ମିଶନ ଶକ୍ତି ଅଭିଯାନକୁ ପ୍ରଶଂସା କଲେ ଭାରତର ଜାତିସଂଘ ମହିଳା ପ୍ରତିନିଧି ସୁସାନ ଜେନ ଫର୍ଗୁସନ୍

ଦକ୍ଷତା ବିକାଶ ପାଇଁ ଲିଙ୍ଗଗତ ସମାନତା ଜରୁରୀ – ସୁବ୍ରତୋ ବାଗଚି

ଭାରତର ଜାତିସଂଘ ମହିଳା ପ୍ରତିନିଧି ସୁସାନ ଜେନ ଫର୍ଗୁସନ୍ କହିଛନ୍ତି ଯେ ରାଜ୍ୟରେ ମହିଳାମାନଙ୍କୁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ ମିଶନ ଶକ୍ତି ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଏହି ଅଭିଯାନକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁରଦୃଷ୍ଟି ସଫଳ ହୋଇଥିବା କହିଛନ୍ତି। ଓଡିଶା ଗସ୍ତରେ ପ୍ରଥମ ଥର ଆସିଥିବା ଭାରତର ଜାତିସଂଘ ମହିଳା ପ୍ରତିନିଧି ସୁସାନ ଜେନ ଫର୍ଗୁସନ୍ ଆଜି ରାଜ୍ୟ ଦକ୍ଷତା ବିକାଶ ପ୍ରତିଷ୍ଠାନର ଅଧ୍ୟକ୍ଷ ସୁବ୍ରତୋ ବାଗଚିଙ୍କ ସହ ସାକ୍ଷାତ ଆଲୋଚନା ସମୟରେ ଏହା କହିଛନ୍ତି। ଶ୍ରୀ ବାଗଚି ଦକ୍ଷତା ବିକାଶ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ପାଇଁ ଆମ ଭିତରେ ଥିବା ଲିଙ୍ଗଗତ ଭେଦଭାବ ଦୂର କରିବା ଆବଶ୍ୟକ ବୋଲି କହିଛନ୍ତି। ଆଲୋଚନା କାଳରେ ଶ୍ରୀ ବାଗଚି ଲିଙ୍ଗଗତ ଦୃଷ୍ଟିକୋଣରୁ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟିକୋଣ ଏବଂ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ଶ୍ରୀ ବାଗଚି ଓଡିଆ ମହିଳାମାନଙ୍କର ଅନେକ ଉଦାହରଣ ଉପସ୍ଥାପନ କରିଛନ୍ତି ଯେଉଁମାନେ ଲୋକୋ-ପାଇଲଟ୍, ଅଟୋମୋବାଇଲ୍ ମେକାନିକ୍, ୱେଲଡର୍, କାରଖାନାରେ ଅପରେଟର ଭାବେ କାର୍ଯ୍ୟ କରି ସଫଳତା ଅର୍ଜନ କରିଛନ୍ତି।

ସେ କହିଛନ୍ତି, କୌଶଳ ବିକାଶ ପାଇଁ ଉଚ୍ଚମାନର ତାଲିମପ୍ରାପ୍ତ ଶିକ୍ଷକ, ବିଷୟବସ୍ତୁ, ଯୋଜନାଗୁଡ଼ିକର ସର୍ବଭାରତୀୟ ଗ୍ରହଣୀୟତା ଏବଂ ଇଣ୍ଟରନେଟ୍ ଅଧିକାର ରହିବା ଆବଶ୍ୟକ। ଭାରତର ଜାତିସଂଘ ମହିଳା ପ୍ରତିନିଧି ସୁସାନ ଜେନ ଫର୍ଗୁସନ୍ ଏହି ଅବସରରେ ଓଡିଶା ସରକାର ଏବଂ ଜାତିସଂଘ ମହିଳା ପ୍ରଭାଗ ମଧ୍ୟରେ ସହଭାଗିତାକୁ ପ୍ରଶଂସା କରିଛନ୍ତି। ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣର ଧାରଣାକୁ ପରିବର୍ତ୍ତନ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଦର୍ଶନକୁ ସେ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରାଜ୍ୟ ଉଦ୍ୟମରେ ବିଶେଷ କରି ଶିକ୍ଷା ଗ୍ରହଣ କରିବାର ଦ୍ଵିତୀୟ ସୁଯୋଗ ଏବଂ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଜାତିସଂଘର ମହିଳାମାନେ ଏକ ଶକ୍ତିଶାଳୀ ଅଂଶୀଦାର ହେବାକୁ ଚାହାଁନ୍ତି।

ସୂଚନା ଅନୁଯାୟୀ, ଜାତିସଂଘର ମହିଳା ପ୍ରଭାଗ ସହ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଏକ ଚୁକ୍ତିନାମା ସ୍ଵାକ୍ଷର କରିଛି। ଏହାର ଏକ ଅଂଶ ଭାବରେ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ରାଜ୍ୟର ଦଶଟି ଆକାଂକ୍ଷୀ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସରକାର ସେମାନଙ୍କ ଉତ୍ପାଦର ଅନଲାଇନ୍ ବିକ୍ରୟ ପାଇଁ ଇ-କମର୍ସ ପ୍ଲାଟଫର୍ମ ସହିତ ସଂଯୋଗକୁ ସୁଗମ କରିବା ପାଇଁ ଡିଜିଟାଲ ମାର୍କେଟିଂ ଏବଂ ଉଦ୍ୟୋଗୀତା ଉପରେ ତାଲିମ ପ୍ରଦାନ କରିବେ।

ଅନ୍ୟପକ୍ଷରେ ଜାତିସଂଘର ମହିଳା ପ୍ରଭାଗ ବାଲେଶ୍ୱର, ବ୍ରହ୍ମପୁର ଓ ରାଉରକେଳା ସରକାରୀ ଆଇଟିଆଇରେ ମହିଳା ଫୁଟବଲ ଦଳ ଏବଂ କୋରାପୁଟ ଗୋପବନ୍ଧୁ ଆଇଟିଆଇ ଓ ବଲାଙ୍ଗୀର ସରକାରୀ ଆଇଟିଆଇରେ ଭଲିବଲ ଓ ବାସ୍କେଟବଲ କୋର୍ଟର ବିକାଶ କରାଇବେ। ଏହାଛଡା ମହିଳାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରକୁ ମଧ୍ୟ ସହାୟତା କରିବ। ଜାତିସଂଘର ଏହି ଶିକ୍ଷା କାର୍ଯ୍ୟକ୍ରମ ମୟୂରଭଞ୍ଜ, ରାୟାଗଡା ଏବଂ ଢେଙ୍କାନାଳ ଜିଲ୍ଲାର ସରକାରୀ ଆଇଟିଆଇ ଏବଂ ପଲିଟେକ୍ନିକ୍ସରେ କାର୍ଯ୍ୟକାରୀ ହୋଇଛି।

Comments are closed.