ମାଟ୍ରିକ ମୂଲ୍ୟାୟନ ନେଇ ଅନିଶ୍ଚିତତା

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିବା ବେଳେ କିଭଳି ମୂଲ୍ୟାୟନ ହେବ ସେନେଇ ଏଯାବତ୍‍ କୌଣସି ନିଷ୍ପତ୍ତି ନିଆଯାଇପାରିନି। ଇତିମଧ୍ୟରେ କେନ୍ଦ୍ରୀୟ ବୋର୍ଡ ସିବିଏସ୍‍ଇ ପକ୍ଷରୁ ଦଶମ ବୋର୍ଡ ମୂଲ୍ୟାୟନକୁ ନେଇ ନିୟମାବଳୀ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ରାଜ୍ୟରେ କିଭଳି ଓ କେବେ ଫଳ ପ୍ରକାଶ ପାଇବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଷଦକୁ ଫଳ ପ୍ରକାଶ ପାଇଁ ଦାୟିତ୍ୱ ଦିଆଯାଇଛି। ତେବେ କେଉଁ ଆଧାରରେ ମୂଲ୍ୟାୟନ କରାଯିବ ସେନେଇ କିଛି ନିର୍ଦେଶ ଦିଆଯାଇନି। ଏଭଳି ସ୍ଥିତିରେ ଫଳ ପ୍ରକାଶକୁ ନେଇ ଅନିଶ୍ଚିତତା ଦେଖାଦଇଛି।
ମିଳିଥିବା ସୂଚନା ଅନୁଯାୟୀ, ଅଭ୍ୟାସ ପରୀକ୍ଷା(ପ୍ରାକ୍ଟିସ୍‍ ଟେଷ୍ଟ) ଆଧାରରେ ନମ୍ବର ଦେବାକୁ ପରିଷଦ ଯୋଜନା କରିଛି। ସବୁଠାରୁ ବଡ଼ କଥା ହେଲା ରାଜ୍ୟରେ ପ୍ରାୟ ୩୦ %ରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇନାହାନ୍ତି। ଏହା ପରିଷଦର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଭଳି ସ୍ଥିତିରେ ବହୁ ବିଦ୍ୟାଳୟ ନିଜ ଶିକ୍ଷାନୁଷ୍ଠାନର ଭଲ ଫଳ କରିବାକୁ ଅଭ୍ୟାସ ପରୀକ୍ଷାରେ ଭଲ ନମ୍ବର ଦେଉଛନ୍ତି। ଫଳରେ ବହୁ ମେଧାବୀ ଛାତ୍ରଛାତ୍ରୀ ଅସୁବିଧାରେ ପଡ଼ିବାର ଆଶଙ୍କା ଦେଖାଦେଇଛି।
ଅନ୍ୟପକ୍ଷରେ ପରୀକ୍ଷା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଥିବାରୁ ଓଏମଆର ସିଟ୍‍(ପରୀକ୍ଷା ଖାତା) ଓ ପ୍ରଶ୍ନପତ୍ର ବାବଦକୁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପରୀକ୍ଷା ବାତିଲ ହୋଇଥିବାରୁ ଏହି ଖାତା ଓ ପ୍ରଶ୍ନପତ୍ର କ’ଣ ହେବ ତା’କୁ ନେଇ ଅନିଶ୍ଚିତତା ଦେଖାଦେଇଛି। ପ୍ରାୟ ୨୦ କୋଟି ଟଙ୍କା ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ପ୍ରଶ୍ନପତ୍ର ଓ ଖାତା ବିଭିନ୍ନ ସ୍ଥାନରେ ପଡ଼ିଥିବାବେଳେ ସେଗୁଡିକ କ’ଣ ହେବ ସେନେଇ ମଧ୍ୟ ନିଷ୍ପତ୍ତି ହୋଇପାରିନି। ବାରମ୍ବାର ପରିଷଦ ପକ୍ଷରୁ ପରୀକ୍ଷା ପରିଚାଳନା ନେଇ ଉଚ୍ଚସ୍ତରୀୟ ବୈଠକ କରାଯାଉଥିଲେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁନି। ରାଜ୍ୟରେ ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ରୀୟ ବୋର୍ଡ ଭଳି ପନ୍ଥା ଆପଣାଯିବ କିମ୍ବା ଅନ୍ୟ କିଛି ବିକଳ୍ପ ପନ୍ଥା ନିର୍ଦ୍ଧାରଣ ହେବ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦକୁ ମୂଲ୍ୟାୟନ କରିବାକୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଠିକ୍‍ ସମୟରେ ଫଳ ପ୍ରକାଶ କରାଯିବ।

Comments are closed.