କୋଭିଡ-୧୯ ସ୍ଥିତି ଏବଂ ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଲକ୍‍ଡାଉନ କଡ଼ାକଡ଼ି ସହ ଜରୁରି ସେବା ଓ ସାମଗ୍ରୀ ଉପଲବ୍ଧ କରାଇବା ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ

• ଅବସରପ୍ରାପ୍ତ ଡାକ୍ତରମାନଙ୍କୁ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟରେ ନିୟୋଜିତ କରିବା ଲାଗି ଅନୁରୋଧ
• ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ରଖାଇ ଦେଉନଥିବା ଘର ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
• ସଙ୍ଗରୋଧରେ ଥିବା ଲୋକଙ୍କୁ ମାନସିକ ପରାମର୍ଶ ଓ ଟେଲି ମେଡିସନ ସୁବିଧା ଉପଯୋଗ ଲାଗି ପରାମର୍ଶ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ଦେଶରେ କୋଭିଡ-୧୯ ସଂକ୍ରମଣର ବର୍ତମାନର ସ୍ଥିତି ତଥା ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ବିଭାଗ ସଚିବମାନେ ଯୋଗ ଦେଇଥିଲେ।
ଏହି ଭିଡିଓ କନଫରେନ୍ସରେ ମହାରାଷ୍ଟ୍ର, ରାଜସ୍ଥାନ, ତେଲଙ୍ଗାନା, ଗୁଜରାଟ, ଝାଡ଼ଖଣ୍ଡ, ବିହାର, ଉତର ପ୍ରଦେଶ, ପଞ୍ଜାବ, ତାମିଲନାଡ଼ୁ, ଦିଲ୍ଲୀ, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଉତରାଖଣ୍ଡ, ଓଡ଼ିଶା, ହରିୟାଣା, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ଦାଦ୍ରା ଓ ନଗର ହାବେଳୀ, ଲଦାଖ, ମିଜୋରାମ, ଆଣ୍ଡାମାନ ଓ ନିକୋବର, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ଗୋଆ, ଛତିଶଗଡ଼ ଆଦି ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଏନସିଡିସି ଏବଂ ଆଇସିଏମଆର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଭିଡିଓ କନଫରେନ୍ସରେ ଅଂଶଗ୍ରହଣ କରିଥିଲେ। ତେବେ ଭିଡିଓ କନଫରେନ୍ସରେ ଯୋଗ ଦେଇପାରିନଥିବା କେରଳ ସ୍ୱାସ୍ଥ୍ୟମନ୍ତ୍ରୀ  କେ.କେ ଶୈଳଜାଙ୍କ ସହିତ ରାଜ୍ୟରେ କୋଭିଡ-୧୯ ସ୍ଥିତି ସମ୍ପର୍କରେ ଫୋନ ଯୋଗେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଥିଲେ।
ଏହି ଅବସରରେ ଅଂଶୀଦାରମାନଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ରୋଗ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତରେ ରୋଗ ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ନିମନ୍ତେ ଅଧିକ ସତର୍କତା ଏବଂ ଯଥାସମ୍ଭବ ନିବାରଣ ରଣନୀତି କାର୍ଯ୍ୟକାରୀ କରିବା ଲାଗି ସେ ରାଜ୍ୟଗୁଡ଼ିକୁ କହିଥିଲେ। ଲକ୍‍ ଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବା ଏବଂ ଜରୁରି ସେବା ଓ ସାମଗ୍ରୀ ଉପଲବ୍ଧ କରାଇବା ଲାଗି ସେ ରାଜ୍ୟଗୁଡ଼ିକୁ ନିବେଦନ କରିଥିଲେ। ରାଜ୍ୟରେ କୋଭିଡ-୧୯ ଚିକିତ୍ସା ଲାଗି ସ୍ୱତନ୍ତ୍ର ଡାକ୍ତରଖାନା ପ୍ରତିଷ୍ଠା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କୋଭିଡ-୧୯ ପଜିଟିଭ ରୋଗୀଙ୍କୁ ଧାର୍ଯ୍ୟ ନିୟମ ଅନୁଯାୟୀ, ଚିକିତ୍ସା କରିବା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରିବା ସହ ସମସ୍ତ ମାମଲାରେ ପଦକ୍ଷେପ ଜାରି ରଖିବା ନିମନ୍ତେ ସେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅନୁରୋଧ କରିଥିଲେ। ଗତ ଏକ ମାସ ମଧ୍ୟରେ ବିଦେଶରୁ ଭାରତ ଆସିଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବା ସହିତ ପ୍ରଭାବୀ ସାମୁଦାୟିକ ନିରୀକ୍ଷଣ ବ୍ୟବସ୍ଥା ଲାଗୁ ନିମନ୍ତେ ସେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ଗୃହ ସଙ୍ଗରୋଧରେ ଥିବା ଲୋକମାନଙ୍କୁ ନିୟମିତ ନିରୀକ୍ଷଣ କରିବା ଏବଂ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ମଧ୍ୟ ସେ ପରାମର୍ଶ ଦେଇଥିଲେ।
