ସାରୁଦା ଗାଁରେ ବିକାଶ ଅପହଞ୍ଚ, ବାଟ ଓଗାଳିଛି ବୁଢାବଳଙ୍ଗ ନଦୀ

ନେତା ମନ୍ତ୍ରୀ ବାବୁମାନଙ୍କୁ ତ ଆମେ କେବେ ଦେଖିନୁ, କାହାକୁ କହିବୁ କିଏ ଶୁଣିବ ଆମର ଦୁଃଖ 

ଠାକୁରମୁଣ୍ଡା : ସ୍ୱାଧୀନତାର ୭୩ ବର୍ଷ ପରେ ବି ବିକାଶ କଣ ଜାଣି ପାରିଲେ ନାହିଁ ସାରୁଦା ଗ୍ରାମବାସୀ । ଏପରି ବି ଗାଁ ଅଛି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ  ଅଞ୍ଚଳରେ, ଯୋଉଠି ବିକାଶ ଆଜି ବାଟବଣା, ଏପରି ଏକ ଗାଁ । ମୟୁରଭଞ୍ଜ ଜିଲ୍ଲାର ଯଶିପୁର  ବ୍ଲକ ଅସ୍ତକୁଅଁର ଗ୍ରାମପଞ୍ଚାୟତ ସାରୁଦା ଗାଁ ଯୋଉଠି ସ୍ୱାଧୀନତାର ୭୩ବର୍ଷ ପରେ ମଧ୍ୟ ବିକାଶ ଠାରୁ ବହୁ ଦୂରରେ। ବନ୍ୟଜନ୍ତୁଙ୍କ ସହିତ ସାଥି ହୋଇ ରହିଛନ୍ତି ଏହି ଗ୍ରାମବାସୀ । ପ୍ରଶାସନ କିମ୍ବା ନେତାଙ୍କର ପାଦ ପଡୁନି ଏ ଅଞ୍ଚଳରେ। ଗାଁରେ ପ୍ରାଥମିକ ବିଦ୍ୟାଳୟ ଟିଏ ଅଛି। ତାପରେ ଅଧିକାଂଶ ପିଲାଙ୍କ ପାଠରେ ପଡିଯାଏ ଡୁରୀ। ପାନୀୟଜଳ ଜଳ କହିଲେ ଚୁଆ କିମ୍ଵା ଝରଣାର ପାଣି। ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଦେହ ଖରାପ ହେଲେ ଗୁଣିଗାରେଡ଼ି ଓ ଝାଡାଫୁଙ୍କା ଏବେବି ଚାଲିଛି । କୌଣସି ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ, ଖଟିଆ କିମ୍ଵା ସାଙ୍ଗୀଭାର ହିଁ ଭରସା। ପୁରୁଷ ପୁରୁଷ ଧରି ଏଠାରେ ବାସ କରୁଥିଲେ ମଧ୍ୟ କାହାରି ନଜର ନାହିଁ। ଏ ଜଙ୍ଗଲ ଏମାନଙ୍କ ପାଇଁ ସବୁକିଛି। ନେତା ମନ୍ତ୍ରୀ ବାବୁମାନଙ୍କୁ ତା ଆମେ କେବେ ଦେଖିନୁ, କାହାକୁ କହିବୁ କିଏ ଶୁଣିବ ଆମର ଦୁଃଖ ଅତି ଅଭିମାନ ସହ ପ୍ରକାଶ କରିଛନ୍ତି ଗ୍ରାମର ବାହାଲିନ୍ ସାଙ୍ଗା, ବଳବତୀ ଆଲିଆ, କିରଣ କାରୁଣ୍ଡା, କୁଣ୍ଡିଆ ଓ ଗ୍ରାମବାସୀ।

ସାରୁଦା ଗାଁ ଟି ବ୍ଲକ  ଠାରୁ ୬୦ କି.ମି ଦୂର। ବିକାଶ ଠାରୁ ବହୁ ପଛରେ । ସାରୁଦା ଗାଁରେ ୪୬ ଟି ପରିବାରରେ ପାଖାପାଖି  ୨୫୦ ରୁ ଅଧିକ ଲୋକ ବାସ କରୁଥିଲେ ସୁଦ୍ଧା ସବୁଦିନିଆ ରାସ୍ତା ଏଠାରେ ନାହିଁ । ଏଠାରେ ବୁଢ଼ାବଳଙ୍ଗ ନଦୀ ହିଁ ବିକାଶରେ ମୁଖ୍ୟ ପ୍ରତିବନ୍ଧକ, ଯାହା ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣିବା ପାଇଁ ବହୁ ସମସ୍ୟା ଭଗିବା ପାଇଁ ପଡୁଛି ଏହି ଗ୍ରାମର ଲୋକଙ୍କୁ ।  ପିଡ଼ିଏସ ଚାଉଳଠୁ ଆରମ୍ଭ କରି ଅନ୍ୟାନ୍ୟ ରାସନ, ଔଷଧ ହେଉ କିମ୍ବା ଦୈନ୍ୟଦିନ ବ ବ୍ୟବହାର୍ଯ୍ୟ ଜିନିଷ ଆଣିବା ଲୋକଙ୍କ ପାଇଁ ଖୁବ କଷ୍ଟସାଧ୍ୟ ହୋଇ ପଡୁଛି । ବର୍ଷା ଦିନରେ ନଦୀ ଅତିକ୍ରମ କରିବା ଆଦୌ ସମ୍ଭବ ହୁଏ ନାହିଁ । ଅସରାଏ ବର୍ଷାରେ ନଦୀ ବଢି ହୋଇଥାଏ ଫଳରେ ବହୁ କଷ୍ଟରେ ଏଠାରେ ଲୋକେ ଜୀବନ ସହିତ ବାଜି ଲଗାଇ ଆଜି ପର୍ଯ୍ୟନ୍ତ ରହି ଆସିଛନ୍ତି ।

ଜିଲ୍ଲା ପ୍ରଶାସନ ଠୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ପର୍ଯ୍ୟନ୍ତ ବହୁ ବାର ଗୁହାରୀ କରିଥିଲେ ବି ଫଳ ଶୂନ। ସେହିପରି ନିର୍ବାଚନ ଆସିଲେ ନେତାଙ୍କ ଦର୍ଶନ ଓ ମିଥ୍ୟା ପ୍ରତିଶୃତି ଶୁଣିବାକୁ ମିଳେ । ମାତ୍ର ପ୍ରତିଶୃତି କେବେ ଫଳବତୀ ହୋଇନି କି ଲୋକଙ୍କ ଦୁଃଖ ଦୂର ହୋଇ ପାରିନି ଏଇ ସାରୁଦା ଗ୍ରାମ ବାସୀଙ୍କ । ତେବେ ଦେଖିବା ପାଇଁ ବାକି ରହିଲା କେବେ ଏଇ ଉପାନ୍ତ ଆଦିବାସୀ ଗ୍ରାମକୁ ଗମନାଗମନ ପାଇଁ କେବେ ଅନୁକମ୍ପା ଦେଖାଉଛି ଜିଲ୍ଲା ପ୍ରଶାସନ ନା ଏପରି ମରଣ ସହିତ ପ୍ରତ୍ୟେକ ଦିନ ସଂଘର୍ଷ କରୁଥିବେ   ଏଇ ଗ୍ରାମର ୪୬ ପରିବାର । ତାହା ଦେଖିବା ପାଇଁ ବାକି ରହିଲା ।

Comments
Loading...