କରୋନା ମହାମାରୀ ସମୟରେ ବି ଓଡ଼ିଶାର ଆଦିବାସୀ ଶିଶୁମାନଙ୍କୁ ମିଳିଛି ପୋଷଣ ସେବା

ପୋଷଣ ସ୍ତରରେ ଉନ୍ନତି ଓ ସଚେତନତା ପାଇଁ ଆହୁରି ଉଦ୍ୟମ ଲୋଡ଼ା: ୟୁନିସେଫ୍

ଭୁବନେଶ୍ବର : କରୋନା ମହାମାରୀ ଭାରତର ଆଦିବାସୀ ସମ୍ପ୍ରଦାୟ ଲୋକମାନଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣ ସମ୍ପର୍କିତ ସୁରକ୍ଷାକୁ ବୃଦ୍ଧି କରିଦେଇଥିବାବେଳେ ଓଡ଼ିଶାରେ ସ୍ଥିତି ଟିକିଏ ଉନ୍ନତ ଥିବା ଜଣାପଡ଼ିଛି । ମିଳିଥିବା ନୂଆ ତଥ୍ୟ ଅନୁସାରେ କରୋନା ମହାମାରୀ ସତ୍ତ୍ବେ ଓଡ଼ିଶାର ଆଦିବାସୀ ସଂପ୍ରଦାୟ ନିକଟରେ ପୋଷଣ ସଂପର୍କିତ ସେବା ପହଞ୍ଚିବା ଜାରି ରହିଛି ।
କରୋନା ମହାମାରୀ ସମୟରେ ଆଦିବାସୀ ସମ୍ପ୍ରଦାୟ ପାଇଁ ପୁଷ୍ଟିକର ସେବାର ସ୍ଥିତି ଏବଂ ଦୁର୍ବଳ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୋମବାର ୟୁନିସେଫ୍, ଓଡିଶା ଦ୍ୱାରା ଆୟୋଜିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଏହି ଆଲୋଚନାଚକ୍ରରେ ଡ. ମୋନିକା ନିଲସନ, ୟୁନିସେଫ୍ ଓଡିଶାର ଫିଲ୍ଡ ଅଫିସ୍ ମୁଖ୍ୟ, ଡକ୍ଟର ପ୍ରଜ୍ଞା ପରମିତା ଗିରି, ଭୁବନେଶ୍ବର ଏମ୍‌ସ କମ୍ୟୁନିଟି ଆଣ୍ଡ ଫ୍ୟାମିଲି ମେଡିସିନ୍ ସହକାରୀ ପ୍ରଫେସର ସୌରଭ ଭଟ୍ଟାଚାର୍ଯ୍ୟ, ୟୁନିସେଫ୍ ଓଡିଶା ପୋଷଣ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ, ଯୋଗାଯୋଗ ଏବଂ ଆଡଭୋକେସୀ ବିଶେଷଜ୍ଞ ଡ. ଲୋପାମୁଦ୍ରା ତ୍ରିପାଠୀ, ମାଷ୍ଟର କେଫ୍ ଇଣ୍ଡିଆ ଅବିନାଶ ନାୟକ ପ୍ରମୁଖ ଭାଗ ନେଇଥିଲେ। ଏଥିରେ ପୋଷଣ ସାକ୍ଷୀ, କେତେକ ସ୍ବୟଂ ସହାୟକ ଗୋଷ୍ଠୀ ଓ ଏନଜିଓର କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ ।
