ପିଏମଏୱାଇ ଯୋଜନାରେ ପ୍ରଧାନମନ୍ତ୍ରୀ ୟୁପିର ୬ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଦାନ କରିବେ ୨ ହଜାର ୬୯୧ କୋଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମଏୱାଇ ଯୋଜନାରେ ଆସନ୍ତାକାଲି ଉତ୍ତରପ୍ରଦେଶର ୬ ଲକ୍ଷ ୧୦ ହଜାର ହିତାଧିକାରୀଙ୍କୁ ୨ ହଜାର ୬୯୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି ସହାୟତା ପ୍ରଦାନ କରିବେ। ଏହି ଅବସରରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଠାରେ ଉପସ୍ଥିତ ରହିବେ। ପ୍ରଥମ ଦଫାରେ ୫ଲକ୍ଷ ୩୦ହଜାର ହିତାଧିକାରୀଙ୍କୁ ସହାୟତା ଅର୍ଥ ଦିଆଯିବ ଓ ଦ୍ୱିତୀୟ ଦଫାରେ ୮୦ହଜାର ହିତାଧିକାରୀଙ୍କୁ ସହାୟତା ମିଳିବ। ପ୍ରଧାନମନ୍ତ୍ରୀ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ବାସଗୃହ ନିର୍ମାଣ ଲାଗି ଘୋଷଣା କରିସାରିଛନ୍ତି।

୨୦୧୬ ନଭେମ୍ବର ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣକୁ ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ଏ ପର୍ଯ୍ୟନ୍ତ ଦେଶରେ ୧ କୋଟି ୨୬ ଲକ୍ଷ ବାସଗୃହ ନିର୍ମାଣ କରାଯାଇ ସାରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାର ଶତକଡ଼ା ୧୦୦ ଭାଗ ସହାୟତା ପ୍ରଦାନ କରାଯାଉଛି। ସମତଳ ଅଞ୍ଚଳ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଥିବା ବେଳେ ପାର୍ବତ୍ୟାଞ୍ଚଳ, ଉତ୍ତର ପୂର୍ବାଞ୍ଚଳ, ଦୁର୍ଗମ ଅଞ୍ଚଳ, ନକ୍ସଲ ଉପଦ୍ରୁତ ଅଞ୍ଚଳ ଏବଂ ଜାମ୍ମୁ-କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ଦିଆଯାଉଛି। ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ବ୍ୟତୀତ ମନରେଗା ଯୋଜନାରେ ଅଣକୁଶଳୀ ଶ୍ରମିକମାନଙ୍କୁ ସହାୟତା ଦିଆଯାଉଛି ଓ ୧୨ ହଜାର ଟଙ୍କା ଲେଖାଏଁ ଶୌଚାଳୟ ନିର୍ମାଣ ବାବଦରେ ଦିଆଯାଉଛି।

Comments are closed.