ଅଣାୟତ୍ତ ନିଆଁ, ଉଜୁଡ଼ି ଯାଉଛି ଜଙ୍ଗଲ

ଭୁବନେଶ୍ବର: ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ବନ୍ୟ ସମ୍ପଦ ଧ୍ବଂସ ପାଇବାରେ ଲାଗିଛି। ନୟାଗଡ଼, ଶିମିଳିପାଳ ଓ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଥମିବାର ନା ଧରୁନି। ଏପଟେ ଘୁମୁୁସର ଜଙ୍ଗଲରେ ନିଆଁ ଲାଗିଥିବାରୁ ବାର୍‌ହା ପଲ ଜନବସତି ମୁହାଁ ହେବାରେ ଲାଗିଛନ୍ତି।

ଶିମିଳିପାଳର ବ୍ୟାପକ ଅଞ୍ଚଳରେ ନିଆଁ ଲାଗିବା ସାଧାରଣରେ ଉଦବେଗ ସୃଷ୍ଟି କରିଛି। ଏହାକୁ ନେଇ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରକାଶ ଜାବଡେକର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଆଜି ବି ଶିମିଳିପାଳର ଅଧା ଅଞ୍ଚଳ, ପ୍ରାୟ ୧ ହଜାର ବର୍ଗ କିମିରୁ ଊର୍ଦ୍ଧ୍ବ ଅଞ୍ଚଳର ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳୁଥିବା ଜଣାଯାଇଛି। ସେହିପରି ଏହି ବନାଞ୍ଚଳ ସମେତ ମୟୂରଭଞ୍ଜ ଜିଲାର ୯୫ଟି ଜାଗାରେ ଜଙ୍ଗଲ ଜଳୁଥିବା ଉପଗ୍ରହ ଚିତ୍ରରୁ ଜଣାଯାଇଛି। ବନ ବିଭାଗ ପକ୍ଷରୁ ନିଆଁକୁ ନିୟନ୍ତ୍ରଣ କରିବାକୁ ଜୋରଦାର ପ୍ରୟାସ ଚାଲିଥିଲେ ହେଁ ଏହା ବ୍ୟାପକ ହୋଇଚାଲିବା ସମସ୍ତଙ୍କ ଚିନ୍ତାର ବିଷୟ ହୋଇଛି। ଏଥି ପାଇଁ ବନବାସୀଙ୍କ ସମେତ ମୟୂରଭଞ୍ଜ ଜିଲାର ବିସ୍ତୃତ ଅଞ୍ଚଳରେ ହଜାର ହଜାର ପରିବାରଙ୍କ ଜୀବନଜୀବିକା ବେଶ ପ୍ରଭାବିତ ହେବ।

ଶିମିଳିପାଳର ନଅଣା, କେନ୍ଦୁମୁଣ୍ଡି, ତାଳବନ୍ଧ, ଚନ୍ଦନଚତୁରି, ଜେନାବିଲ, ଠାକୁରମୁଣ୍ଡା, ପଳାଡିହା, ଗୁଡୁଗୁଡିଆ ଓ ବରେହିପାଣି ଅଞ୍ଚଳର ବହୁ ସ୍ଥାନରେ ନିଆଁ ଲାଗିଛି। ଏହି ଅଭୟାରଣ୍ୟ ସଂଲଗ୍ନ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନାଞ୍ଚଳର ବିଭିନ୍ନ ସ୍ଥାନରେ ବି ନିଆଁ ଲାଗିଛି। ବିରଳ ଜୈବ ମଣ୍ଡଳ ଶିମିଳିପାଳ ୨୭୫୦ ବର୍ଗ କିମି ଅଞ୍ଚଳରେ ପରିବ୍ୟାପ୍ତ ଥିବାବେଳେ ପ୍ରାୟ ୧ ହଜାର ବର୍ଗ କିମି ଅଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ ଲାଗିଛି। ନିଆଁ ଲିଭାଇବାକୁ ୭୫୦ ବନ ବିଭାଗ କର୍ମଚାରୀ, ୨୫୦ ଜଣ ଫାୟାର ୱାଚ ମୁତୟନ ଅଛନ୍ତି। ଗତ ଫେବୃଆରୀ ୯ ତାରିଖରେ ଶିମିଳିପାଳର ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଆରମ୍ଭ କରିଥିଲା। ନିଆଁରେ ଅସଂଖ୍ୟ ବୃକ୍ଷ ପୋଡ଼ି ପାଉଁଶ ହୋଇଥିବାରୁ ଜିଲାର ଜଳବାୟୁ ମଧ୍ୟ ପ୍ରଭବିତ ହେବ। ତେବେ ଚଳିତ ମାର୍ଚ୍ଚ ମାସ ସହ ଏପ୍ରିଲ ଓ ମେ ମାସରେ ମଧ୍ୟ ଜଙ୍ଗଲ ପ୍ରତି ବିପଦ ରହିଛି। ତେଣୁ ନିଆଁ ଲିଭାଇବା ଓ ଭବିଷ୍ୟତରେ ସୁରକ୍ଷା ପାଇଁ ବନ ବିଭାଗ ଅଧିକ କର୍ମଚାରୀ ମୁତୟନ ସହ ସ୍ଥାନୀୟ ଅଞ୍ଚଳରୁ ବହୁ ସଂଖ୍ୟକ ଅସ୍ଥାୟୀ ସ୍ୱେଚ୍ଛାସେବୀ, ବନ ସୁରକ୍ଷା ସମିତି ସଦସ୍ୟଙ୍କୁ ନିୟୋଜିତ କରିବାକୁ ଦାବି ହେଉଛି।

ଶିମିଳିପାଳର ସୁରକ୍ଷା ଦାବିରେ ମୟୂରଭଞ୍ଜ ଜିଲାର ଯୁବ ଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଆଗାମୀ ୧୦ ତାରିଖ ୧୨ ଘଣ୍ଟିଆ ‘ମୟୂରଭଞ୍ଜ ବନ୍ଦ’ ଡାକରା ଦିଆଯାଇଥିବା ଜଣାପଡ଼ିଛି। ବନ ବିଭାଗର ଚରମ ଅବହେଳା ତଥା ବିଫଳତା ଶିମିଳିପାଳ ଜୈବ ମଣ୍ଡଳରେ ନିଆଁ ଲାଗିବାର ମୁଖ୍ୟ କାରଣ ବୋଲି ଶିମିଳିପାଳରେ ବନାଗ୍ନି ସମ୍ପର୍କରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା କଂଗ୍ରେସର ରାଜ୍ୟ ପ୍ରବକ୍ତା ତଥା ମୟୂରଭଞ୍ଜ ଜିଲା ପ୍ରଭାରୀ ସୁଦର୍ଶନ କହିଛନ୍ତି। ଶିମିଳିପାଳ କେବଳ ମୟୂରଭଞ୍ଜର ନୁହେଁ, ଅପରନ୍ତୁ ଏହା ରାଜ୍ୟର ବିରଳ ପ୍ରାକୃତିକ ସମ୍ପଦ। ଶିମିଳିପାଳରେ ନିଆଁ ଲାଗିବା ଏକ ଜାତୀୟ ବିପତ୍ତି। ଏଣୁ ଏହାକୁ ରକ୍ଷା କରିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଦାୟିତ୍ୱ। କେତେକ ଦୁର୍ନୀତିଗ୍ରସ୍ତ ବନ ବିଭାଗ କର୍ମଚାରୀ, ଶିକାରୀ ଓ କାଠ ଚୋର ବ୍ୟବସାୟୀମାନଙ୍କ ଦାଉରୁ ଜାତୀୟ ଉଦ୍ୟାନ ଶିମିଳିପାଳଙ୍କୁ ରକ୍ଷା କରିବା ପାଇଁ ସରକାର ତୁରନ୍ତ ଆଗେଇ ଆସନ୍ତୁ ବୋଲି କଂଗ୍ରେସ ଅନୁଧ୍ୟାନକାରୀ ଦଳ ପକ୍ଷରୁ ଦାବି କରାଯାଇଛି।