ଆଦିବାସୀଙ୍କ ପୁଷ୍ଟିସାଧନ ଉପରେ ୟୁନିସେଫର ଅଗ୍ରାଧିକାର ସଂପର୍କରେ ୟୁନିସେଫ ଓଡିଶା ଫିଲ୍ଡ କାର୍ୟ୍ୟାଳୟର ମୁଖ୍ୟ ଡକ୍ଟର ମୋନିକା ନିଲସେନ୍ କହିଛନ୍ତି ଯେ ଆଦିବାସୀ ସମ୍ପ୍ରଦାୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକତାକୁ ଓଡିଶା ସରକାର ସ୍ୱୀକାର କରୁଛନ୍ତି । ଏ କ୍ଷେତ୍ରରେ ଜାରି ରହିଥିବା କିଛି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଏ କ୍ଷେତ୍ରରେ ଭଲ ଅଗ୍ରଗତି ଲକ୍ଷ୍ୟ କରିଛୁ । କରୋନା ସଂକଟ ମଧ୍ୟରେ ଆମେ, ଆମର ସାମୂହିକ ପ୍ରତିବଦ୍ଧତାକୁ ନିଶ୍ଚିତ କରିବାକୁ ପଡିବ, ବିଶେଷ କରି ଆଦିବାସୀ ପିଲାମାନେ ଯେପରି ଠିକଭାବେ ବଞ୍ଚିପାରିବେ ଓ ବିକାଶ ଲାଭ କରିପାରିବେ, ଆମେ ସମସ୍ତେ ସେ ଦିଗରେ ପ୍ରତିବଦ୍ଧ ହେବା ଜରୁରୀ ।
ଓଡିଶାରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୮୦ ଲକ୍ଷ ଲୋକ ବାସ କରନ୍ତି ଯାହା ରାଜ୍ୟର ମୋଟ ଜନସଂଖ୍ୟାର ୨୨ ପ୍ରତିଶତରୁ ଅଧିକ ଅଟେ। ଏହି ସମ୍ପ୍ରଦାୟଗୁଡିକ ମଧ୍ୟରୁ ଅଧିକାଂଶ ଗରିବ ଓ ଦୁର୍ବଳ ବର୍ଗର ହୋଇଥିବାବେଳେ ସ୍ୱାସ୍ଥ୍ୟ ଏବଂ ପୋଷଣ ସୂଚକାଙ୍କରେ ନିମ୍ନ ସ୍ତରରେ ରହିଥାନ୍ତି ।
ଏହି ସମ୍ପ୍ରଦାୟଗୁଡିକର ସାମଗ୍ରିକ ଉନ୍ନତି ଏବଂ ସ୍ୱାସ୍ଥ୍ୟ ଏବଂ ଜୀବନଧାରଣମାନରେ ଉନ୍ନତି ଆଣିବା ପାଇଁ ଅନେକ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏସବୁ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏମିତି କେତେକ ଗୋଷ୍ଠୀ ଅଛନ୍ତି ଯେଉଁମାନଙ୍କ ସ୍ଥିତି ଅନ୍ୟମାନଙ୍କ ତୁଳନାରେ ଅଧିକ ଅସୁରକ୍ଷିତ ଓ ଦୁର୍ବଳ ରହିଛି । ଏହି ଗୋଷ୍ଠୀଗୁଡିକୁ ବିଶେଷ ଭାବରେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ (ପିଭିଟିଜି) ବୋଲି କୁହାଯାଏ ଏବଂ ଦେଶରେ ମୋଟ ୭୫ଟି ପିଭିଟିଜି ମଧ୍ୟରୁ ୧୩ଟି ଓଡ଼ିଶାରେ ଅଛନ୍ତି ।
