‘ସ୍ବଚ୍ଛ ଭାରତ ଅଭିଯାନ’କୁ ୟୁନିସେଫର ପ୍ରଶଂସା ; କମିଛି ଭୂତଳ ଜଳ ପ୍ରଦୂଷଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହଦାକାଂକ୍ଷୀ ଯୋଜନା ‘ସ୍ବଚ୍ଛ ଭାରତ ଅଭିଯାନ’ କାରଣରୁ ଭାରତର ବହୁ ଗ୍ରାମରେ ଭୂତଳ ଜଳରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି। ଯୋଜନାଟି ଏହାର ଲକ୍ଷ୍ୟ ପଥରେ ଆଗେଇ ଚାଲିଛି। ବିଶ୍ବ ପରିବେଶ ଦିବସ ଅବସରରେ ୟୁନିସେଫ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। ଓଡ଼ିଶା, ବିହାର ଏବଂ ପଶ୍ଚିମବଙ୍ଗରେ ସ୍ବଚ୍ଛ ଭାରତ ଅଭିଯାନ ସମ୍ବନ୍ଧରେ ଏକ ଅଧ୍ୟୟନ ପରେ ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିଛି। ଯେଉଁ ଗ୍ରାମଗୁଡିକରେ ଲୋକେ ଅାଦୌ ଖୋଲା ସ୍ଥାନରେ ଶୌଚ ହେଉନାହାନ୍ତି ସେଗୁଡିକୁ ଓଡ଼ିଏଫ( ଓପନ ଡିଫେକସନ ଫ୍ରି) ଗ୍ରାମ ଘୋଷଣା କରାଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଓଡିଏଫ ଗ୍ରାମଗୁଡିକର ମୃତ୍ତିକା ତୁଳନାରେ ଅଣ-ଓଡିଏଫ ଗ୍ରାମର ମାଟି ୧.୧୩ ଗୁଣା ଅଧିକ ପ୍ରଦୂଷିତ। ସେହିଭଳି ଅଣ-ଓଡିଏଫ ଗ୍ରାମର ଭୂତଳ ଜଳ ଓଡ଼ିଏଫ ଗ୍ରାମ ତୁଳନାରେ ୧୧.୨୫ଗୁଣା ଅଧିକ ଦୂଷିତ। ମୃତ୍ତିକା ଏବଂ ଭୂତଳ ଜଳ ଦୂଷିତ ହେଲେ ସେଥିରେ ଅମଳ କରାଯାଇଥିବା ଫସଲ ମଧ୍ୟ ପ୍ରଦୂଷିତ ହୋଇଥାଏ। ଓଡିଏଫ ଗ୍ରାମରେ ଅମଳ କରାଯାଉଥିବା ଫସଲ ତୁଳନାରେ ଅଣ-ଓଡ଼ିଏଫ ଗ୍ରାମର ଫସଲ ୧.୪୮ଗୁଣା ବେଶି ଦୂଷିତ। ଏପରିକି ଅଣ-ଓଡିଏଫ ଗ୍ରାମର ୨.୬୮ ଗୁଣା ଅଧିକ ଘରର ପାନୀୟ ଜଳ ଦୂଷିତ ବୋଲି ୟୁନିସେଫ ଦର୍ଶାଇଛି।
ଭାରତରେ ୟୁନିସେଫର ପ୍ରତିନିଧି ଥିବା ଜାସ୍ମିନ ଅଲ୍ଲୀ କହିଛନ୍ତି ଶିଶୁମାନେ ବିଶେଷ ଭାବେ ସ୍ବଚ୍ଛତାକୁ ନେଇ ଦେଖାଦେଇଥିବା ଏହି ପରିବର୍ତ୍ତନର ସଂବାହକ ପାଲଟିଛନ୍ତି। ସମ୍ପ୍ରତି ପ୍ରତ୍ୟେହ ୯୬.