ସମଗ୍ର ଉତ୍ତର ଘୁମୁସର ବନଖଣ୍ଡ ଜଳୁଥିବା ବେଳେ ଏବେ ଗାଁ ଗଣ୍ଡାକୁ ଜଙ୍ଗଲ ନିଆଁ ବ୍ୟାପି ଗଲାଣି। ଶନିବାର ଦୁର୍ଗାପ୍ରସାଦ ଠାରେ ଜଙ୍ଗଲ ନିଆଁ ଗାଁ ମୁହଁରେ ପହଞ୍ଚିଯିବାରୁ ଜି. ଉଦୟଗିରିରୁ ଦମକଳ ବାହିନୀ ଆସି ନିଆଁ ଲିଭାଇଛି। ଜଙ୍ଗଲ ନିଆଁରେ ଡାଙ୍ଗୁଆପଲ୍ଲି ଗ୍ରାମର କେତେକଙ୍କ ଘର ପୋଡି ପାଉଁଶ ହୋଇଯାଇଛି। ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ଡାଙ୍ଗୁଆପଲ୍ଲୀରେ ଜଙ୍ଗଲ ନିଆଁ ଲାଗିଥିଲା। ସେଠାରୁ ନିଆଁ ଝୁଲା ଉଡିଆସି ଚାଞ୍ଚରା ଜଙ୍ଗଲ ଜଳି ଯାଇଥିଲା। ଗୋ-ଖାଦ୍ୟ ପାଇଁ ଗଛିତ ଥିବା ପ୍ରାୟ ୪୦ ଭରଣ ଜମିର ପାଳଗଦା ଜଳି ଯାଇଛି। ଶନିବାର ସକାଳ ୮ଟା ପରେ ଭଞ୍ଜନଗର ସହରରେ ଝାଞ୍ଜି ପବନ ପ୍ରବାହିତ ହୋଇଥିଲା। ସମଗ୍ର ସହର ସମତେ ଆଖପାଖର ଶତାଧିକ ଗ୍ରାମକୁ ଧୂମମୟ ହୋଇ ପଡିଥିଲା। ଜଙ୍ଗଲ ନିଆଁରେ ୬ ପରିବାରର ଘର ଜଳି ଯାଇଥିଲା। ଶେରଗଡ ବ୍ଳକ ଅନ୍ତର୍ଗତ ବନ୍ଧଗୁଡା ଗ୍ରାମକୁ ଜଙ୍ଗଲ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ରାମଗିରି ଓ କାଂସ ପାହାଡରେ ଲାଗିଥିବା ନିଆଁକୁ ଦମକଳବାହିନୀ ଦ୍ୱାରା ଆୟତ୍ତ କରାଯାଇଛି।

ଘୁମୁସର ବନଖଣ୍ଡ ଅନ୍ତର୍ଗତ କେ. ନୂଆଗଡ ଗ୍ରାମର ଅରକ୍ଷିତ ପୋଲାଇଙ୍କ ଘର ଭିତରକୁ ଏକାଥରକେ ୯ଟି ବାରହା ପ୍ରବେଶ କରିଯିବାରୁ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗାଁବାସୀ ଘଣ୍ଟା ଘଣ୍ଟା ଧରି ନାକେଦମ ହେବା ପରେ ଶେଷରେ ବାରହା ପଲ ଘର ଭିତରୁ ବାହାରି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଛନ୍ତି। ଶନିବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ୩ଟି ବାରାହା ନିକଟସ୍ଥ ଜଙ୍ଗଲରୁ ବାହାରି ଆସି ବାଟବଣା ହୋଇ କୌଣସି ମତେ ଗାଁ ଭିିତରକୁ ଚାଲି ଆସିଥିଲା। ଗାଁ ଦାଣ୍ଡରେ ବାରହା ବୁଲୁଥିବା ଦେଖି ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ ା ଗ୍ରାମବାସୀ ଜଙ୍ଗଲ କର୍ମଚାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଘରର ଛାତ ଉପରକୁ ଚଢି ହୋ-ହଲା କରି ବିଚଳିତ କରି ପକାଇଥିଲେ। ଘର ଭିତରୁ ୩ ବାରାହାକୁ ଘଉଡାଇବା ପାଇଁ ଗ୍ରାମବାସୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ଶେଷରେ ଗ୍ରାମବାସୀ ନିଜ ନିଜ ଘରର କବାଟ ବନ୍ଦ କରି ଦେଇଥିଲେ। ପରେ ବାରହା ପଲ ଘର ଭିତରୁ ପଦାକୁ ବାହାରି ଆସି ନିକଟସ୍ଥ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ।

ଶିକାରୀ ଗୋଷ୍ଠୀ ଜଙ୍ଗଲର ଶୁଖିଲା ପତ୍ରରେ ନିଆଁ ଲଗାଇଥିବାରୁ ହୁ ହୁ ହୋଇ ନିଆଁ ବିଭିନ୍ନ ଜଙ୍ଗଲରେ ଚରି ଚାଲିଥିବା ଦେଖିବାକୁ ମିଳିଛି। ନୟାଗଡ଼ ଡ଼ିଭିଜନର ୭ଟି ରେଞ୍ଜରେ ଜଙ୍ଗଲ ନିଆଁ ଯୋଗୁଁ ଲୋକମାନେ ଆଉଟପାଉଟ ହେଉଛନ୍ତି। ହାତୀମୁଣ୍ଡା ସଂରକ୍ଷିତ ଜଙ୍ଗଲ ଶିଖର ପୁର ଓ ସାପୁଆ, ଦଶପଲ୍ଲାର ସେଣ୍ଟ୍ରାଲ୍ ସରକ୍ଷିତ ଜଙ୍ଗଲ ନସଘର, ଆମ୍ବଲିମ୍ବା, ପୋଖରୀଗୋଛା, ପୋଇବାଡ଼ି, ଚଢ଼ୟାପଲ୍ଲୀ, ଗଣିଆ, ବନ୍ଧମୁଣ୍ଡା ଆଦି ଜଙ୍ଗଲ ଗୁଡ଼ିକରେ ଜଙ୍ଗଲରେ ନିଆଁ ଜଳୁଥିବାରୁ ପରିବେଶ ଧୂଆଁଳିଆ ହେବା ସହିତ ଲୋକମାନେ ନିଆଁର ପ୍ରଭାବରେ ଅତିଷ୍ଟ ହେଉଛନ୍ତି ା ଜଙ୍ଗଲ ନିଅାଁର ଧୂଅାଁରେ ଆଖି ପୋଡ଼ିବା ସାଙ୍ଗକୁ ଅଞ୍ଚଳର ଉତ୍ତାପ ବୃଦ୍ଧିପାଇଁ ଅସହ୍ୟ ଗରମ ହେଉଛି। ୭ଟି ରେଞ୍ଜର ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ୨ ଶହ କର୍ମଚାରୀ ୫୦ ଗୋଟି ନିଆଁଲିଭା ମେସିନ୍, ୧୪ଟି ଗାଡ଼ି ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ଫିଲ୍ଡଷ୍ଟାଫ ମାନେ ଏହି ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଆପଣା ଉଦ୍ୟମ କରୁଛନ୍ତି। ବନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବାବୁମାନଙ୍କର ଅବହେଳା ଯୋଗୁଁ ଏ ପ୍ରକାର ପରିସ୍ଥିତି