ଏହି ଅବସରରେ ୟୁନିସେଫର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ କହିଛନ୍ତି ଦୁର୍ବଳ ଆଦିବାସୀ ସଂପ୍ରଦାୟମାନେ ଅସୁରକ୍ଷିତ କାରଣ ସେମାନେ ଦୁର୍ଗମ ଓ ଦୂର ସ୍ଥାନରେ ବାସ କରନ୍ତି । ତେବେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ମିଳିତ ପ୍ରୟାସ ଏବଂ ଅଙ୍ଗନୱାଡି କର୍ମୀ, ଆଶା ଏବଂ ଏଏନଏମ ପରି କ୍ଷେତ୍ର କର୍ମକର୍ତ୍ତାଙ୍କ ନିରନ୍ତର ପ୍ରୟାସ ଯୋଗୁଁ କରୋନା ମହାମାରୀ ସମୟରେ ବି ଦୁର୍ବଳ ଆଦିବାସୀ ବର୍ଗ (ପିଭିଟିଜି) ମାନଙ୍କୁ ପୋଷଣ ସେବା ଯୋଗାଯାଇପାରିଥିଲା। ଏସବୁ କାର୍ୟ୍ୟର ତଦାରଖ ପାଇଁ ଆରମ୍ଭ କରାଯାଇଥିବା ଟେଲି-ମନିଟରିଂ ବ୍ୟବସ୍ଥାର ଫଳାଫଳ ଉତ୍ସାହଜନକ ରହିଛି।
ଓଡ଼ିଶାର ସବୁ ସାମାଜିକ ବର୍ଗଙ୍କ ବିକାଶ ସମପରିମାଣରେ ହୋଇପାରିନାହିଁ ଓ କେତେକ ଦୁର୍ବଳ ବର୍ଗଙ୍କ ଉନ୍ନତି ଲାଗି ଅଧିକ ପ୍ରୟାସ କରାଯିବା ଉଚିତ ବୋଲି ଓଡ଼ିଶା ସରକାର ସ୍ବୀକାର କରିଛନ୍ତି। ଜୀବନ ସମ୍ପର୍କ, ସମ୍ପୂର୍ଣ୍ଣବାର୍ତ୍ତା ଏବଂ ସ୍ୱାଭିମାନ ଭଳି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଦେଉଛି ଏସବୁ ଦୁର୍ବଳ ଗୋଷ୍ଠୀର ସ୍ୱାସ୍ଥ୍ୟ ଏବଂ ପୋଷଣରେ ଉନ୍ନତି, ଶିଶୁ ମୃତ୍ୟୁହାରରେ ଉନ୍ନତି ଓ ସାମଗ୍ରିକ ବିକାଶ ଏବଂ କଲ୍ୟାଣ ପାଇଁ ସାମାଜିକ ଏବଂ ଆଚରଣ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା। କରୋନା ମହାମାରୀ ସମୟରେ ଓଡ଼ିଶାର ୧୨ଟି ଜିଲ୍ଲାରେ ରହୁଥିବା ପିଭିଟିଜି ସମ୍ପ୍ରଦାୟର ତଥ୍ୟ ଦର୍ଶାଉଛି ଯେ ୯୦ ପ୍ରତିଶତ ଆଦିବାସୀ ଗ୍ରାମରେ ଗ୍ରାମ ସ୍ୱାସ୍ଥ୍ୟ ସ୍ୱଚ୍ଛତା ପୋଷଣ ଦିବସ ଅଧୀନସ୍ଥ ସେବା ଯଥା ଗର୍ଭଧାରଣର ଶୀଘ୍ର ପଞ୍ଜିକରଣ, ପ୍ରସବ ପୂର୍ବସେବା ଏବଂ ପ୍ରସବ ପରବର୍ତ୍ତୀ ଯତ୍ନ, ଅସୁସ୍ଥ ପିଲାମାନଙ୍କର ଅଭିବୃଦ୍ଧି ନିରୀକ୍ଷଣ ଏବଂ ରେଫରାଲ, ସ୍ୱାସ୍ଥ୍ୟ ସଚେତନତା ଏବଂ ପୋଷଣ ପରାମର୍ଶ ଆଦି ଜାରି ରହିଛି । ସେହିପରି ଅଧିକାଂଶ ଗ୍ରାମରେ ଟୀକାକରଣ ଶିବିର ମଧ୍ୟ ଆୟୋଜିତ ହୋଇଥିଲା ଯଦିଓ ଜୁନ ଏବଂ ସେପ୍ଟେମ୍ବର ମାସ ମଧ୍ୟରେ ଟୀକାକରଣ ମାର୍ଚ୍ଚ ଏବଂ ଏପ୍ରିଲଠାରୁ କମ୍ ରହିଥିଲା।
