୧୯ ବର୍ଷରୁ କମ୍‌ ବିଶ୍ବକପ୍‌: ଆଜି ଭାରତ-ବାଂଲାଦେଶ ଫାଇନାଲ ମ୍ୟାଚ୍‌ 

ପୋଚେଫ୍‌ଷ୍ଟ୍ରୁମ୍‌  : ଏଠାରେ ଖେଳାଯାଉଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ରେ ରବିବାର ଭାରତ ଓ ବାଂଲାଦେଶ ଦଳ ମଧ୍ୟରେ ମୁକାବିଲା ହେବ। ଭାରତୀୟ ଦଳ ପୂର୍ବରୁ ୪ଥର ଏହି ବିଶ୍ବକପ୍‌ ଚମ୍ପିଆନ୍ ହୋଇଥିବା ବେଳେ ରବିବାର ୫ମ ଥର ପାଇଁ ଟାଇଟଲ୍‌ ହାସଲ କରିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବେଳେ ଏହି ଦଳ କିପରି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିବ।

୨୦୧୮ରେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତ ତରଫରୁ ପୃଥ୍ବୀ ସ’ ଓ ଶୁବମାନ୍‌ ଗିଲ୍ ପ୍ରମୁଖ ଖେଳିଥିଲେ। ବର୍ତ୍ତମାନ ଏହି ଦୁଇ କ୍ରିକେଟର୍‌ ସିିନିୟର ଦଳରେ ସାମିଲ ହୋଇଥିବା ବେଳେ ଚଳିତ ବିଶ୍ବକପ୍‌ରେ ଭାରତୀୟ ଦଳ ତରଫରୁ ଖେଳୁଥିବା ଓପନର୍ ଯଶସ୍ବୀ ଜୟସ୍ବାଲ୍‌, ସ୍ପିନର ରବି ବିଷ୍ଣୋଇ ଓ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏମାନେ ଆଗାମୀ ଦିନରେ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଭାରତୀୟ ଦଳ ଚମ୍ପିଆନ୍‌ ହେବ ବୋଲି ସମସ୍ତେ ଆଶା ରଖିଥିବା ବେଳେ ବାଂଲାଦେଶ ଦଳ ଲଢୁଆ ପ୍ରଦର୍ଶନ କରିପାରେ ବୋଲି କ୍ରିକେଟ୍‌ ପଣ୍ଡିତମାନେ ଆଶା ରଖିଛନ୍ତି। ଭାରତୀୟ ଦଳ ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୧୦ ୱିକେଟ୍‌ରେ ପରାସ୍ତ କରିଥିଲା। ଦଳ ବେଶ୍‌ ଶକ୍ତିଶାଳୀ ଥିବାରୁ ଫାଇନାଲରେ ବାଂଲାଦେଶକୁ ସହଜରେ ପରାସ୍ତ କରିବ ବୋଲି ଭାରତୀୟ କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି।

୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ସଫଳତା ପାଇଥିବା ଖେଳାଳି ଯେ ଆଗାମୀ ଦିନରେ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବେ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ଏହାର ଉଦାହରଣ ହେଉଛନ୍ତି ଉନ୍ମୁକ୍ତ ଚାନ୍ଦ। ଉନ୍ମୁକ୍ତଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୧୨ରେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଚମ୍ପିଆନ୍ ହୋଇଥିଲେ ମଧ୍ୟ ଉନ୍ମୁକ୍ତ ପରବର୍ତ୍ତୀ ସମୟରେ ଏତେଟା ସଫଳତା ହାସଲ କରି ପାରିନଥିଲେ। ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ର ଫାଇନାଲରେ ଭାରତୀୟ ଦଳ ଚମ୍ପିଆନ୍‌ ହେବା ଆଶା ଅଧିକ ବୋଲି ମତ ଦେଇଛନ୍ତି ଦଳର ଫିଲଡିଂ ପ୍ରଶିକ୍ଷକ ଅଭୟ ଶର୍ମା।
୧୯ ବର୍ଷରୁ କମ୍‌ ବିଶ୍ବକପ୍‌ର ଚଳିତ ସଂସ୍କରଣରେ ଭାଗ ନେବା ପୂର୍ବରୁ ଭାରତୀୟ ଦଳ ବିଶ୍ବର ବିଭିନ୍ନ ପ୍ରାନ୍ତରେ ୩୦ରୁ ଅଧିକ ମ୍ୟାଚ୍ ଖେଳିଥିଲୋ। ଦକ୍ଷିଣ ଆଫ୍ରିକାର ପରିବେଶ ସହ ଖାପ୍‌ ଖୁଆଇବା ପାଇଁ ଦଳ ବିଶ୍ବକପ୍‌ ପୂର୍ବରୁ ଏକ ଚତୁଃରାଷ୍ଟ୍ରୀୟ କ୍ରିକେଟ୍‌ ସିରିଜ୍‌ ଖେଳିଥିଲା। ପ୍ରିୟମ ଗର୍ଗଙ୍କ ନେତୃତ୍ବାଧୀନ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଚଳିତ ବିଶ୍ବକପ୍‌ରେ ବର୍ତ୍ତମାନ ସୁଦ୍ଧା ବେଶ୍‌ ଭଲ ପ୍ରଦର୍ଶନ କରିଥିବାରୁ ଫାଇନାଲରେ ଚମ୍ପିଆନ୍‌ ହେବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ବାଂଲାଦେଶ ଦଳ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଦଳ ଫାଇନାଲରେ ଭାରତକୁ ମୁକାବିଲା କରିବାକୁ ଥିବା ବେଳେ ଏ ସଂପର୍କରେ ମତ ଦେଇ ବାଂଲାଦେଶ ଦଳର ଅଧିନାୟକ ଆକବର ଅଲ୍ଲି କହିଛନ୍ତି ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ଏଥିରେ କୌଣସି ସନ୍ଦେହ ନାହିଁ। ଏହି ଦଳକୁ ଫାଇନାଲରେ ପରାସ୍ତ କରିବାକୁ ହେଲେ ବାଂଲାଦେଶ କ୍ରିକେଟର୍‌ଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ।

ଆଜି (ରବିବାର)ର ମ୍ୟାଚ୍‌
ଭାରତ-ବାଂଲାଦେଶ
ସମୟ- ଅପରାହ୍ଣ ୧.୩୦ରୁ, ପ୍ରସାରଣ-ଷ୍ଟାର ସ୍ପୋର୍ଟସ୍‌ ୧ ଓ ୩।

Comments are closed.