୫% ଶୌଚାଳୟର ଉପଯୋଗ କରାଯାଉଛି। ଏ ଦିଗରେ ଶିଶୁଙ୍କ ଉତ୍ସାହ ଓ ଅଂଶିଦାରୀତା ଉଲ୍ଲେଖନୀୟ। ତେବେ ଉପରୋକ୍ତ ତିନି ରାଜ୍ୟ ମଧ୍ୟରୁ ବିହାରର ଓଡିଏଫ ମାନ୍ୟତା ପାଇ ନ ଥିବା ଗ୍ରାମଗୁଡିକର ମାଟି ଓ ପାଣି ସର୍ବାଧିକ ପ୍ରଦୂଷିତ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ତୁଳନାରେ ବିହାରର ଅଣ-ଓଡ଼ିଏଫ ଗ୍ରାମଗୁଡିକର ଖାଦ୍ୟ ଉତ୍ସ ମଧ୍ୟ ୬୬.୭% ଅଧିକ ଦୂଷିତ ବୋଲି ୟୁନିସେଫ ଦର୍ଶାଇଛି। ବିଲ ଏବଂ ମିଲିଣ୍ଡା ଗେଟସ ଫାଉଣ୍ଡେସନ ମଧ୍ୟ ବିଶ୍ବ ପରିବେଶ ଦିବସ ଅବସରରେ ପ୍ରକାଶ କରିଥିବା ଏହାର ଏକ ରିପୋର୍ଟରେ ମଧ୍ୟ ଏହି ଅଭିଯାନକୁ ପ୍ରଶଂସା କରିଛି। ଗ୍ରାମୀଣ କ୍ଷେତ୍ରରେ ସ୍ବଚ୍ଛତା ସମ୍ବନ୍ଧରେ ସଚେତନତା ସୃଷ୍ଟି ଲାଗି ପ୍ରାୟ ୨୩,୦୦୦ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।
୨୦୧୪ରେ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାବେ ନିଜର ପ୍ରଥମ ବକ୍ତବ୍ୟରେ ମୋଦୀ ପରିମଳ ବ୍ୟବସ୍ଥା ଏବଂ ଶୌଚାଳୟ ନିର୍ମାଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସେ ସ୍ବଚ୍ଛ ଭାରତ ଅଭିଯାନ ସମ୍ବନ୍ଧରେ ପ୍ରକାଶ କରିଥିଲେ। ଯଦି ​ସମ୍ପୂର୍ଣ୍ଣ ଭାବେ ଖୋଲାରେ ​‌େ​‌​‌ଶୗଚ ମୁକ୍ତ (ଓଡ଼ିଏଫ) ଲକ୍ଷ୍ୟ ପୂରଣ ହୁଏ ତେବେ ବାର୍ଷିକ ୩ ଲକ୍ଷ ଜୀବନ ରକ୍ଷା କରାଯାଇପାରିବ ବୋଲି ୨୦୧୮ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ଏକ ଅନୁଧ୍ୟାନ ରିପୋର୍ଟରେ ଉଲ୍ଲେଖ କରିଥିଲା। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ସ୍ବଚ୍ଛ ଭାରତ ଏବେ ଜନ ଆନ୍ଦୋଳନ ପାଲଟିଛି। ଖୋଲାରେ ଶୌଚ କରୁଥିବା ଲୋକଙ୍କୁ ଅନ୍ୟମାନେ ତାଗିଦା କରୁଛନ୍ତି। ପୂର୍ବରୁ ଶୌଚାଳୟ ନିର୍ମାଣ କରାଯାଉଥିଲା; ମାତ୍ର ବ୍ୟବହାର କରାଯାଉ ନ ଥିଲା। ଲକ୍ଷାଧିକ ମହିଳା ଏବେ ଶୌଚାଳୟ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ କେନ୍ଦ୍ର ସରକାର ଅଧିକ ଶୌଚାଳୟ ଯୋଗାଇ ଦେବେ ବୋଲି ସେ କହିଛନ୍ତି।

Comments are closed.