ଲକଡାଉନ୍ ସମୟରେ ଅଙ୍ଗନୱାଡି କେନ୍ଦ୍ରଗୁଡିକ ବନ୍ଦ ଥିବାରୁ ୫ ବର୍ଷରୁ କମ୍ ପିଲା, ଗର୍ଭବତୀ ଏବଂ ୨ ବର୍ଷ ପର୍ୟ୍ୟନ୍ତ ଶିଶୁ ଥିବା ମା’ମାନଙ୍କ ପାଇଁ ଉଦ୍ଦିଷ୍ଟ ପୁଷ୍ଟିକର ସେବା ସାମୟିକଭାବରେ ବ୍ୟାହତ ହୋଇଥିଲା । କିନ୍ତୁ ଜୁନ୍ ପରଠାରୁ ଏସବୁ ସେବା ପ୍ରଦାନ ପୁଣି ଜାରି ରହିଥିଲା। ତଥ୍ୟ ଦର୍ଶାଉଛି ଯେ କରୋନା ମହାମାରୀ ପ୍ରାରମ୍ଭରେ ଏସବୁ ସେବାଗୁଡିକ ୬୮% କୁ ଖସି ଆସିଥିଲା, କିନ୍ତୁ ସେପ୍ଟେମ୍ବର ବେଳକୁ ଏହି ସେବା ପ୍ରଦାନରେ ଉନ୍ନତି ଆସି ୯୫% ରୁ ଅଧିକ ଶିଶୁ ଏବଂ ମାତାଙ୍କୁ ଅନ୍ତର୍ଭୁକ୍ତ କରିଥିଲା।
ଆଦିବାସୀ ଶିଶୁମାନଙ୍କ ପାଇଁ ସର୍ବନିମ୍ନ ଗ୍ରହଣୀୟ ପୋଷକ ଖାଦ୍ୟ ଯେଉଁଥିରେ ସ୍ତନ୍ୟପାନ, ପର୍ଯ୍ୟାପ୍ତ ପରିମାଣର ଭୋଜନ ଏବଂ ଖାଦ୍ୟ ବିବିଧତା ଅନ୍ତର୍ଭୁକ୍ତ, ତାହା ଆଜିବି ଏକ ଆହ୍ବାନ ହୋଇ ରହିଛି। ପରିବାରକୁ ଅଣ୍ଡା ଏବଂ ଶୁଖିଲା ଖାଦ୍ୟ ଯୋଗାଯାଉଥିବା ସତ୍ତ୍ବେ ଜୁନ୍ ମାସରେ କେବଳ ୪୦ ପ୍ରତିଶତ ପିଲା ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟ ଖାଉଥିବାର ଜଣାଯାଇଛି। ତେବେ, ନିୟମିତ ପରାମର୍ଶ ସହିତ ପରିସ୍ଥିତିରେ ଏକ ଉନ୍ନତି ଘଟିଛି ଏବଂ ସେପ୍ଟେମ୍ବର ଆକଳନରୁ ଜଣାପଡିଛି ଯେ ପ୍ରାୟ ୫୨ ପ୍ରତିଶତ ପିଲା ପୁଷ୍ଟିକର ଖାଦ୍ୟ ଖାଉଥିଲା।
ଏହି ତଥ୍ୟ ରୁ ଜଣାପଡ଼ିଛି ଯେ କରୋନା ମହାମାରୀ ସମୟରେ ଛୋଟ ପିଲାମାନେ ମଧ୍ୟ ବିଭିନ୍ନ ପ୍ରକାରର ଖାଦ୍ୟ ପାଇଁ ପର୍ଯ୍ୟାପ୍ତ ସୁବିଧା ପାଇନଥିଲେ । ୮୫ ପ୍ରତିଶତ ଶିଶୁ ଶସ୍ୟ ଏବଂ ମୂଳ ଖାଉଥିବାବେଳେ କେବଳ ୨୦ ରୁ ୩୦ ପ୍ରତିଶତ ମାଂସ, ମାଛ ଖାଇବାକୁ ପାଇଥିଲେ। ପ୍ରାୟ ୫୮ ପ୍ରତିଶତ ଭିଟାମିନ୍ ଏବଂ ଫଳ ଏବଂ ପନିପରିବା ଖାଇଥିଲେ।
