ସିକେ ନାୟୁଡୁ ଟ୍ରଫି – ନାଗାଲାଣ୍ଡକୁ ହରାଇବା ସତ୍ତ୍ବେ ପ୍ଲେଅଫ୍‌ରୁ ଓଡ଼ିଶା ବଞ୍ଚିତ

କଟକ: ଚଳିତବର୍ଷର ୨୩ ବର୍ଷରୁ କମ୍ କ‌େ​‌ର୍ଣ୍ଣଲ ସି.କେ. ନାୟୁଡୁ ଟ୍ରଫି ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହୋଇଛି। ନାଗାଲାଣ୍ଡର ସୋଭିମା ସହରରେ ରବିବାର ସମାପ୍ତ ହୋଇଥିବା ପ୍ଲେଟ୍‌ ଗ୍ରୁପ୍ ମ୍ୟାଚ୍‌ରେ ଘରୋଇ ନାଗାଲାଣ୍ଡକୁ ସହଜରେ ୯ ୱିକେଟରେ ଓଡ଼ିଶା ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଓଡ଼ିଶାକୁ ୨ୟ ଇନିଂସରେ ୧୮୩ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା ନାଗାଲାଣ୍ଡ। ଏହାର ପିଛାକରି ଓଡ଼ିଶା ରବିବାର ୩ୟ ଦିନରେ ମାତ୍ର ୧ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା। ଏହି ବିଜୟରୁ ଓଡ଼ିଶା ୬ ପଏଣ୍ଟ ପାଇଛି। ଚଳିତ ସିଜିନ୍‌ରେ ୯ଟି ମ୍ୟାଚ୍‌ରେ ଏହା ଓଡ଼ିଶାର ୭ମ ବିଜୟ।

ଏହାସତ୍ତ୍ବେ ଓଡ଼ିଶା ପ୍ଲେଟ୍‌ ଗ୍ରୁପ୍‌ରୁ ପ୍ଲେଅଫ୍ ପର୍ୟ୍ୟାୟକୁ ଉନ୍ନୀତ ହୋଇ ପାରିନାହିଁ। ପ୍ଲେଟ୍‌ ଗ୍ରୁପ୍‌ରୁ ମାତ୍ର ଗୋଟିଏ ଦଳ କ୍ବାର୍ଟରଫାଇନାଲକୁ ଯିବାର ଥିବା ବେଳେ ୫୧ ପଏଣ୍ଟ ପାଇଥିବା ପଣ୍ଡିଚେରୀ ଏହି କୃତିତ୍ବ ପାଇଛି। ଚଣ୍ଡିଗଡ଼ ୪୭ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି। ୯ଟି ମ୍ୟାଚ୍‌ରୁ ୭ଟି ବିଜୟ ଓ ୨ଟି ପରାଜୟ ସହ ଓଡ଼ିଶା ୪୬ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି। ଫଳରେ ଆସନ୍ତାବର୍ଷ ମଧ୍ୟ ଓଡ଼ିଶା ଦଳ ସି.କେ. ନାୟୁଡୁ ଟ୍ରଫି ଟୁର୍ଣ୍ଣାମେଣ୍ଟର ପ୍ଲେଟ୍‌ ଗ୍ରୁପ୍‌ରେ ଖେଳିବ। ୧୮୩ ରନ୍‌ର ବିଜୟଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ଶନିବାର ୨ୟ ଦିନ ଶେଷସୁଦ୍ଧା ୨ୟ ଇନିଂସରେ କୌଣସି ୱିକେଟ ନ ହରାଇ ୧୦ ରନ୍ କରିଥିଲା। ରବିବାର ୩ୟ ଦିନରେ ଓଡ଼ିଶା ଔପଚାରିକତା ପୂରଣ କରିଥିଲା। ଓପ୍‌ନିଂ ଯୋଡ଼ିରେ ବିନୀତ ମହାନ୍ତି ଓ ଅମ୍ରିତ ଖଟୁଆ ୧୨୭ ରନ୍ ଯୋଗକରିବା ପରେ ଓଡ଼ିଶାର ବିଜୟ ନିଶ୍ଚିତ ହୋଇ ଯାଇଥିଲା। ବିନୀତ ମହାନ୍ତି ୧୩୩ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୬୬ ରନ୍‌କରି ଆଉଟ ହୋଇଥିଲେ। ପରେ ଅମ୍ରିତ ଖଟୁଆ ଓ ସୌରଭ ଗୌଡ଼ ଦଳକୁ ବିଜୟୀ କରିଥିଲେ। ସୌରଭ ଗୌଡ଼ ୨୭ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୩୫ ରନ୍‌କରି ଅପରାଜିତ ଥିଲେ। ଅମ୍ରିତ ଖଟୁଆ ୧୫୦ ବଲ୍‌ରୁ ୧୨ଟି ଚୌକା ସହ ୭୫ ରନ୍‌କରି ଅପରାଜିତ ଥିଲେ। ସାମ୍‌ୱାଙ୍ଗ୍‌ ଏକମାତ୍ର ୱିକେଟ ନେଇଥିଲେ।

Comments are closed.