ଆଇସିଏଚ୍‌ଆର୍‌ ମତ : ପାଇକ ବିଦ୍ରୋହକୁ ଦିଆଯାଇ ପାରିବନାହିଁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା

ସଂସଦରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଉତ୍ତର

ନୂଆଦିଲ୍ଲୀ : ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନସ୍ଥ ସଂସ୍ଥା ଇଣ୍ଡିଆନ କାଉନସେଲ ଅଫ ହିଷ୍ଟୋରିକାଲ ରିସର୍ଚ୍ଚ (ଆଇସିଏଚଆର) ମତ ରଖିଛି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡୀ ଗୁରୁବାର ରାଜ୍ୟସଭାରେ ଜଣାଇଛନ୍ତି । ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ଶ୍ରୀ ରେଡ୍ଡୀ ସୂଚନା ଦେଇ କହିଛନ୍ତି ଯେ ବ୍ରିଟିଶ ଶାସକଙ୍କ ବିରୋଧରେ ଓଡ଼ିଶାରେ ସଂଗଠିତ ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ମିଳିଥିଲା । ମାନ୍ୟତା ପ୍ରଦାନ ଲାଗି ପ୍ରସ୍ତାବକୁ ଆଇସିଏଚଆର ସହ ବିଚାରବିମର୍ଶ କରାଯାଇଥିଲା। ତର୍ଜମା ପରେ ଆଇସିଏଚଆର ମତ ଅନୁଯାୟୀ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଇସିଏଚଆର ମତକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି କି ନାହିଁ ସେ ବିଷୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଛି ସ୍ପଷ୍ଟ କରିନାହାନ୍ତି।
ତେବେ ଐତିହାସିକ ଦୃଷ୍ଟିକୋଣରୁ ୧୮୧୭ ରୁ ୧୮୨୫ ପର୍ଯ୍ୟନ୍ତ ସଂଗଠିତ ପାଇକ ବିଦ୍ରୋହ ପରବର୍ତ୍ତୀ କାଳରେ ଦେଶର ସ୍ୱାଧୀନତା ଆନ୍ଦୋଳନ ପାଇଁ ଭାରତବାସୀଙ୍କ ମଧ୍ୟରେ ଏକ ଉଦାହରଣ ସୃଷ୍ଟି କରିଥିଲା ବୋଲି କୁହାଯାଇପାରିବ । ବ୍ରିଟିଶ ଶାସନ ବିରୋଧରେ ପ୍ରାରମ୍ଭିକ ଭାବେ ଭାରତରେ ସଂଗଠିତ ଏହି ଜନବିଦ୍ରୋହକୁ ଏନସିଇଆରଟି ଇତିହାସ ପୁସ୍ତକ ଅଷ୍ଟମ ଶ୍ରେଣୀରେ ପଢ଼଼ାଯାଉଥିବା ୧୮୫୭ ଘଟଣାବଳୀ ସହ ଏକ ‘କେସ ଷ୍ଟଡ଼ି’ ଭାବେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.