ଆଦିବାସୀ ପିଲାମାନଙ୍କ ମଧ୍ୟରେ ବଡଧରଣର ପୁଷ୍ଟିହୀନତାର ପରିଲକ୍ଷିତ ହୋଇଆସିଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ ୫ ବର୍ଷରୁ କମ ବୟସର ପ୍ରାୟ ୪୮ ପ୍ରତିଶତ ଆଦିବାସୀ ପିଲା ପୁଷ୍ଟିହୀନତାର ଶିକାର ହୋଇଥାନ୍ତି, ଯଦ୍ବାରା ସେମାନଙ୍କ ସଠିକ ଶାରିରୀକ ବିକାଶ ହୋଇପାରେ ନାହିଁ ଓ ସେମାନେ ଭୟଙ୍କର ଅପପୁଷ୍ଟି ରୋଗର ଶିକାର ହବାର ଆଶଙ୍କା ବଢିଯାଏ । ଏଣୁ ଏସବୁର ମୁକାବିଲା ଲାଗି ଏସବୁ ସଂପ୍ରଦାୟ ମଧ୍ୟରେ ସଚେତନତା ବୃଦ୍ଧି, ଠିକ ସମୟରେ ପୋଷଣ ସେବା ଯୋଗାଇବା ଓ ଦୁର୍ବଳ ପିଲାମାନଙ୍କ ପୋଷଣ ଉପରେ ନଜର ରଖିବା ଓ ସେମାନଙ୍କୁ ଡାକ୍ତରଖାନାକୁ ସୁପାରିସ କରିବାର ଜରୁରୀ ଆବଶକତା ରହିଛି । କେବଳ ଶିଶୁମାନେ ନୁହନ୍ତି, ଆଦିବାସୀ ମହିଳା ଓ ଯୁବତୀମାନଙ୍କ ପ୍ରତି ମଧ୍ୟ ବିପଦର ଆଶଙ୍କା ରହିଛି । ଏହାର କାରଣ ହେଉଛି ଅନୁଷ୍ଠାନିକ ସ୍ୱାସ୍ଥ୍ୟସେବାର ଅଭାବ, କମ ବୟସରେ ବିବାହ, ପ୍ରସବପୂର୍ବ ଓ ପ୍ରସବପର ଯତ୍ନର ଅଭାବ, ସ୍ବଚ୍ଛ ପାନୀୟ ଜଳ ଓ ଉତ୍ତମ ପରିମଳ ସୁବିଧାର ଅଭାବ ଆଦି ।
ଏହି ଅବସରରେ ୟୁନିସେଫର ସିଫୋରଡି ବିଶେଷଜ୍ଞ ଡ.ଲୋପାମୁଦ୍ରା ତ୍ରିପାଠୀ କହିଛନ୍ତି ଯେ ସକରାତ୍ମକ ଆଚରଣ ପରିବର୍ତ୍ତନକୁ ଉତ୍ସାହିତ କରିବା ଏବଂ ଖାଦ୍ୟ ଅଭ୍ୟାସକୁ ସୁନିଶ୍ଚିତ କରିବା ପାଇଁ ଯୋଗାଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯେଉଁଥିରେ ବିଶେଷ ଭାବରେ ଶିଶୁ ଏବଂ ମହିଳାଙ୍କ ପାଇଁ ପର୍ୟ୍ୟାପ୍ତ ପୁଷ୍ଟିକର ଖାଦ୍ୟ ଅନ୍ତର୍ଭୁକ୍ତ। ୟୁନିସେଫ୍ ଦ୍ବାରା ସମର୍ଥିତ ସଂପୂର୍ଣ୍ଣ ବାର୍ତ୍ତା ଅଭିଯାନ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟକୁ ପୁଷ୍ଟିକର ଖାଦ୍ୟ ସଂପର୍କରେ ବିଭିନ୍ନ ପ୍ରକାରର ସଚେତନତା, ପରାମର୍ଶ ଏବଂ ଆଚରଣ ପରିବର୍ତ୍ତନ ଏବଂ ପାରମ୍ପରିକ ତଥା ପୁଷ୍ଟିକର ଖାଦ୍ୟକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଆଦି ପରାମର୍ଶ ଦିଆଯାଉଛି।

Comments
Loading...