କୋଭିଡ-୧୯ ସଂକ୍ରମଣକୁ ସକ୍ରିୟ ଭାବେ ପ୍ରତିହତ କରିବା ସକାଶେ ଅବସରପ୍ରାପ୍ତ ଡାକ୍ତରମାନଙ୍କୁ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟରେ ନିୟୋଜିତ କରିବା ଲାଗି ଅନୁରୋଧ କରିବା ନିମନ୍ତେ ସେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦେଇଥିଲେ। ଆମ୍ବୁଲାନ୍ସ ଡ୍ରାଇଭର, କଲ ସେଂଟର କର୍ମଚାରୀ ଏବଂ ଇଏମଆର ଟିମ ସଦସ୍ୟମାନଙ୍କୁ ତାଲିମ ଯୋଗାଇ ଦେବା ସହିତ କୋଭିଡ-୧୯ ପୋର୍ଟାଲରେ ଜିଲ୍ଲାୱାରୀ ଆମ୍ବୁଲାନ୍ସ ବିବରଣୀ ଉପଲବ୍ଧ କରାଇବା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅନୁରୋଧ କରିଥିଲେ।
ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରିବହନ ଉପରେ ପ୍ରାଥମିକତା ଦେବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କରିଥିଲେ। ଯାହାଫଳରେ ଚିକିତ୍ସା କେନ୍ଦ୍ରଗୁଡ଼ିକରେ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅଭାବ ରହିବ ନାହିଁ। ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ଯାତ୍ରା ଲାଗି ସାଧାରଣ ପରିବହନ ବ୍ୟବସ୍ଥା କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। ଏହା ଅତିରିକ୍ତ, କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସ ପୋର୍ଟାଲ ସହ ପ୍ରଭାବୀ ସମନ୍ୱୟ ସ୍ଥାପନ କରିବା ଏବଂ ଆଇଏମଏ ଭଳି ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ସଂଘ ସହ ସକ୍ରିୟ ସମ୍ପର୍କ ପ୍ରତିଷ୍ଠା ପ୍ରସଙ୍ଗ ସେ ଉଠାଇଥିଲେ।
କେତେକ ଘର ଏବଂ ଜମି ମାଲିକ କୋଭିଡ-୧୯ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସେମାନଙ୍କ ଘରେ ରଖାଇ ଦେଉନଥିବା ଖବର ବିଭିନ୍ନ ସ୍ଥାନରୁ ଆସୁଥିବାରୁ ଏହା ବିରୋଧରେ କଡ଼ା ନିର୍ଦ୍ଦେଶନାମା ଜାରି କରିବା ଲାଗି ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ।
କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଭାରତ ସରକାର ଆଜି ୫୦ ଲକ୍ଷ ଟଙ୍କା ଲେଖାଏଁ ବୀମା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। କୋଭିଡ-୧୯ ସଂକ୍ରାନ୍ତ ସରଞ୍ଜାମ କ୍ରୟ ନିମନ୍ତେ ଏନଏଚଏମ ଅଧୀନରେ ଯୋଗାଇ ଦିଆଯାଉଥିବା ପାଣ୍ଠି ବିନିଯୋଗ କରିବା ନିମନ୍ତେ ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ।
୨୧ ଦିନିଆ ଲକ ଡାଉନ ସମୟରେ ଜରୁରି ସାମଗ୍ରୀ, ଔଷଧ ଏବଂ ଅନ୍ୟାନ୍ୟ ସରଞ୍ଜାମ ଯୋଗାଣ ବାଧାମୁକ୍ତ ଭାବେ ଜାରି ରଖିବା ଦିଗରେ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଏବଂ ଅନ୍ୟ ବିଭାଗଗୁଡ଼ିକ ସକ୍ରିୟ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ସେ କହିଥିଲେ। ଅତ୍ୟାବଶ୍ୟକ ସେବା ଉପଲବ୍ଧ କରାଇବା ଲାଗି ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଫାର୍ମାସୀଗୁଡ଼ିକ ଯେପରି ଘର ପାଖରେ ଔଷଧ ଯୋଗାଇ ଦେବେ ତାହା ସୁନିଶ୍ଚିତ କରିବା ଲାଗି ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ବିଜ୍ଞପ୍ତି ଜାରି କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ। ସଙ୍ଗରୋଧରେ ଥିବା ଲୋକମାନଙ୍କ ମାନସିକ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରି ସେମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ହେଲ୍ପଲାଇନ ନମ୍ବର ଆରମ୍ଭ କରିବାକୁ ଡ. ହର୍ଷ ବର୍ଦ୍ଧନ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ। ଟେଲି ମେଡ଼ିସିନ ଗାଇଡଲାଇନ ଜାରି କରାଯାଇଛି ଏବଂ ଏକ ଆପର ମଧ୍ୟ ଶୁଭାରମ୍ଭ କରାଯାଇଛି। ଘରେ ଥିବା ଲୋକମାନଙ୍କୁ ଏହି ଆପ ଉପଯୋଗ କରି ଡାକ୍ତରୀ ପରାମର୍ଶ ଦେବା ସକାଶେ ଡାକ୍ତରମାନଙ୍କ ଏକ କେନ୍ଦ୍ର ଚିହ୍ନଟ କରିବା ନିମନ୍ତେ ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ।

 

Comments are closed.