ବେରୋଜଗାର ସମସ୍ୟା

ଆଞ୍ଚଳିକ ସ୍ତରରେ ରହିଛି ଚାବିକାଠି

ଲୋକଙ୍କ ଆୟ ଓ ସମ୍ପତ୍ତିକୁ ନେଇ କ୍ରମାଗତ ପ୍ରକାଶିତ ଦୁଇଟି ରିପୋର୍ଟରେ ଏଭଳି ତଥ୍ୟ ଓ ପରିସଂଖ୍ୟାନ ସନ୍ନିବେଶିତ ହୋଇଛି ଯାହା ବିଶ୍ୱ ଅର୍ଥନୀତିର ବିହଙ୍ଗାବଲୋକନ ପାଇଁ ଯଥେଷ୍ଟ। ‘ଅକ୍ସଫାମ୍‍’ ଦ୍ୱାରା ପ୍ରକାଶିତ ରିପୋର୍ଟରେ ବିଶ୍ୱର ଧନୀ ଓ ଗରିବଙ୍କ ସମ୍ପତ୍ତିରେ ତାରତମ୍ୟର ସମ୍ୟକ ବିବରଣୀ ପ୍ରକାଶ ପାଇଥିବାବେଳେ ଜାତିସଂଘ ଦ୍ୱାରା ପ୍ରକାଶିତ ରିପୋର୍ଟରେ ବିଶ୍ୱ ବେରୋଜଗାରୀର ଉଦ୍‍ବେଗଜନକ ଚିତ୍ର ଦେଖିବାକୁ ମିଳିଛି। ପୁଙ୍ଖାନୁପୁଙ୍ଖ ଭାବରେ ଦେଖିଲେ ଏହି ଦୁଇଟି ରିପୋର୍ଟ ମଧ୍ୟରୁ ଗୋଟିକୁ ଅନ୍ୟଟିର ପରିପୂରକ ବୋଲି କୁହାଯାଇପାରେ। ‘ଅକ୍ସଫାମ୍‍’ ରିପୋର୍ଟ ଅନୁଯାୟୀ ବିଶ୍ୱର ୪୬୦ କୋଟି ଲୋକ(ବିଶ୍ୱ ଜନସଂଖ୍ୟାର ୬୦%)ଙ୍କ ସମ୍ପତ୍ତିଠାରୁ ୨,୧୫୩ ଅତ୍ୟୁଚ୍ଚ ଧନୀଙ୍କ ସାମଗ୍ରିକ ସମ୍ପତ୍ତି ପରିମାଣ ଅଧିକ। ଭାରତରେ ମୋଟ ଜନସଂଖ୍ୟାର ୧% ଧନୀଙ୍କ ମାଲିକାନାରେ ଯେତିକି ସମ୍ପତ୍ତି ଅଛି ତାହା ଦେଶର ୭୦% ଲୋକଙ୍କ ପାଖରେ ଥିବା ମୋଟ ସମ୍ପତ୍ତିର ଚାରିଗୁଣ। ଗତ ଦଶନ୍ଧିରେ ଅତ୍ୟୁଚ୍ଚ ଧନୀ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ପାଇଥିବା ବେଳେ ଧନୀ ଗରିବଙ୍କ ବୈଷମ୍ୟ ବଢ଼ିବାରେ ଲାଗିଛି। ଏହାର କାରଣ କ’ଣ ହୋଇପାରେ? ଏହାର ଉତ୍ତର ସଦ୍ୟ ପ୍ରକାଶିତ ଜାତିସଂଘର ଆନ୍ତର୍ଜାତିକ ଶ୍ରମିକ ସଂଗଠନ ଦ୍ୱାରା ପ୍ରକାଶିତ ‘ବିଶ୍ୱ ବେରୋଜଗାର ଓ ସାମାଜିକ ଦୃଷ୍ଟିକୋଣ’ ଶୀର୍ଷକ ରିପୋର୍ଟରେ ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ, ବିଶ୍ୱରେ ଏବେ ୪୭ କୋଟି ଲୋକ ବେରୋଜଗାରୀର ସମ୍ମୁଖୀନ ହୋଇଛନ୍ତି ଏବଂ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ମୋଟ ଶ୍ରମଶକ୍ତିର ୬୦% ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି। ୨୦୧୯ରେ ୬୩ କୋଟି ଶ୍ରମିକ ବା ଶ୍ରମ ଶକ୍ତିର ଏକ-ପଞ୍ଚମାଂଶଙ୍କ ହାରାହାରି ଦୈନିକ ଆୟ ୩.୨୦ ଡଲାରରୁ ମଧ୍ୟ କମ୍‍। ୨୬.୭ କୋଟି ଯୁବବର୍ଗ(୧୫-୨୪ବର୍ଷ) ଶିକ୍ଷା, ତାଲିମ୍‍ ଓ ନିଯୁକ୍ତିରୁ ବଞ୍ଚିତ। ୨୦୦୪ ରୁ ୨୦୧୭ ମଧ୍ୟରେ ଜାତୀୟ ଆୟରେ ମଜୁରିର ଭାଗ ୫୪%ରୁ ୫୧%କୁ ହ୍ରାସ ପାଇଛି।
ଏହାର ଅର୍ଥ ବଞ୍ଚି ରହିବା ବା ସମାଜରେ ସଂଘର୍ଷ କରିବା ପାଇଁ ବେରୋଜଗାରମାନେ ଅତ୍ୟୁଚ୍ଚ ଧନୀଙ୍କ ଦ୍ୱାରା ଉତ୍ପାଦିତ ନିତ୍ୟବ୍ୟବହାର୍ୟ୍ୟ ଓ ବିଭିନ୍ନ ଉପଭୋକ୍ତା ସାମଗ୍ରୀ ଉପରେ ନିର୍ଭର କରିବା ଛଡ଼ା ବିକଳ୍ପ ନାହିଁ, ଯାହା ପରୋକ୍ଷରେ ସେହି ଧନୀମାନଙ୍କ ନିକଟକୁ ହିଁ ଯାଉଛି। ଯଦି ଉତ୍ପାଦନ ସହିତ ନିଯୁକ୍ତି ଅନୁପାତ ସମାନ ହୁଅନ୍ତା ତେବେ କର୍ମଚାରୀ/ଶ୍ରମିକଙ୍କ ଦରମା/ପାରିଶ୍ରମିକ ଆକାରରେ ଧନୀଙ୍କ ଧନକୋଷରୁ ସ୍ୱତଃ ଅର୍ଥରାଶିର ଧାରା ଗରିବଙ୍କ ପକେଟ୍‍କୁ ଆସନ୍ତା। ଉତ୍ପାଦନ-ନିଯୁକ୍ତି ଅନୁପାତରେ ତାରତମ୍ୟ ବିଗତ ଦଶନ୍ଧିରେ ସ୍ଥିର ରହିଥିବାରୁ ଅର୍ଥନୀତିରେ ବୈଷମ୍ୟ ବଢ଼ୁଛି। ଏହି ବିଶ୍ୱସ୍ତରୀୟ ସମସ୍ୟା ସମାଧାନର ଚାବିକାଠି କେବଳ ଆଞ୍ଚଳିକ ସ୍ତରରେ ଅଛି। ସମସ୍ତ ଦେଶ ସ୍ୱାର୍ଥକୈନ୍ଦ୍ରିକ ନ ହୋଇ ଦୀର୍ଘମିଆଦୀ ଯୋଜନା ପ୍ରଣୟନ କରିବାର ଆବଶ୍ୟକତା ରହିଛି।

Comments
Loading...