୋଲିୟମ ଲିମିଟେଡ୍‍, ଟାଙ୍ଗି କାଇରାପାରି ଠାରେ ଥିବା ମାଁ ଦୁର୍ଗା ଫିଲିଂ ଷ୍ଟେସନ, ଟାଙ୍ଗିର କଟୋ ସାହୀ ସ୍ଥିତ ଗୁରୁ ମହାରାଜ ଫିଲିଂ ଷ୍ଟେସନ, ଚୌଦ୍ୱାର କଟକ ସ୍ଥିତ ରଶ୍ମି ଫିଲିଂ ଷ୍ଟେସନରେ ମଧ୍ୟ ସିଏନଜି ଯୋଗାଣର ଆରମ୍ଭ କରାଯାଇଛି।
ଏହି ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ୨୦୧ ସିଏନଜି ଷ୍ଟେସନର ଲୋକାର୍ପଣ ସ୍ୱଚ୍ଛ ଇନ୍ଧନ ଦିଗରେ ଆଉ ଏକ ପଦକ୍ଷେପ। ଲୋକାର୍ପିତ ଷ୍ଟେସନକୁ ମିଶାଇଲେ ମୋଟ ଭାରତରେ ୩ ହଜାର ୧୪୨ ସିଏନଜି ଷ୍ଟେସନ ରହିଛି। ଆଗାମୀ ଦିନରେ ଦେଶରେ ୧୦ ହଜାର ସିଏନଜି ଷ୍ଟେସନ ଏବଂ ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଁଚାଇବାର ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ପରିବେଶ ସୁରକ୍ଷିତ ରହିବ। ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିବ। ଇନ୍ଧନ କ୍ଷେତ୍ରରେ ଦେଶର ଆମଦାନୀର ଭାର ହ୍ରାସ ହେବ। ଯୁବ ଉଦ୍ୟମୀଙ୍କ ଦ୍ୱାରା ନୂଆ ଷ୍ଟାଟ ଅପ୍‍ ଆରମ୍ଭ ହେବ। ରୋଜଗାର ସୁଯୋଗ ବଢ଼଼ିବ। ଏକବିଂଶ ଶତବ୍ଦୀରେ ଭାରତ ଆତ୍ମନିର୍ଭର ହେବ।
ସମଗ୍ର ଭାରତ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟ ଘରେ ଘରେ ସ୍ୱଚ୍ଛ ଇନ୍ଧନ ପହଁଚାଇ ନାଗରିକଙ୍କ ଅଜ୍‍ ଅଫ୍‍ ଲିଭିଂକୁ ସୁଗମ କରିବା ପାଇଁ ପ୍ରଚେଷ୍ଟା ଜାରୀ ରହିଛି। ଆଜି ଦୁନିଆର ସବୁଠୁ ବଡ ଏଲପିଜି ଉପଭୋକ୍ତା ବେସ୍‍ ଆମର କମ୍ପାନୀ ପାଖରେ ଅଛି। ଦେଶରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ୩୦ କୋଟିରେ ପହଁଚିଛି। ଦେଶରେ ୧୦୦୦ ଏଲଏନଜି ଷ୍ଟେସନ ପ୍ରତିଷ୍ଠା କରାଯିବା ପାଇଁ କାମ ଚାଲିଛି। ନିକଟରେ ବିଶ୍ୱ ପରିବେଶ ଦିବସରେ ଇଥାନଲକୁ ଗତି ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତିନୋଟି ଇ-୧୦୦ ବିତରଣ ଷ୍ଟେସନ ମଧ୍ୟ ଶୁଭାରମ୍ଭ ହୋଇଛି। ୨୦୨୫ ସୁଦ୍ଧା ପେଟ୍ରୋଲରେ ଇଥାନଲର ଭାଗ ୨୦
ପ୍ରତିଶତ ମିଶ୍ରଣ କରାଯିବାର ଯୋଜନା ରହିଛି। ଗୁଜୁରାଟରେ ପ୍ରଥମ ହାଇଡ୍ରୋଜେନ ବିତରଣ ଷ୍ଟେସନର ଖୋଲାଯିବାର ଯୋଜନା ହୋଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିରାଟ ପ୍ରତିମୂର୍ତି ଥିବା ପର୍ଯ୍ୟଟନ ସ୍ଥାନକୁ ହାଇଡ୍ରୋଜେନ୍‍ ଚାଳିତ ବସ୍‍ ଆରମ୍ଭ କରିବା ପାଇଁ ଯୋଜନା କରାଯାଉଛି। ବ୍ୟାଟ୍ରି ସ୍ୱାପିଂକୁ ନେଇ ବିଭିନ୍ନ ମଡେଲରେ ଉପଲବ୍ଧ କରାଯିବାର ମଧ୍ୟ ଯୋଜନା ଚାଲିଛି। ସିବିଜି ପ୍ଲାଂଟ୍‍ ନିର୍ମାଣ କାମକୁ ତ୍ୱରାନ୍ୱିତ କରାଯାଉଛି। ଦେଶରେ ୪୦୦ ଜିଲ୍ଲାରେ ସିଜିଡ଼ି ନେଟୱାର୍କକୁ ସମ୍ପ୍ରସାରଣ କରାଯାଇଛି। ଯାନବାହାନରେ ବିଏସ-୬ ଭଳି ସ୍ୱଚ୍ଛ ଇନ୍ଧନ ଉପଲବ୍ଧ କରାଯାଇଛି।
କାର୍ବନ ଫୁଟ୍‍ ପ୍ରିଂଟ୍‍ ହ୍ରାସ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର କାର୍ଯ୍ୟ ଓ ପ୍ରତିବଦ୍ଧତା ପାଇଁ ବିଶ୍ୱରେ ଭାରତର ସମ୍ମାନ ବଢ଼ିଛି। ଏହା ବ୍ୟବସାୟିକ ନୁହେଁ। ବିକଶିତ ଅର୍ଥନୀତିରେ ଯିବାର ନୁହେଁ ବରଂ ଏହା ଦେଶର ନାଗରିକଙ୍କୁ ସୁବିଧା ଦେବା ପାଇଁ ଉଦ୍ୟମ। କୌଣସି ପ୍ରକାର ଏନର୍ଜି ହେଉ ସେହି ସର୍ଭିସ୍‍କୁ ଡୋର ଷ୍ଟେପରେ ପହଁଚାଯାଇ ପାରୁଛି। ଏଣିକି ନାଗରିକମାନଙ୍କୁ ଇନ୍ଧନ ଗାଡିରେ ପକାଇବା ପାଇଁ କୌଣସି ସମୟ ଲାଗିବ ନାହିଁ। ସେମାନେ ଡ଼ିଜିଟାଲ ପ୍ଲାଟଫର୍ମରେ କାରବାର କରିବା ସହ ଘରେ ବସି ଗାଡିରେ ଇନ୍ଧନ ପକାଇ ପାରିବେ। ଏହିଭଳି ଆଧିୁନିକ ସମୟରେ ଉପନୀତ ହୋଇଛେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଏହି ଅବସରରେ ଶ୍ରୀ ପ୍ରଧାନ ଝାନ୍ସିରେ ଥିବା ପିଏନଜି ଉପଭୋକ୍ତା ପରିବାର ସଦସ୍ୟ ଏବଂ ଦିଲ୍ଲୀ ଓ ରାଇଗଡର ଏମଆରୟୁ ଅପରେଟରଙ୍କ ସହ ମଧ ଆଲୋଚନା କରିଥିଲେ।

Comments are closed.