ଦେଖାଯାଉଛି ବୋଲି ଅଭିଯୋଗ ହେଉଛି। ନୟାଗଡ଼ ଜିଲାରେ ଯେତିକି ପାହାଡ଼, ଜଙ୍ଗଲ ରହିଛି ସେହି ଅନୁପାତରେ କର୍ମଚାରୀ ନାହାନ୍ତି। ଫଳରେ ବନାଗ୍ନିକୁ ଆୟତ୍ତକରିବା ଏକପ୍ରକାର କାଠିକର ପାଠ ହେଉଛି। କାଠ ମାଫିଆ ଏବଂ କୋଇଲା ବେପାରୀମାନେ ଏହି ଅଗ୍ନିକାଣ୍ଡ ଘଟାଉଥିବା ବନବିଭାଗ ପକ୍ଷରୁ କୁହାଯାଇଛି।

ଅନୁଗୋଳ ଜିଲା ଅନ୍ତର୍ଗତ ପାଳଲହଡା ମାଲ୍ୟଗିରି ପର୍ବତ ସମେତ ବିଭିନ୍ନ ଜଙ୍ଗଲରେ ଚାରିଦିନ ଧରି ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ। ପାଳଲହଡା ରେଞ୍ଜ ଅଧୀନସ୍ଥ ସମସ୍ତ ଜଙ୍ଗଲରେ ଲାଗିଥିବା ନିଆଁ ପ୍ରଶମିତ ହୋଇଥିବା ନେଇ ଶନିବାର ସନ୍ଧ୍ୟାରେ ପାଳଲହଡା ବନ ବିଭାଗ ସୂଚନା ଦେଇଛି। ଜଙ୍ଗଲରୁ ନିଆଁ ଲିଭି ଯିବା ପରେ ଧୂଆଁର ମାତ୍ରା ହ୍ରାସ ପାଇଛି। କନ୍ତଳା, ପାଳଲହଡା, ଜମରଡିହ ଫରେଷ୍ଟ ସେକ୍ସନର ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ନେତୃତ୍ୱରେ ସମୂଦାୟ ୧୩ଟି ନିଆଁ ଲିଭା ଟିମ ଦିନ ରାତି କାମରେ ଲାଗିବା ପରେ ନିଆଁ କୁ ଆୟତ୍ତ କରାଯାଇ ପାରିଥିବା ଜଣାଯାଇଛି। ୧୧ ହଜାର ୫ ଶହ ହେକ୍ଟର ପରିବ୍ୟାପ୍ତ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ଥିବାରୁ ଦୁଇ ଦିନ ଧରି ପାଳଲହଡାରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପ୍ରାୟ ୪୮ ଘଣ୍ଟା ଧରି ଧୂଆଁ ବଳୟ ଭିତରେ ଅଣନିଶ୍ବାସୀ ହୋଇ ପଡ଼ିଥିଲେ ପାଳଲହଡାବାସୀ। ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ବନ ରେଞ୍ଜର ବିଭିନ୍ନ ସ୍ଥାନରେ ସାତଦିନ ହେଲା ଜଙ୍ଗଲ ଜଳୁଛି। ନିଆଁକୁ ଆୟତ୍ତ କରିବାକୁ କର୍ମଚାରୀ ନୟାନ୍ତ ହୋଇ ପଡିଲେଣି। କାଜୁ ଜଙ୍ଗଲ ପୋଡି ନଷ୍ଟଭ୍ରଷ୍ଟ ହୋଇ ଗଲାଣି। ବ୍ରହ୍ମପୁର ଫରେଷ୍ଟ ଡିଭିଜନ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ରେଞ୍ଜ ଅଧୀନରେ ଥିବା ସମସ୍ତ ବିଟରେ ଥିବା ଜଙ୍ଗଲର ଅଧିକାଂଶ ସ୍ଥାନରେ ନିଆଁ ଲାଗିଛି। ଆନ୍ଧ୍ର ସୀମା ଗୁଡିଖଳା ମୌଜା ବଗଡରେ ନୂଆରେ ସୃଷ୍ଟି ହୋଇଥିବା କାଜୁତୋଟା ଜଙ୍ଗଲ ନିଆଁରେ ପୋଡି ଯାଇଛି। ଗଜପତି ଏବଂ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ସଂରକ୍ଷିତ ଜଙ୍ଗଲ ସିଂହରାଜ, ମହେନ୍ଦ୍ର ତନୟା ସମେତ ଦୁତିକା ସାହି, ଝଗଡାପଲ୍ଲୀ, ନାକୋଇ, ଋଷିମାଳ, ତୁମ୍ବା ସଂରକ୍ଷିତ ଜଙ୍ଗଲ ହୁତ ହୁତ ଜଳୁଛି। ସପ୍ତାହ ହେଲା ଜଙ୍ଗଲ ନିଆଁ ଉଗ୍ର ରୂପ ନେଇଛି। ଏହା ମଣିଷକୃତ ହୋଇଥିବା ସୂଚନା ମିଳିଛି। ଜଙ୍ଗଲରୁ ମହୁଲ ଫୁଲ, ହରିଡା, ବାହାଡା ସଂଗ୍ରହ ପାଇଁ ଲୋକେ ଲଟାବୁଦା ସଫା କରିବାକୁ ନିଆଁ ଲଗାଇ ଥିବା କୁହାଯାଉଛି। ପବନରେ ନିଆଁ ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇଛି। ଜଙ୍ଗଲ ପାଦଦେଶ ଠାରୁ ୧୫ଶହ ଫୁଟ ଉଚ୍ଚରେ ବହୁ ସ୍ଥାନରେ ନିଆଁ ଲାଗିଛି। ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇ ପାରୁନାହିଁ। ନିଆଁ ଲିଭାଇବା କାର୍ୟ୍ୟ ପାଇଁ ଥିବା ୧୭ କର୍ମଚାରୀ ବିଳମ୍ବିତ ରାତ୍ର ପର୍ୟ୍ୟନ୍ତ ଲାଗି ପଡିଛନ୍ତି।

କେଉଁ ଜଙ୍ଗଲର କେଉଁ ଅଞ୍ଚଳରେ ନିଆଁ ଲାଗିଛି ସେ ସମ୍ପର୍କରେ ବନ ବିଭାଗକୁ ବିଭିନ୍ନ ସାଟେଲାଇଟ ସଂସ୍ଥା ସୂଚନା ଦେଇଥାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ଥିବା ଏମଓଡିଆଇଏସ,ଏସଏନପିପି, ଏସଏନ ଆଇବି ଭଳି ସାଟେଲାଇଟ ସଂସ୍ଥା ସାଟେଲାଇଟ ମାଧ୍ୟମରେ ଫଟୋ ଉତ୍ତୋଳନ କରି କେଉଁ ଅଂଚଳରେ ନିଆଁ ଲାଗିଛି ସେ ସମ୍ପର୍କରେ ବନ ବିଭାଗକୁ ଅବଗତ କରାଇଥାନ୍ତି। ସାଟେଲାଇଟ ସଂସ୍ଥା ପକ୍ଷରୁ ଓଡ଼ିଶା ଫରେଷ୍ଟ ମନିଟରିଂ ସିଷ୍ଟମ ଆପ ରେ ସବିଶେଷ ତଥ୍ୟ ଅପ ଲୋଡ଼ କରା ଯିବା ସହ ଦିନକୁ ଚାରି ପାଞ୍ଚ ଥର ଏହି ସୂଚନା ଦିଆଯାଇ ଥାଏ। କେଉଁ ଜାଗାରେ ନିଆଁ ଲାଗିଛି ତାହା ଆପରୁ ଜଣା ପଡିବା ପରେ ବନ କର୍ମଚାରୀ ନିଆଁ ଲିଭା କାର୍ୟ୍ୟ କରିଥାନ୍ତି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.